୫ କିଲୋ ଗଂଜେଇ ଜବତ୨ ଗିରଫ ପୁରୀରୁ ଯାଉଥିଲା ପଟ୍ଟାମୁଣ୍ଡାଇ

ନାଉଗାଁ (ଓ୍ବାଇଏନ୍ଏସ୍) : ନାଉଗାଁ ଥାନା ଅନ୍ତର୍ଗତ ଗଜରାଜପୁର ପଂଚାୟତ ଦେବୀଦୋଳ ସେତୁ ନିକଟରୁ ଗୁରୁବାର ୫ କିଲୋ ଗଂଜେଇ ସହିତ ବ୍ୟବହୃତ ବାଇକ ଓ ୨ ଜଣ ଚୋରା ଗଂଜେଇ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଚୋରା ଗଂଜେଇ ବେପାରୀ ୨ ଜଣ ପୁରୀ ଜିଲାରୁ ଗଂଜେଇ ନେଇ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇକୁ ଯାଉଥିଲେ । ଊଭୟଙ୍କ ଘର କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ମୁଳବସନ୍ତ ଗ୍ରାମର ନୀଳ ବାରିକ ଓ ବିକାଶ କୁମାର ବଳ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ କରୋନା ଭୁତାଣୁ ସଂକ୍ରମଣ ଯୋଗୁ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ସମୟରେ ଯାନବାହାନ ଗୁଡିକର ଗତିବଧି ନିୟନ୍ତ୍ରଣ କରିବା ପାଇଁ ଶିଖର ଓ ଦେବୀଦୋଳ ସେତୁ ନିକଟରେ ପୋଲିସ ପକ୍ଷରୁ ୨୪ଘଂଟିଆ କଡା ସୁରକ୍ଷା ଦିଆଯାଉଛି । କିନ୍ତୁ ଏହି ବାଟ ଦେଇ ଚୋରା ମଦ ଓ ଗଂଜେଇ ଚାଲାଣ ହେଉଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଫଳରେ ପୋଲିସ ପକ୍ଷରୁ ଅଧିକ କଡାକଡି କରାଯିବା ସହିତ ଯାଂଚ ଚାଲୁ ରହିଥିଲା । ଏହି ସମୟରେ ଦେବୀ ଦୋଳ ସେତୁ ନିକଟରେ ଓଡି ୩୩ ୱାଇ-୩୫୭୦ ବାଇକ ଯୋଗେ ୨ ଜଣ ଯୁବକ ପହଁଚି ଥିଲେ । ତାଙ୍କ ପାଖରେ ପନିପରିବା ଭତି ଏକ ବ୍ୟାଗ ଥିଲା । ପୋଲିସ ପକ୍ଷରୁ ଉକ୍ତ ବ୍ୟାଗକୁ ଯାଂଚ କରିବା ସମୟରେ ଏକ ପ୍ୟାକେଟ ଦେଖିବାକୁ ପାଇଥିଲେ । ଯାହାକି ଗଂଜେଇ ଥିବା ଜାଣିବାକୁ ପାଇ ସେମାନେ ଥାନାକୁ ଖବର ଦେଇଥିଲେ । ଥାନା ଆଇଆଇସି ଗୋବର୍ଦ୍ଧନ ସାହୁଙ୍କ ସହିତ ଏଏସଆଇ ଅଶୋକ କୁମାର ମହାନ୍ତି, ହାବିଲଦାର ପବିତ୍ର ମୋହନ ପରିଜା, କନେଷ୍ଟବଳ କାଲୁ ସିଂ ଓ ବିକ୍ରମ ସ୍ୱାଇଁଙ୍କ ସମେତ ସଦଳ ବଳେ ଘଟଣାସ୍ଥଳରେ ପହଁଚି ଉକ୍ତ ଗଂଜେଇକୁ ଜବତ କରିବା ସହିତ ୨ ଜଣଙ୍କୁ ଥାନାକୁ ଆଣିଥିଲେ । ଉକ୍ତ ଗଂଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାଯାଇଛି । ସେହିପରି ଉକ୍ତ ଜିଲ୍ଲା ପୋହଳ ଗ୍ରାମର ଅନ୍ୟ ଜଣେ ଯୁବକ ବାବୁଲି ସାହୁ ହିରୋହୁଣ୍ଡା ପ୍ୟାସଆନ ଗାଡି ଆଣି ଥାନା ନିକଟରେ ସନ୍ଦେହ ଜନକ ଅବସ୍ଥାରେ ଘୁରି ବୁଲୁଥିବା ପୋଲିସ ଦେଖି ତାକୁ ଧରି ଆଣି ଥାନାରେ ଅଟକ ରଖି ଥିବା ଜଣାଯାଇଛି । ଅନ୍ୟପଟରେ ଉକ୍ତ ଗଂଜେଇ ବେପାରୀ ୨ ଜଣ ପ୍ରତି ମାସରେ ଉକ୍ତ ରାସ୍ତାରେ ଦେଇ ଗଂଜେଇ ନେଇ ଯିବା ଆସିବା କରିବା ପାଇଁ ଜୈନିକ ପୋଲିସ କର୍ମଚାରୀଙ୍କୁ ମାସକୁ ଜଣକ ପିଛା ୨ହଜାର ଟଙ୍କା ଦେଉଥିବା ପ୍ରକାଶ କରିଛନ୍ତି । ଉତ୍କୋଚ ନେଉଥିବା ଜୈନିକ ପୋଲିସ କର୍ମଚାରୀ ଅଧିକ ଉତ୍କୋଚ ମାଗିବାରୁ ସେମାନେ ଦେଇ ନଥିଲେ । ତେଣୁ ତାଙ୍କୁ ଧରାଇ ଦେଇଥିଲେ ବୋଲି ଯୁବକ ୨ ଜଣ ପ୍ରକାଶ କରୁଛନ୍ତି । ଉକ୍ତ ଗଂଜେଇ ବେପାରୀ କେଉଁ ପୋଲିସ କର୍ମଚାରୀଙ୍କୁ ଉତ୍କୋଚ ପ୍ରଦାନ କରି ନିର୍ଭୟରେ ବେପାର କରୁଥିଲେ ଓ ଚୋରା ଗଂଜେଇ ବେପାରର ଚେର ପୁରୀରୁ ପଟ୍ଟାମୁଣ୍ଡାଇ ଲମ୍ବିଥିବା ବେଳେ ଏଥିରେ କିଏ ସଂପୃକ୍ତ ଅଛନ୍ତି ତାହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବ ମାନେ ମତବ୍ୟକ୍ତ କରିଛନ୍ତି । ଉକ୍ତ ଘଟଣାକୁ ନେଇ ନାଉଗାଁ ଥାନା ଏସଆଇ ବିବେକାନନ୍ଦ ସାହୁ ଅଭିଯୋଗ କରିଥିବା ବେଳେ ଏସଆଇ ପ୍ରତାପ କୁମାର ଦାଶ ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି । ଉକ୍ତ ୨ ଜଣ ଯୁବକଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ