ସେପ୍ଟେମ୍ବର ୨୭ରେ ମ୍ବାଦ ସାହିତ୍ୟ ଘରର ଦଶମ ବାର୍ଷିକ ଉତ୍ସବ
ହାଟଡିହି, (ଓ୍ବାଇଏନଏସ): ହାଟଡିହି ସମ୍ବାଦ ସାହିତ୍ୟ ଘରର ଆଗାମୀ ଦଶମ ବାର୍ଷିକ ଉତ୍ସବକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଆଜି ଛେନାପଦିଛକସ୍ଥିତ ମା’ ବିଶ୍ୱତାରିଣୀ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ଘରର ଆବାହକ କିଶୋର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଆଗାମୀ ସେପ୍ଟେମ୍ବର ୨୭ ତାରିଖରେ ବାର୍ଷିକ ଉତ୍ସବକୁ ସରସ, ସୁନ୍ଦର, ଓ ଆକର୍ଷଣୀୟ ଭାବେ ପାଳନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ସଭାପତି ଅନ୍ତର୍ଯ୍ୟାମୀ ରାଉତ, ସମ୍ପାଦକ ଶ୍ରୀକାନ୍ତ ପଟ୍ଟନାୟକ, ନାରାୟଣ ସାହୁ, ରତ୍ନାକର ଦାସ, ଆନନ୍ଦ ଚନ୍ଦ୍ର ଓଝା, ନାରାୟଣ ଲେଙ୍କା, ସୁରେନ୍ଦ୍ର ପରିଡ଼ା, ହରିହର ସାମଲ, ଅନନ୍ତ ଚରଣ ମୁଦୁଲି, ସୁବାସ ପାତ୍ର, ନିତ୍ୟାନନ୍ଦ ବେହେରା, ମୋହନ କୁମାର ମହାନ୍ତି, ମୁରଲୀଧର ବେହେରା, ବିଦ୍ୟୁତ୍ପ୍ରଭା ଦେଓ, ଚତୁର୍ଭୁଜ ପହିଙ୍କ ସମେତ ସାହିତ୍ୟ ଘରର ବହୁ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ। ବାର୍ଷିକ ଉତ୍ସବର କାର୍ଯ୍ୟକ୍ରମ, ଅତିଥି ଆମନ୍ତ୍ରଣ, ପ୍ରତିଭା ସମ୍ବର୍ଦ୍ଧନା ଏବଂ ବାର୍ଷିକ ମୁଖପତ୍ର ପ୍ରକାଶନ ଆଦି ବିଷୟରେ ସଦସ୍ୟମାନେ ମତାମତ ରଖିଥିଲେ। ଉତ୍ସବ ଅବସରରେ କବିତା ପାଠୋତ୍ସବ ଆୟୋଜନ କରାଯିବା ସହିତ ସାହିତ୍ୟ ଘରର ବାର୍ଷିକ ମୁଖପତ୍ର ‘ପ୍ରୟାସୀ’ ଲୋକାର୍ପଣ କରାଯିବାକୁ ନିଷ୍ପତ୍ତି ହୋଇଛି। ସାହିତ୍ୟ, ଶିକ୍ଷା, ସମାଜସେବା ଓ ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭା ଓ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ଏହି ଅବସରରେ ସମ୍ମାନିତ କରାଯିବା ପାଇଁ ନିଷ୍ପତି ହୋଇଥିଲା । ବିଶେଷକରି ସଂସଦ ସମ୍ବର୍ଦ୍ଧନା, ଯୁବ ପ୍ରତିଭା ସମ୍ମାନ, ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ସମ୍ମାନ ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଏହାଦ୍ୱାରା ଅଞ୍ଚଳର ପ୍ରତିଭାବାନ ଯୁବକଯୁବତୀ, ଛାତ୍ରଛାତ୍ରୀ ଓ ସମାଜସେବୀମାନେ ଉତ୍ସାହିତ ହେବା ସହ ଆଗାମୀ ଦିନରେ ନିଜ ନିଜ କ୍ଷେତ୍ରରେ ଆହୁରି ଭଲ କାମ କରିବାକୁ ପ୍ରେରଣା ପାଇବେ ବୋଲି ଆଲୋଚନା ହୋଇଥିଲା। ସେହିପରି ଶ୍ରୀନିବାସ ଖଣ୍ଡାଇ ସ୍ମୃତି ସଂସଦ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ଏ -୧ ରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ, ନିଟରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ରାଜ୍ୟ ସ୍ତରୀୟ ଶିକ୍ଷକ ସମ୍ମାନ, ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମାନ ଓ ରାଜ୍ୟ ସ୍ତରୀୟ ସମ୍ପାଦନ ସମ୍ମାନ ପ୍ରଦାନ କରାଯିବାକୁ ସ୍ଥିର ହୋଇଥିଲା। ସାହିତ୍ୟ ହେଉଛି ସମାଜର ଦର୍ପଣ। ଏହା ସମାଜର ଚିନ୍ତା, ଚେତନା, ଭାବନା ଓ ସଂସ୍କୃତିକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ଏକ ପ୍ରମୁଖ ମାଧ୍ୟମ। ହାଟଡିହି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଦୀର୍ଘଦିନ ଧରି ସାହିତ୍ୟ, ସଂସ୍କୃତି ଓ ସାମାଜିକ ଚେତନାର ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି। ଏହି ବାର୍ଷିକ ଉତ୍ସବ ମାଧ୍ୟମରେ ଆମ ଅଞ୍ଚଳର ସାହିତ୍ୟିକ ଓ ସାଂସ୍କୃତିକ ପରିବେଶ ଆହୁରି ସମୃଦ୍ଧ ହେବ ବୋଲି ସଦସ୍ୟମାନେ ମତ ପ୍ରକାଶ କରିଥିଲେ। ଏହି ଉତ୍ସବରେ ଅଧିକରୁ ଅଧିକ ସାହିତ୍ୟପ୍ରେମୀ, କବି, ଲେଖକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କୁ ସାମିଲ କରିବା ସହ କାର୍ଯ୍ୟକ୍ରମକୁ କିପରି ଅଧିକ ଶୃଙ୍ଖଳିତ, ସରସ, ସୁନ୍ଦର ଓ ଆକର୍ଷଣୀୟ କରାଯିବ ସେ ନେଇ ବିଭିନ୍ନ ପ୍ରସ୍ତାବ ଆସିଥିଲା। ବାର୍ଷିକ ଉତ୍ସବ ପୂର୍ବରୁ ଆଉ ଏକ ପ୍ରସ୍ତୁତି ବୈଠକ କରାଯାଇ କାର୍ଯ୍ୟକ୍ରମର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସମ୍ପାଦକ ଓ ଆବାହକ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୨୭ରେ ହେବାକୁ ଥିବା ଏହି ବାର୍ଷିକ ଉତ୍ସବ ହାଟଡିହି ଅଞ୍ଚଳର ସାହିତ୍ୟ ଓ ସଂସ୍କୃତିପ୍ରେମୀଙ୍କ ପାଇଁ ଏକ ମିଳନ ଉତ୍ସବରେ ପରିଣତ ହେବ ବୋଲି ଆଶା କରାଯାଉଛି।


