ବିଞ୍ଝାରପୁରରେ ପଞ୍ଚାୟତ ସମିତିର ୧୨ତମ ବୈଠକ
ବିଞ୍ଝାରପୁର,(ପ୍ରଦୀପ କୁମାର ମଲ୍ଲିକ): ବିଞ୍ଝାରପୁର ବ୍ଲକ ପଞ୍ଚାୟତ ସମିତିର ୧୨ତମ ବୈଠକ ବ୍ଲକ ସଭାଗୃହରେ ବ୍ଲକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲିକ, ସାଂସଦ ପ୍ରତିନିଧି ପୁରୁଷୋତ୍ତମ ବେହେରା, ଉପାଧ୍ୟକ୍ଷ ସେକ୍ ଇର୍ସାଦ ଏବଂ ତହସିଲଦାର ପ୍ରମୋଦ ବାସ୍କେ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ବିଡିଓ ଛବିରାଣୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ବୈଠକରେ ବ୍ଲକ ଅଞ୍ଚଳର ବିଭିନ୍ନ ଲୋକାଭିମୁଖୀ ସମସ୍ୟା ସମେତ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ନେଇ ବିସ୍ତୃତ ଭାବେ ତର୍ଜମା କରାଯାଇଥିଲା। ବିଶେଷକରି ଭିବି-ରାମଜୀ ସମ୍ପର୍କିତ ବିଭିନ୍ନ ଜଟିଳତା ଓ ଏହାକୁ ନେଇ ଦେଖାଦେଉଥିବା ସମସ୍ୟା ଉପରେ ସଦସ୍ୟମାନେ ଆଲୋଚନା କରିଥିଲେ। ଏଥିସହ ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇଁ ମଧ୍ୟ ଦାବି ଉଠିଥିଲା। ବୈଠକରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସ୍ଥିତି ସହ ସାଧାରଣ ବଣ୍ଟନ ବ୍ୟବସ୍ଥା, ପଞ୍ଚାୟତ ଡେଭଲପମେଣ୍ଟ ପ୍ଲାନ, ସମନ୍ୱିତ ଶିଶୁ ବିକାଶ ଯୋଜନା, ପାନୀୟ ଜଳ ଓ ପରିମଳ ଯୋଜନା ଆଦି ବିଭିନ୍ନ ବିଭାଗର କାର୍ଯ୍ୟକାରିତା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସରକାରୀ ଯୋଜନାଗୁଡ଼ିକର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେଥିପ୍ରତି ଅଧିକ ତତ୍ପରତା ଦେଖାଇବାକୁ ଗୁରୁତ୍ୱ ଦିଆଯାଇଥିଲା। ଅଞ୍ଚଳର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଦୈନନ୍ଦିନ ସମସ୍ୟାର ଶୀଘ୍ର ସମାଧାନ ଦିଗରେ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ସମନ୍ୱୟ ରଖି କାର୍ଯ୍ୟ କରିବା ଉପରେ ମଧ୍ୟ ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ଓ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ। ଜନସାଧାରଣଙ୍କ ସମସ୍ୟାର ଯଥାଶୀଘ୍ର ସମାଧାନ ଏବଂ ବ୍ଲକରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଅଧିକ ଗତିଶୀଳ କରିବା ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।


