କର୍ତ୍ତବ୍ୟ ପଥରେ ୧୫୪ ଯବାନଙ୍କ ବଳିଦାନ, ପୋଲିସ ଶହୀଦ ଦିବସରେ ଶ୍ରଦ୍ଧାଞ୍ଜଳି

କଟକ , (ଓ୍ବାଇଏନଏସ): ଦେଶର ସୁରକ୍ଷା, ଶାନ୍ତି ଓ ଆଇନଶୃଙ୍ଖଳା ରକ୍ଷା ପାଇଁ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ପ୍ରାଣବଳି ଦେଇଥିବା ବୀର ପୋଲିସ କର୍ମଚାରୀ ଓ ସୁରକ୍ଷାବାହିନୀର ଯବାନମାନଙ୍କ ସ୍ମୃତିରେ ବୁଧବାର ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଅମର ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ସେମାନଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ। ଶହୀଦଙ୍କ ପରିବାରବର୍ଗଙ୍କ ପ୍ରତି ମଧ୍ୟ ସେ ଗଭୀର ସମବେଦନା ଜଣାଇଥିଲେ। ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏହି ସ୍ମୃତିସଭାରେ ରାଜ୍ୟ ପୋଲିସ ବାହିନୀ ପକ୍ଷରୁ ଶହୀଦମାନଙ୍କୁ ଆନୁଷ୍ଠାନିକ ଶୋକସଲାମି ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଦୁଇ ମିନିଟ୍‌ ନୀରବତା ଅବଲମ୍ବନ କରି ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ଯବାନମାନଙ୍କ ପ୍ରତି ସମ୍ମାନ ଜଣାଇଥିଲେ। ଉତ୍ସବରେ ଉଦ୍‌ବୋଧନ ଦେଇ ଡିଜିପି ମିଶ୍ର କହିଥିଲେ ଯେ, ୧୯୫୯ ମସିହା ଅକ୍ଟୋବର ୨୧ରେ ଲଦାଖ ଅଞ୍ଚଳରେ ଚୀନ୍‌ ସୈନ୍ୟଙ୍କ ସହ ସଂଘର୍ଷରେ ୧୦ ଜଣ ସିଆରପିଏଫ୍‌ ଯବାନ ଶହୀଦ ହୋଇଥିଲେ। ସେହି ବୀର ଯବାନଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନର ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୧ରେ ସାରା ଦେଶରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ବିଭିନ୍ନ ରାଜ୍ୟର ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ମୋଟ ୧୫୪ ଜଣ ଯବାନ କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରାଣ ହରାଇଥିବା ସେ ଉଲ୍ଲେଖ କରିଥିଲେ। ଏହି ବୀରମାନଙ୍କ କର୍ତ୍ତବ୍ୟନିଷ୍ଠା ଓ ଦେଶପ୍ରେମ ଆଗାମୀ ପିଢ଼ି ପାଇଁ ପ୍ରେରଣା ହୋଇ ରହିବ ବୋଲି ସେ କହିଥିଲେ। ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ପ୍ରାଣବଳି ଦେଇଥିବା ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନଙ୍କ ଅବଦାନକୁ ଡିଜିପି ସ୍ୱତନ୍ତ୍ର ଭାବେ ସ୍ମରଣ କରିଥିଲେ। ସେମାନଙ୍କ ସାହସ, ନିଷ୍ଠା ଓ ନିରନ୍ତର ପ୍ରୟାସ ରାଜ୍ୟରେ ମାଓବାଦୀ ହିଂସାର ମୁକାବିଲା ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଶହୀଦଙ୍କ ପରିବାରବର୍ଗ ଯେଉଁ ତ୍ୟାଗ ଓ ଧୈର୍ଯ୍ୟର ପରିଚୟ ଦେଇଛନ୍ତି, ତାହା ମଧ୍ୟ ସମାନ ଭାବେ ସମ୍ମାନର ଯୋଗ୍ୟ ବୋଲି ସେ ମତ ଦେଇଥିଲେ। ବର୍ତ୍ତମାନ ସମୟରେ ପୋଲିସର ଦାୟିତ୍ୱ କେବଳ ଅପରାଧ ନିୟନ୍ତ୍ରଣରେ ସୀମିତ ନାହିଁ ବୋଲି ଡିଜିପି କହିଥିଲେ।ଆତଙ୍କବାଦ, ମାଓବାଦ, ସଂଗଠିତ ଅପରାଧ, ସାଇବର ଠକେଇ ଓ ନିଶାଦ୍ରବ୍ୟ ଚୋରାଚାଲାଣର ମୁକାବିଲା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା, ଟ୍ରାଫିକ୍‌ ପରିଚାଳନା ଏବଂ ଆଇନଶୃଙ୍ଖଳା ରକ୍ଷା ଭଳି ଅନେକ ଦାୟିତ୍ୱ ପୋଲିସକୁ ନିର୍ବାହ କରିବାକୁ ପଡ଼ୁଛି। ଏହି ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ପାଇଁ ପୋଲିସ କର୍ମଚାରୀଙ୍କ ଦକ୍ଷତା ବିକାଶ, ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ନିୟମିତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିବା ସେ କହିଥିଲେ। ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ସଚ୍ଚୋଟତା, ସାହସ ଓ ନିଷ୍ଠାର ସହ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଆସ୍ଥା ଜିତିବାକୁ ସେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଦତ୍ତ ତଥ୍ୟ ଅନୁସାରେ, ଚଳିତ ବର୍ଷ ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଯବାନମାନେ କର୍ତ୍ତବ୍ୟ ସମୟରେ ଶହୀଦ ହୋଇଛନ୍ତି। ଏଥି ମଧ୍ୟରେ ବିଏସ୍‌ଏଫ୍‌ର ୨୫, ଆଇଟିବିପିର ୯, ଆସାମ ରାଇଫଲ୍ସର ୬, ଏସ୍‌ଏସ୍‌ବିର ୫, ସିଆଇଏସ୍‌ଏଫ୍‌ର ୪, ସିଆରପିଏଫ୍‌ର ୨ ଏବଂ ରେଳ ସୁରକ୍ଷା ବଳର ୮ ଜଣ ଯବାନ ରହିଛନ୍ତି। ଏହାବ୍ୟତୀତ ବିଭିନ୍ନ ରାଜ୍ୟ ପୋଲିସ, ଅଗ୍ନିଶମ ସେବା, ସିଭିଲ୍‌ ଡିଫେନ୍ସ ଓ ହୋମଗାର୍ଡର କର୍ମଚାରୀମାନେ ମଧ୍ୟ ବଳିଦାନ ଦେଇଛନ୍ତି। ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସ୍ମୃତି ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ନିର୍ଦ୍ଦେଶକ (ଗୁଇନ୍ଦା) ଆର୍‌.ପି. କୋଚେ, ନିର୍ଦ୍ଦେଶକ (ଭିଜିଲାନ୍ସ) ୟଶବନ୍ତ କୁମାର ଜେଠୱା, ଅତିରିକ୍ତ ଡିଜିପି ଏସ୍‌.କେ. ପ୍ରିୟଦର୍ଶୀ, ଡଃ ସନ୍ତୋଷ ବାଲା, ଅରୁଣ ବୋଥ୍ରା, ଅସୀତ କୁମାର ପାଣିଗ୍ରାହୀ, ସଞ୍ଜୟ କୁମାର, ରାଜେଶ କୁମାର ଓ ୟତୀନ୍ଦ୍ର କୋୟଲଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ