ବାତ୍ୟା ‘ଅକଭାନ୍’ ଭୟରେ ବାଲିଯାତ୍ରା ପ୍ରସ୍ତୁତିରେ ବ୍ରେକ୍ !
କଟକ, (ଓ୍ବାଇଏନଏସ): ଓଡ଼ିଶା ମୁହାଁ ବାତ୍ୟା ‘ଅକଭାନ୍’କୁ ନେଇ ଚିନ୍ତା ବଢ଼ିଛି। ଏହାର ପ୍ରଭାବ ଏବେ କଟକର ଐତିହାସିକ ବାଲିଯାତ୍ରା ପଡ଼ିଆରେ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟ ଉପରେ ପଡ଼ିଛି। ଜୋରସୋରରେ ଚାଲିଥିବା ବାହ୍ୟ ପ୍ରସ୍ତୁତି କାର୍ଯ୍ୟରେ ବର୍ତ୍ତମାନ ବ୍ରେକ୍ ଲାଗିଥିବା ବେଳେ ଦୋଳି ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ସେଡ୍ ନିର୍ମାଣ କରିଥିବା ବ୍ୟବସାୟୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ବର୍ତ୍ତମାନ ସୁଦ୍ଧା ବାଲିଯାତ୍ରା ପଡ଼ିଆରେ ୨୦ରୁ ଅଧିକ ଦୋଳି ଲାଗି ସାରିଥିବା ବେଳେ ଆଉ ୨୦ରୁ ୩୦ଟି ଦୋଳି ଲାଗିବାର ଯୋଜନା ରହିଛି। ତେବେ ବାତ୍ୟା ପ୍ରଭାବରେ ଏହି ଦୋଳିଗୁଡ଼ିକର କ୍ଷୟକ୍ଷତି ହେବା ଆଶଙ୍କା ରହିଛି। ବିଶେଷକରି ରାମଦୋଳିର ମୁଖ୍ୟ ଢାଞ୍ଚାର ବିଶେଷ କ୍ଷତି ନହେଲେ ମଧ୍ୟ ଏହାର ବଗିଗୁଡ଼ିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ତେଣୁ ପାଗ ଓ ପରିସ୍ଥିତିକୁ ଦେଖି ବଗିଗୁଡ଼ିକୁ ଖୋଲି ନିଆଯିବାର ବ୍ୟବସ୍ଥା କରାଯାଉଛି। ସେହିପରି ଟାଇଟେନିକ୍ ଢାଞ୍ଚା, ଏହାର ସେଡ୍ ଏବଂ ଅନ୍ୟାନ୍ୟ ବଡ଼ ବଡ଼ ସେଡ୍ଗୁଡ଼ିକ ବାତ୍ୟାରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଯଦି ଏସବୁର କ୍ଷତି ହୁଏ, ତେବେ ପୁନର୍ବାର ମରାମତି ଓ ସଜାଡ଼ିବା ପାଇଁ ଅତିକମ୍ରେ ଗୋଟିଏରୁ ଦୁଇଦିନ ସମୟ ଲାଗିପାରେ। ଅନ୍ୟପକ୍ଷରେ ବ୍ୟବସାୟୀଙ୍କ ଦୋକାନଗୁଡ଼ିକ କ୍ଷତିଗ୍ରସ୍ତ ହେଲେ ସେଗୁଡ଼ିକୁ ପୁନଃ ପ୍ରସ୍ତୁତ କରିବାକୁ ଦୁଇରୁ ତିନିଦିନ ସମୟ ଲାଗିବ। ଏଭଳି ସ୍ଥିତିରେ ବ୍ୟବସାୟୀଙ୍କ କ୍ଷତି ଭରଣା ଓ ବ୍ୟବସାୟ ପାଇଁ ପର୍ଯ୍ୟାପ୍ତ ସମୟ ଦେବା ଉଦ୍ଦେଶ୍ୟରେ ବାଲିଯାତ୍ରାର ଅବଧି ବୃଦ୍ଧି କରିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏନେଇ ଦୋଳି ମୀନା ବଜାର ବ୍ୟବସାୟୀ ମହାସଂଘର ସମ୍ପାଦକ ଚିନ୍ତା ପ୍ରକଟ କରିଛନ୍ତି।ଅନ୍ୟପଟେ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ବ୍ୟବସାୟୀଙ୍କୁ ଏପର୍ଯ୍ୟନ୍ତ କୌଣସି ସ୍ୱତନ୍ତ୍ର ସତର୍କ ସୂଚନା ଦିଆଯାଇନଥିଲେ ମଧ୍ୟ ପ୍ରତିକୂଳ ପାଗ ଯୋଗୁଁ ପ୍ରସ୍ତୁତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କଥା ପ୍ରଶାସନ ସ୍ୱୀକାର କରିଛି। ବର୍ତ୍ତମାନ ପାଗ ଅନୁକୂଳ ନଥିବାରୁ ପଡ଼ିଆରେ ବାହାର କାର୍ଯ୍ୟ ବନ୍ଦ ରହିଥିବା ବେଳେ ଭିତର କାର୍ଯ୍ୟ ଜାରି ରହିଛି। ଆଗାମୀ ଦୁଇଦିନ ପରେ ପାଗରେ ସୁଧାର ଆସିଲେ ପୁନର୍ବାର ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଆରମ୍ଭ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଇପ୍ସିତା ପ୍ରିୟଦର୍ଶିନୀ କହିଛନ୍ତି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ନେଇ ଏବେ ବାଲିଯାତ୍ରା ପଡ଼ିଆରେ ଉତ୍କଣ୍ଠା ଓ ଆଶଙ୍କା ଦେଖାଦେଇଛି। ଆଗାମୀ ଦିନରେ ପାଗ କିଭଳି ରହୁଛି ଏବଂ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଉଛି, ତାହା ଉପରେ ବ୍ୟବସାୟୀଙ୍କ ନଜର ରହିଛି।


