ପୋଲିସ ଦ୍ୱାରା ୨୫ କେଜି ଗଞ୍ଜେଇ ଜବତ,୨ ମହିଳା ଗିରଫ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ପୁଲିସକୁ ମିଳିଛି ସଫଳତା, ବସ୍‌ଷ୍ଟାଣ୍ଡରୁ ୨୫ କେଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ମହିଳା ମାନଙ୍କ ଦ୍ୱାରା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ମୁନିଗୁଡା ଆଇଆଇସି ଲଳିତ ମୋହନ ସାଗରଙ୍କ ନିର୍ଦେଶ କ୍ରମେ ଏକ ପୋଲିସ ଟିମ ଗଠନ କରି ଥାନା ମହିଳା ଏସଆଇ ଉର୍ମିଳା ସେଠୀଙ୍କ ନେତୃତ୍ୱରେ ମହିଳା କନେଷ୍ଟବଲ ସୁଭାଷିନୀ ରାୟ,ମହିଳା ହୋମଗାର୍ଡ ପ୍ରଭାତୀ ରାଉଳ,ସଂଯୁକ୍ତା ନୁଁଦୃକା, କନେଷ୍ଟବଲ ସନ୍ତୋଷ ଶବର ହୋମଗାର୍ଡ କମାଣ୍ଡେଣ୍ଟ ସନ୍ତୋଷ ପାଢ଼ୀ ପ୍ରମୁଖଙ୍କ ସମେତ ଅନ୍ୟ ମାନେ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ରହିଥିଲେ। ସେହି ସମୟରେ ଦୁଇ ମହିଳାଙ୍କୁ ବ୍ୟାଗ୍‌ ସହ ସନ୍ଦେହଜନକ ଭାବେ ଧରିଥିଲେ। ପରେ ଯାଞ୍ଚ ବେଳେ ବେଗରେ ଗଞ୍ଜେଇ ଥିବା ଜଣାପଡିଥିଲା। ବ୍ୟାଗ ସହ ଦୁଇ ମହିଳାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଅତିରିକ୍ତ ତହସିଲଦାର ବ୍ରଜଗୋପାଳ ଦାସଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିଲା। ସେଥିରେ ୨୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା। ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ଦୁଇ ଜଣ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏଥିସହ ଗଞ୍ଜେଇ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ଚାଲାଣର ଲିଙ୍କ୍ କେଉଁ ପର୍ଯ୍ୟନ୍ତ ରହିଛି ସେନେଇ ପୁଲିସ ତଦନ୍ତ ଜାରି ରଖିଛି ବୋଲି ମୁନିଗୁଡ଼ା ଥାନା ଆଇଆଇସି ଲଳିତ ମୋହନ ସାଗର ସୂଚନା ଦେଇଛନ୍ତି। ଅନ୍ୟପଟେ ମୁନିଗୁଡ଼ା ଅଞ୍ଚଳରୁ ଟ୍ରେନ୍‌ ଓ ବସ୍‌ ଯୋଗେ ନିୟମିତ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହେଉଥିବା ବେଳେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଫିଆ ମାନେ ମହିଳାଙ୍କ ଦ୍ୱାରା ଗଞ୍ଜେଇ ଚାଲାଣ କଲେ ସନ୍ଦେହ କମ୍‌ ହେବ ବୋଲି ଭାବି ମାଫିଆ ମାନେ ମହିଳା ମାନଙ୍କୁ ଢାଲ କରି ଚାଲାଣର ମାଧ୍ୟମ ଭାବେ ବ୍ୟବହାର କରୁଥିବା ଜଣାପଡୁଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ