ପୂର୍ବତନ ସାଂସଦ ଭାସ୍କର ରାଓଙ୍କ ଘର ଓ ବ୍ୟବସାୟୀକ ପ୍ରତିଷ୍ଠାନରେ ଇଓଡବ୍ଲୁର ଚଢ଼ାଉ

ରାୟଗଡ଼ା (ୱାଇ ଏନ ଏସ): ରାୟଗଡ଼ା ଟ୍ରକ୍ ମାଲିକ ସଂଘର କୋଟି କୋଟି ଟଙ୍କାର କଥିତ ଆର୍ଥିକ ଅନିୟମିତତା ଘଟଣାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (EOW)ର ତଦନ୍ତ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଗତ ୬ ତାରିଖରେ  ପୂର୍ବତନ ସାଂସଦ ଏନ ଭାସ୍କର ରାଓଙ୍କ ରାୟଗଡ଼ା ଓ ଭୁବନେଶ୍ୱରର ୧୧ଟି ସ୍ଥାନରେ ୮ଟି ସ୍ୱତନ୍ତ୍ର ଟିମ୍ ଦ୍ୱାରା ଚାଲିଥିବା ଚଢ଼ାଉ ଶେଷ ହୋଇଥିବା ଇ ଓ ଡ଼ବ୍ଲ୍ୟ ପକ୍ଷରୁ ଜାରି ପ୍ରେସ୍ ନୋଟ୍‌ରେ ସ୍ପଷ୍ଟ କରାଯାଇଛି। ଏହି ଚଢ଼ାଉରେ ମୋଟ ୧୭ ଲକ୍ଷ ୬ ହଜାର ୫୦୦ ଟଙ୍କା ନଗଦ ଜବତ ହେବା ସହ ବିପୁଳ ପରିମାଣର ଆର୍ଥିକ କାରବାର ସମ୍ପର୍କିତ ଦସ୍ତାବିଜ୍, ରେଜିଷ୍ଟର, ରସିଦ ବହି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
 ପ୍ରେସ୍ ନୋଟ୍ ଅନୁଯାୟୀ, ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାଙ୍କ ବିରୋଧରେ ବ୍ୟାପକ ଆର୍ଥିକ ଅନିୟମିତତା, ସଂଘର ଅର୍ଥ ଆତ୍ମସାତ୍, ଜୋରଜବରଦସ୍ତି ଅର୍ଥ ଆଦାୟ ଓ ଅପରାଧିକ ଧମକଚମକ ଭଳି ସଙ୍ଗିନ ଅଭିଯୋଗ ରହିଛି। ସଂଘରୁ ଆଦାୟ ହୋଇଥିବା ଅର୍ଥକୁ ବିଭିନ୍ନ ଘରୋଇ ବ୍ୟବସାୟିକ ସଂସ୍ଥାରେ ବିନିଯୋଗ ଓ ସ୍ଥାନାନ୍ତର କରାଯାଇଥିବା ସନ୍ଦେହରେ ତଦନ୍ତ ଚାଲିଛି। ଏହି ଚଢ଼ାଉ ସମୟରେ ଟ୍ରକ୍ ମାଲିକ ସଂଘର ଖାଲି ଲେଟରହେଡ୍, ଶ୍ରୀ ଆଦିତ୍ୟ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍ ନାମରେ ଜାରି ଟ୍ୟାକ୍ସ ଇନଭଏସ୍, ଏକ ଖତିଆନ୍, ଏନ୍. ଭାସ୍କର ରାଓଙ୍କ ସମ୍ପତ୍ତି ଓ ଦେୟ ସମ୍ପର୍କିତ ବିବରଣୀ ଜବତ କରାଯାଇଛି। ଏଥିସହ ବ୍ୟବହୃତ ଓ ଅବ୍ୟବହୃତ ରସିଦ ବହି, ମନି ରିସିପ୍ଟ ବୁକ୍, କ୍ୟାଶ୍ ବୁକ୍ ରେଜିଷ୍ଟର, ସଂଘର ନିଷ୍ପତ୍ତି ରେଜିଷ୍ଟର, ଚେକ୍ ଇସ୍ୟୁ ରେଜିଷ୍ଟର ଓ ଷ୍ଟକ୍ ରେଜିଷ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ତଦନ୍ତକାରୀ ଅଧିକାରୀଙ୍କ ହସ୍ତଗତ ହୋଇଛି। ଏହା ବ୍ୟତୀତ କ୍ୟାଶ୍ କ୍ରେଡିଟ୍ ବିଲ୍, ଉନ୍ନୟନ ପାଣ୍ଠିର ରସିଦ, ଚେକ୍ ବୁକ୍, ସିଲ୍ ଓ ଷ୍ଟାମ୍ପ ମଧ୍ୟ ଜବତ ହୋଇଛି। ଜବତ ଦସ୍ତାବିଜ୍‌ଗୁଡ଼ିକର ଯାଞ୍ଚ ଚାଲିଥିବା ଇ ଓ ଡ଼ବ୍ଲ୍ୟ ସୂଚନା ଦେଇଛି। ୨୦୦୫ରୁ ଅର୍ଥ ଆଦାୟ ଅଭିଯୋଗ, ଘରୋଇ ବ୍ୟବସାୟରେ ବିନିଯୋଗ ସନ୍ଦେହ ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁଯାୟୀ, ଟ୍ରକ୍ ମାଲିକମାନଙ୍କଠାରୁ ୨୦୦୫ ମସିହାରୁ ବିଭିନ୍ନ ଆଳରେ ଅର୍ଥ ଆଦାୟ କରାଯାଉଥିଲା। ଏହି ଅର୍ଥର ଉପଯୁକ୍ତ ହିସାବ ରଖାଯାଇନଥିବା ଏବଂ ଅନେକ କ୍ଷେତ୍ରରେ ରସିଦ ମଧ୍ୟ ଦିଆଯାଇନଥିବା ଅଭିଯୋଗ ରହିଛି। ଏପରିକି ଆଦାୟ ହୋଇଥିବା ଅର୍ଥକୁ ଲଜିଷ୍ଟିକ୍ସ, ଟ୍ରେଡିଂ, ଖଣି ଓ ରିଅଲ୍ ଇଷ୍ଟେଟ୍ ଭଳି ବିଭିନ୍ନ ଘରୋଇ ବ୍ୟବସାୟରେ ଖଟାଯାଇଥିବା ସନ୍ଦେହ କରୁଛି ଇ ଓ ଡ଼ବ୍ଲ୍ୟ । ଏହି ଘଟଣାରେ EOW Case No. 15, ତାରିଖ ୨୨.୦୯.୨୦୨୬ ଆଧାରରେ ତଦନ୍ତ ଚାଲିଛି। ଜବତ ହୋଇଥିବା ଦସ୍ତାବିଜ୍ ଓ ଆର୍ଥିକ ରେକର୍ଡର ଯାଞ୍ଚ ପରେ ସଂଘର ଅର୍ଥ ଆଦାୟ, ବ୍ୟୟ, ଜମା ଓ ବିଭିନ୍ନ ଘରୋଇ ସଂସ୍ଥାକୁ ଅର୍ଥ ସ୍ଥାନାନ୍ତରର ପ୍ରକୃତ ଚିତ୍ର ସାମ୍ନାକୁ ଆସିବା ଆଶା କରାଯାଉଛି। ତେବେ ଏହି ମାମଲାରେ କେଉଁମାନଙ୍କର କେତେ ପରିମାଣର ସମ୍ପୃକ୍ତି ରହିଛି, ଆଦାୟ ହୋଇଥିବା ଅର୍ଥ କେଉଁ କେଉଁ ସଂସ୍ଥାକୁ ଯାଇଛି ଏବଂ ଏହାର ପ୍ରକୃତ ହିତାଧିକାରୀ କିଏ, ତାହା ତଦନ୍ତରୁ ସ୍ପଷ୍ଟ ହେବ। ଏବେ ସମସ୍ତଙ୍କ ନଜର ଇ ଓ ଡବ୍ଲ୍ୟର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତର ନିଷ୍କର୍ଷ ଉପରେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ