ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର ୩ ସହର
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଳ୍ଲାର ୩ ଟି ସହର ସାମିଲ କରାଯାଇଛି । ଏହି ଯୋଜନାରେ ରାଜ୍ୟର ୧୨ ଟି ସହରକୁ ସାମିଲ କରାଯାଇଛି । କେନ୍ଦୁଝର ଜିଲ୍ଲାର କେନ୍ଦୁଝର ସହର,ଯୋଡା,ବଡବିଲ ସମେତବ୍ରହ୍ମପୁର,ବେଲପାହାଡ,ବଣାଇ,ବ୍ରଜରାଜନଗର,ଝାରସୁଗୁଡା,ପାରାଦ୍ୱୀପ,ପୁରୀ, ରାଜଗାଙ୍ଗପୁର,ସମ୍ବଲପୁର ଆଦି ସହର ଗୁଡିକ ସାମିଲ କରାଯାଇଛି । ଏହି ସହରମାନଙ୍କରେ ବାୟୁର ପ୍ରଦୂଷଣ ମାତ୍ରା ଅଧିକ ରହୁଥିବାରୁ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏହି ଯୋଜନା ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ । ଏଥିପାଇଁ ୨୦୨୫-୨୬ ଆର୍ଥିକ ବର୍ଷରୁ ପ୍ରତିବର୍ଷ ପର୍ଯ୍ୟାୟକ୍ରମେ ଏହି ସହରଗୁଡିକ ପାଇଁ ମୋଟ ୧୫୦ କୋଟି ଟଙ୍କା ବ୍ୟୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ବାୟୁ ଗଣବତ୍ତା ମନିଟରିଂ କରାଯାଇ ବାୟୁ ପ୍ରଦୂଷଣ ମାତ୍ରା ୪୦ପ୍ରତିଶତ କମାଇବା ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ହେଉଛି ଆଗାମୀ ୫ବର୍ଷ ମଧ୍ୟରେ ପିଏମ ୧୦ ଏବଂ ପିଏମ ୨.୫ କୁ ୪୦ ପ୍ରତିଶତ ହ୍ରାସ କରିବା । ଏହି କାର୍ଯ୍ୟକ୍ରମ ଓଡିଶା ସରକାରଙ୍କ ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯିବ । ନଗର ଉନ୍ନୟନ ବିଭାଗର ଏହାର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ । କେନ୍ଦୁଝର ଜିଲ୍ଲାର ଏହି ୩ଟି ସହରରେ ପିଏମ୍-୧୦ ଏବଂ ପିଏମ ୨.୫ ର ସାନ୍ଦ୍ରତା ଅଧିକ ରହୁଥିବାରୁ ସ୍ୱାସ୍ଥ୍ୟ ପାଇଁ ହାନୀକାରକ । ପ୍ରଦୂଷିତ ବାୟୁର ଦୀର୍ଘକାଳୀନ ପ୍ରଭାବ ରହିଛି । ଏହା ଦୃଦ୍ଘାତ,ଶ୍ୱାସରୋଗ,କର୍କଟରୋଗ,ଡିମେନସିଆ,ପାର୍କିନସନସ ଭଳି ରୋଗର କାରଣ ବୋଲି ଡାକ୍ତରମାନେ କହିଛନ୍ତି । ବାୟୁମଣ୍ଡଳ ପ୍ରଦୂଷିତ ହେଲେ ଶ୍ୱାସରୋଗୀ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି । ଏହି ଯୋଜନା ସଫଳ ହେଲେ ଏହି ୩ ସହରରେ ବସବାସ କରୁଥିବା ଲୋକମାନେ ସ୍ୱଚ୍ଛ ବାୟୁ ପାଇପାରିବେ ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଂଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ପ୍ରକାଶ କରିଛନ୍ତି । ଏହି ଯୋଜନାରେ ସହରସ୍ତରୀୟ କାର୍ଯ୍ୟ ଯୋଜନାର ବିକାଶ କରିବା,ରାସ୍ତା ପରିଷ୍କାର ପାଇଁ ଯନ୍ତ୍ର ବ୍ୟବହାର କରିବା ଏବଂ ନୂତନ ରାସ୍ତା ନିର୍ମାଣ କରିବା,ମନିଟରିଂ ଭିତ୍ତିଭୂମିକୁ ସୁଦୃଢ କରିବା,କଠିନ ବର୍ଜ୍ୟବସ୍ତୁ ପରିଚାଳନା,ସହର ମଧ୍ୟରେ ଥିବା ଡମ୍ପିଂୟାର୍ଡ ହଟାଇବା,ସହର ଭିତରେ ବ୍ୟାପକ ବୃକ୍ଷରୋପଣ,ପଲିଥିନ ବ୍ୟବହାର ରୋକିବା,ମାଟି କପର ବହୁଳ ବ୍ୟବହାର ଏବଂ ବର୍ଜ୍ୟବସ୍ତୁ ପୋଡି ରୋକିବା ଓ ଶିଳ୍ପ ନିର୍ଗମନ ହ୍ରାସ କରିବା ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଅଧିନରେ ପ୍ରମୁଖକାର୍ଯ୍ୟକଳାପ ମଧ୍ୟରେ ଅନ୍ତର୍ଭୁକ୍ତ ।


