ଓଡିଶାରୁ ଦେଶାନ୍ତର ହେଲେଣି ୪୯ ବାଂଲାଦେଶୀ ଅନୁପ୍ରେବଶକାରୀ
ବାଲେଶ୍ବର(ସରୋଜ ପଣ୍ଡା): ସମଗ୍ର ଦେଶରେ ବାଂଲାଦେଶୀ ଅନୁପ୍ରେବଶକାରୀଙ୍କୁ ନେଇ ବାଦ ବିବାଦ ଲାଗିରହିଥିବା ବେଳେ ଓଡିଶାରେ ସମ୍ପୃକ୍ତ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟାର ସ୍ଥିତାବସ୍ଥା ସମ୍ପର୍କରେ ବିଧାନସଭାରେ ସଦର ବିଧାୟକ ମାନସ କୁମାର ଦତ୍ତ ପ୍ରଶ୍ନ ଉଠାଇଥିଲେ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରାମାଣିକ ପରିଚାଳନା ପଦ୍ଧତି (ଏସଓପି) ସହ ଜିଲ୍ଲାସ୍ତରରେ ସନ୍ଧିଗ୍ଧ ଅଥବା ଚିହ୍ନଟ ଅନୁପ୍ରବେଶକାରୀଙ୍କ ସବିଶେଷ ତଥ୍ୟ ପ୍ରଦାନ ପାଇଁ ଶ୍ରୀ ଦତ୍ତ ଅନୁରୋଧ କରିଥିଲେ । ତେବେ ଆଗାମୀ ଦିନରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ । ଏହି ପ୍ରଶ୍ନର ଉତ୍ତର ଦେଇଥିଲେ ଗୃହ ବିଭାଗକୁ ନିଜ ଦାୟିତ୍ୱରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗତ ମେ ୨ତାରିଖର ଚିଠି ସଂଖ୍ୟା ୨୫୦୨୨/୨୮/୨୦୨୦-ଏଫଆଇ (ଭାଗ-୩) ଅନୁସାରେ, ରାଜ୍ୟର ସମସ୍ତ ଜିଲ୍ଲାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ, ଅଟକ ଏବଂ ଦେଶାନ୍ତରୀକରଣ ପାଇଁ “ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ’ ଗଠନ କରାଯାଇଛି । ସମସ୍ତ ଜିଲ୍ଲାର ଆରକ୍ଷୀ ଅଧିକ୍ଷକମାନଙ୍କୁ ନିୟମିତ ଭାବରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେମାନେ ମଧ୍ୟ ତଦନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏଯାବତ ୨ଟି ରାଜ୍ୟସ୍ତରୀୟ ସହ ବିଭିନ୍ନ ଜିଲ୍ଲାରେ ୧୮ଟି ଜିଲ୍ଲାସ୍ତରୀୟ ଅଟକ କେନ୍ଦ୍ର ଖୋଲାଯାଇଛି । ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ ଦେଶାନ୍ତର ପର୍ଯ୍ୟନ୍ତ ସେଠାରେ ରଖାଯାଉଛି । ଏହି ଚିହ୍ନଟ ପ୍ରକ୍ରିୟା ଦ୍ୱାରା ସମୁଦାୟ ୧୭୬୮ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଂଚ ପରେ ସେମାନଙ୍କ ମଧ୍ୟରୁ ୧୬୬୭ ଜଣଙ୍କୁ ଭାରତୀୟ ନାଗରିକ ଭାବେ ଚିହ୍ନଟ ସହ ମୁକ୍ତ କରାଯାଇଥିବା ବେଳେ ଭୁବନେଶ୍ୱର ଅଂଚଳରୁ ୨୪ଜଣ, କଟକରୁ ୧୫, ବ୍ରହ୍ମପୁରରୁ ୬, ଗଞ୍ଜାମ ଜିଲ୍ଲାରୁ ୦୧, କନ୍ଧମାଳରୁ ୪, କୋରାପୁଟରୁ ଜଣକୁ ମିଶାଇ ମୋଟ ୫୧ ଜଣ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣେ ଓ କନ୍ଧମାଳରୁ ଜଣକୁ ମିଶାଇ ୨ଜଣ ଜାଲ କାଗଜପତ୍ର ଦେଇ ନିଜ ନାମରେ ଭାରତୀୟ ପାର୍ସପୋର୍ଟ ହାସଲ କରିଥିବାରୁ ମାମଲା ରୁଜୁ ସହ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଅନ୍ୟ ୪୯ଜଣଙ୍କୁ ଦେଶାନ୍ତର କରାଯାଇଛି । ଏହା ବ୍ୟତିତ ଅନ୍ୟ ୫୦ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କର ପରିଚୟ ବାବଦରେ ଯାଂଚ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।


