ବର୍ଷା ଅଭାବରୁ ଚାଷକାମ ବାଧାପ୍ରାପ୍ତ, ଆକାଶକୁ ଚାହିଁ ଚାହିଁ ବିତୁଛି ଦିନ

ହାଟଡିହି, (ବିକାଶ ବିଶ୍ୱାଳ ) : ଶ୍ରାବଣ ମାସ ଅଧା ହେବାକୁ ବସିଲା, କିନ୍ତୁ ବର୍ଷାର ଦେଖା ନାହିଁ । ପ୍ରତିଦିନ କଳାହାଣ୍ଡିଆ କରି ମେଘ ଉଠାଉଛି ଯେ ବର୍ଷିବାର ନାଁ ନାହିଁ । ଚାଷୀମାନେ ଚାତକ ପରି ଆକାଶକୁ ଚାହିଁ ଚାହିଁ ହତାଶ ହୋଇପଡିଲେଣି । ଏପରି ଟାଣଖରା ହେଉଛି ଯେ ବୈଷାଖ ମାସର ଖରାକୁ ବି ବଳିଗଲାଣି । ଏଭଳି ପାଣିପାଗ ଯୋଗୁଁ ଖରିଫ ଧାନ ଚାଷ ଆରମ୍ଭ ହେବାନେଇ ଅନିଶ୍ଚିତତା ଦେଖା ଦେଇଛି । ବିଶେଷକରି ଅଣଜଳସେଚିତ ପଞ୍ଚାୟତର ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି । ଗତ କିଛିଦିନ ତଳେ ଲଘୁଚାପ ପ୍ରଭାବରେ ଭଲ ବର୍ଷା ହେବା ଯୋଗୁଁ ବିଲଗୁଡିକରେ ମୁନ୍ଦେ ମୁନ୍ଦେ ପାଣି ହୋଇଥିଲା । ପରେପରେ ମୌସୁମୀ ଆସିବା ସହିତ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଭଲ ବର୍ଷା ଟିକେ ମଧ୍ୟ ହେଲାନାହିଁ । ଚାଷୀମାନେ ଅକ୍ଷୟ ତୃତୀୟା ଠାରୁ ବିଲ ଗୁଡିକ ବୁଣାବୁଣି କରିବାକୁ ଥିବାବେଳେ ଉପଯୁକ୍ତ ବର୍ଷା ନହେବା କାରଣରୁ ଧାନ ବୁଣା ହୋଇପାରିନି । ହାଟଡିହି ବ୍ଲକର ବଞ୍ଚୋ, ଅକରୁଆ, ଶାସଙ୍ଗ, ପଞ୍ଚୁଗୋଛିଆ, ଆମ୍ବୋ, ସମଣା, ଆଇତିପୁର, ହଦଗଡ, ପଢ଼ିଆରିପଲ୍ଲୀ, ବାଙ୍ଗୋର, ଧନୁର୍ଜୟପୁର, କେ ବାଲିପାଳ ଆଦି ପଞ୍ଚାୟତରେ ବର୍ଷା ଅଭାବରୁ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନି । ହଦଗଡ, ପଢ଼ିଆରିପଲ୍ଲୀ, ଧନୁର୍ଜୟପୁର ଆଦି ପଞ୍ଚାୟତର ଅଳ୍ପ କିଛି ଜମିରେ ବୁଣାବୁଣି ହୋଇଥିଲେବି ଆବଶ୍ୟକ ବର୍ଷା ନହେବାଦ୍ୱାରା ତାହା ନଷ୍ଟ ହେବାକୁ ବସିଲାଣି । ସେହିପରି ଉପଯୁକ୍ତ ବର୍ଷା ହେଉ ନଥିବାରୁ ଏହିସବୁ ପଞ୍ଚାୟତର ଚାଷୀମାନେ ବିହନ ତଳି ପକାଇ ପାରୁ ନାହାନ୍ତି । ଯାହାଦ୍ୱାରାକି ଚାଷୀମାନେ ଏବେ ବେକାର ହୋଇବସିଥିବାବେଳେ ଚାଷକାର୍ଯ୍ୟ ପ୍ରଭାବିତ ହୋଇଛି । ଚାଷଜମି ସବୁ ପଡିଆ ପଡିଥିବାବେଳେ ଏବେ ବିଲରେ ଗାଈଗୋରୁ ସବୁ ଚରୁଛନ୍ତି । ବ୍ଲକରେ ମୋଟ ୧୮୬୪୫ ହେକ୍ଟର ଜମିରେ ଧାନଚାଷ ହେଉଥିବାବେଳେ ୭ହଜାର ହେକ୍ଟର ଜମିରେ ନଳିତା, ପନିପରିବା ଆଦି ଚାଷ ହୋଇଥାଏ । ଗତ କିଛିବର୍ଷ ହେବ ବ୍ଲକରେ ୩୦ଭାଗ ଚାଷଜମିରେ ଧାନବୁଣା ବୁଣି ହେଉଥିବାବେଳେ ୭୦ଭାଗ ରୁଆପୋତାରେ ଧାନ ଚାଷ କରୁଛନ୍ତି । ଆଷାଢ଼ ମାସ ଶେଷ ବେଳକୁ ଅର୍ଦ୍ଧାଧିକ ଚାଷଜମିରେ ରୁଆପୋତା ସରିଯାଇଥାଏ । କିନ୍ତୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ରୁଆପୋତା ତ ଦୁରର କଥା ଧାନ ତଳି ପକାଯାଇ ନଥିବାରୁ କିପରି ଏବର୍ଷ ଚାଷ ହେବ ସେନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ହାଟଡିହି ବ୍ଲକର ସୋସୋ, ଢ଼େଙ୍କା, ସଢ଼ା, ଜମ୍ଭୀରା, ପନ୍ଦାଡୋ, ହାଟଡିହି, ମରୈଗାଁ, ବଡରମ୍ପାସ, ସୁଲଣ, ଆମ୍ବୋ, ଓରାଳି, ଶାଳଣିଆଁ, ଇଞ୍ଚୋଳ, ଡଅଁର, ଅଁରା ଆଦି ପଞ୍ଚାୟତର ଚାଷଜମିରେ ଜଳସେଚନର ସୁବିଧା ଥିବାବେଳେ ଏବେ କେନାଲରେ ପାଣି ଯିବାରୁ ସେ ସବୁ ପଞ୍ଚାୟତ ଗୁଡିକରେ ଚାଷକାମ ଆରମ୍ଭ ହୋଇଗଲାଣି । କିନ୍ତ ଅଣଜଳସେଚିତ ପଞ୍ଚାୟତ ମାନଙ୍କରେ ଚାଷୀମାନେ ଆକାଶକୁ ଚାହିଁ ଚାହିଁ ଜଳକା ହେବା ସାର ହେଉଛି ।

ସେମାନଙ୍କ ମତରେ-

ବିଶ୍ୱନାଥ ଖଟୁଆ, ଚାଷୀ, ଅକରୁଆ- ଆମ ଗାଁରେ ଲୋକମାନେ ବିଶେଷଃତ ପନିପରିବା ଚାଷ କରିବା ପରେ ପରେ ରଜ ସୁଧା ବୁଣାବୁଣି ଓ ତଳିପକା କାର୍ଯ୍ୟ କରିଦେଇ ଥାଆନ୍ତି । କାରଣ ଶୀଘ୍ର ଧାନ ଅମଳ ହେଲେ ପୁଣି ପନିପରିବା ଚାଷ କରାଯିବ । କିନ୍ତୁ ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନି । ଅନ୍ୟପକ୍ଷରେ ଆମ ପଞ୍ଚାୟତରେ ଜଳସେଚନର ସୁବିଧା ନଥିବା ଯୋଗୁଁ ଚାଷୀ ମାନେ କେବଳ ବର୍ଷା ଉପରେ ହିଁ ନିର୍ଭର କରିଥାନ୍ତି । ସେଥିପାଇଁ ବର୍ଷା ନହେଲେ ଚାଷକାର୍ଯ୍ୟ ପ୍ରଭାବିତ ହେଉଛି ।

ବିନୟ କୁମାର ନାୟକ- ଚାଷୀ ବଞ୍ଚୋ,
ହାଟଡିହି ବ୍ଲକର ଅଣ ଜଳସେଚିତ ଅଞ୍ଚଳରେ ଜଳସେଚନର କୌଣସି ବ୍ୟବସ୍ଥା କରାଯାଉ ନାହିଁ । ପୁର୍ବରୁ ପ୍ରତି ଗାଁରେ ଦୁଇ ତିନୋଟି ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟ କରୁଥିବାରୁ ଚାଷୀମାନେ ବର୍ଷା ଉପରେ ଏତେ ନିର୍ଭର ନକରି ମଧ୍ୟ ଚାଷ କାର୍ଯ୍ୟକୁ ଆଗେଇ ନେଇଥାନ୍ତି । କିନ୍ତୁ ବଞ୍ଚୋ, ଅକରୁଆ, ଶାସଙ୍ଗ, ପଞ୍ଚୁଗୋଛିଆ ଭଳି କୃଷି ଉପରେ ନିର୍ଭର କରୁଥିବା ପଞ୍ଚାୟତ ଗୁଡିକର ଚାଷୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।

ଶଶିକାନ୍ତ ବିଶ୍ୱାଳ- ଚାଷୀ ଶାସଙ୍ଗ
ଚଳିତବର୍ଷ ସ୍ୱାଭାବିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିଲେବି ଆଜି ପର୍ଯ୍ୟନ୍ତ ଭଲ ବର୍ଷା ହୋଇପାରିଲାନାହିଁ । ଶାସଙ୍ଗ ପଞ୍ଚାୟତରେ ଜଳସେଚନର ସମ୍ପୁର୍ଣ୍ଣ ସୁବିଧା ନଥିଲେବି ଯେଉଁ କିଛି ସୁବିଧା ଅଛି ଆଜି ପର୍ଯ୍ୟନ୍ତ ସେଥିରେ ପାଣି ଆସିଲାନି । ଯାହାଦ୍ୱାରାକି ଚାଷକାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ । ଜଳସମ୍ପଦ ବିଭାଗ ତୁରନ୍ତ ମୁଗୁପୁର ମାଇନର କେନାଲରେ ପାଣି ଯୋଗାଇଦେଲେ ଶାସଙ୍ଗ, ବଡତୀରା, ଚୋରଗଡିଆ, ଛେନାପଦି, ଗୋପାଳପୁର, ବଞ୍ଚୋ, ଶିବନାରାୟଣପୁର, ପଞ୍ଚୁଗୋଛିଆ, ସୁଲଣ ପ୍ରଭୃତି ଗ୍ରାମରେ ଚାଷକାର୍ଯ୍ୟ ଆଗେଇ ପାରନ୍ତା ।

ଶଶାଙ୍କ ଶେଖର ପୁହାଣ- ଚାଷୀ ବଞ୍ଚୋ,
ବଞ୍ଚୋ ପଞ୍ଚାୟତର ଚାଷୀମାନେ କେବଳ ବର୍ଷା ଉପରେ ହିଁ ନିର୍ଭର କରିଥାନ୍ତି । ଆଷାଢ଼ ଯାଇ ଶ୍ରାବଣ ମାସ ସରିବାକୁ ବସିଲାଣି, ବର୍ଷାର ଦେଖା ନାହିଁ । କିଛିଦିନ ବର୍ଷା ଲାଗି ରହିବା ଦ୍ୱାରା ଯାହା କିଛି ଲୋକ ଧାନ ତଳି ପକାଇଥିଲେ ତାହା ଏବେ ଶୁଖିବାକୁ ବସିଲାଣି । ଯଦି ଆଉ ଦୁଇ ଚାରିଦିନ ଭିତରେ ବର୍ଷା ନହୁଏ ତେବେ ଚାଷକାମ କରିବା ଚାଷୀଙ୍କ ପାଇଁ କଷ୍ଟକର ହୋଇ ପଡିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ