କନ୍ୟାହନ୍ତା ମା’ ଓ ଦି୍ୱତୀୟ ସ୍ୱାମୀଙ୍କୁ ଆଜୀବନ

ବାଲେଶ୍ୱର, (ସରୋଜ ପଣ୍ଡା):ନାବାଳିକା କନ୍ୟା ହତ୍ୟା ମାମଲାର ବିଚାର କରି ଓପିଆଇଡି କୋର୍ଟ ବିଚାରପତି ବିଶ୍ୱଜିତ ଦାସ ଅଭିଯୁକ୍ତ ମାଆ ବେବୀ ବିବି ଓ ଦ୍ୱିତୀୟ ସ୍ୱାମୀ ଶେଖ ଅବଦୁଲ ରହିମଙ୍କୁ ଦୋଷୀ ସାବ୍ୟସ୍ତ ସହ ଆଜୀବନ କାରାଦଣ୍ଡ ଏବଂ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ କାରାବାସ ପାଇଁ ରାୟରେ ନିର୍ଦ୍ଦେଶ ରହିଛି । ବାଲେଶ୍ୱର ପୌରାଞ୍ଚଳ ୪ନଂ ୱାଡ଼ ଅନ୍ତର୍ଗତ ପୁଲ ବଜାର ରେଜାଉଲା ଲେନର ଶେଖ କୁତବୁଦ୍ଦିନ ଓ ବେବୀ ବିବିଙ୍କର ବିବାହ ହୋଇଥିଲା । ସେମାନଙ୍କଠାରୁ ୩ ସନ୍ତାନ ଜନ୍ମ ଗ୍ରହଣ କରିଥିଲେ । ତେବେ ପାରିବାରିକ କଳହରୁ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପରେ ବେବୀ ସମ୍ପୃକ୍ତ ଅଞ୍ଚଳର ଶେଖ ଅବଦୁଲ ରହିମଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ମାତ୍ର ପ୍ରଥମ ସ୍ୱାମୀଙ୍କ ଔରସରୁ ଜନ୍ମିତ ୩ ପିଲା ବେବୀ ଓ ରହିମଙ୍କ ସହିତ ରହୁଥିଲେ । ତେବେ ବଡ଼ ଝିଅ ଅର୍ଥାତ ୧୩ ବର୍ଷର ନାବାଳିକା ମା’ର ଦ୍ୱିତୀୟ ବିବାହକୁ ଗ୍ରହଣ କରି ପାରୁନଥିଲା । ଏହାକୁ ନେଇ ମାଆ ବେବୀ ବିବି ଅସହିଷ୍ଣୁ ହୋଇପଡ଼ିବା ସହିତ ଶେଷରେ ଦ୍ୱିତୀୟ ସ୍ୱାମୀ ସହ ମିଶି ଅତି ନିର୍ମମ ଭାବେ ପିଟି ପିଟି ନିଜର ଜନ୍ମିତ କନ୍ୟାକୁ ହତ୍ୟା କରିଥିଲା । ଘଟଣାଟି ଘଟିଥିଲା ୨୦୨୨ ମସିହା ଜୁନ ୨୫ ତାରିଖରେ । ଏହି ହତ୍ୟାକାଣ୍ଡକୁ ବେବି ଓ ରହିମ ସେତେବେଳେ ସାଧାରଣ ମୃତ୍ୟୁ ବୋଲି ଦର୍ଶାଇଥିଲେ । ମାତ୍ର ମୃତ କନ୍ୟାର ପିତା ଶେଖ କୁତବୁଦ୍ଦିନଙ୍କ ମନରେ ସନ୍ଦେହ ହେବାରୁ ସେ ୩ ଦିନ ପରେ ଅର୍ଥାତ ୨୮ ତାରିଖରେ ଟାଉନ ଥାନାରେ ଏତଲା ଦେଇଥିଲେ । ସିଟି କେସ ନଂ ୪/୩୧୨/୨୦୨୨ର ସମସ୍ତ ସାକ୍ଷୀଙ୍କ ବୟାନ ଓ ଆନୁସଙ୍ଗିକ ଦସ୍ତାବିଜକୁ ଭିତ୍ତି କରି ଓପିଆଇଡି କୋର୍ଟ ଜଜ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ସହ ଏହି ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ପିପି ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ