ଚିକିତ୍ସା ପାଇଁ ଦୁଃସ୍ଥ ଅସହାୟକଙ୍କୁୁ ସହାୟତା

ବାଲେଶ୍ୱର, (ସରୋଜ ପଣ୍ଡା):ଗୋପାଳଗାଁ ଚୁନଭାଟି ଅଞ୍ଚଳରେ ବାସ କରୁଥିବା ଗରିବ ହାଇଦର ଖାନ୍‌ଙ୍କ ଚିକିତ୍ସା ପାଇଁ ଆନ୍ତର୍ଜାତିକ ସଂଗଠନ ‘ଗ୍ରୀନ୍ ଜ୍ୟାକପଟ’ ପକ୍ଷରୁ ୧୦ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଗୁରୁବାର ମଧ୍ୟାହ୍ନରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଦୁଲାଲସେନ୍ ଜଗଦେବଙ୍କ ଦ୍ୱାରା ଏହି ରାଶି ପ୍ରଦାନ କରାଯାଇଛି । ଚେକ ପ୍ରଦାନ ବେଳେ ‘ଗ୍ରୀନ ଜ୍ୟାକପଟ’ ସଂଗଠନର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେଜ, ସଦସ୍ୟା ଉଷାରାଣୀ ମୁଖାର୍ଜୀ, କିରଣ ସାହୁ ଓ ସାମାଜିକ କର୍ମୀ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ବାଲେଶ୍ୱର ଜିଲାପାଳ ହାଇଦରଙ୍କ ଚିକିତ୍ସା ପାଇଁ ରେଡ଼୍‌କ୍ରସରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ବଦାନ୍ୟ ବ୍ୟକ୍ତିମାନେ ତାଙ୍କର ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଶ୍ରୀ ବେଜ ନିବେଦନ କରିଛନ୍ତି । ହାଇଦର ଗତ ୨୦୧୮ ମସିହାରେ ଶ୍ରମିକଭାବେ କାର୍ଯ୍ୟ କରୁଥିବା ବେଳେ ଏକ ଦୁର୍ଘଟଣାର ଶୀକାର ହୋଇ ମେରୁଦଣ୍ଡରେ ଆଘାତ ପାଇଥିଲେ । ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଆଘାତ ଲାଗିଥିବା ସ୍ଥାନରେ ଏକ ଟ୍ୟୁମର ବୃଦ୍ଧିପାଇବା ଫଳରେ ସେ ଶଯ୍ୟାଶାୟୀ ହୋଇଯାଇଛନ୍ତି । ଏହି ଟ୍ୟୁମର ଅପରେସନ ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକ ଥିବାର ଡାକ୍ତର କହିଛନ୍ତି । ଏକ ଦିନ ମଜୁରିଆ ପରିବାର ହୋଇଥିବାରୁ ସେ କଟକ, ଭେଲୋର ପ୍ରଭୃତି ସ୍ଥାନକୁ ଯାଇ ଚିକିତ୍ସିତ ହୋଇପାରୁନାହାନ୍ତି । ବାପା ଓ ମାଆଙ୍କ ଦେହାନ୍ତ ପରେ ତାଙ୍କର ଏକମାତ୍ର ସାନଭାଇ ରୋଗାଗ୍ରସ୍ତ ବଡ଼ଭାଇର ଦାୟିତ୍ୱ ବୁଝୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ