ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତି ପ୍ରକ୍ରିୟାରେ ପ୍ରଶ୍ନପତ୍ର ବିକ୍ରି

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ନିଯୁକ୍ତି ପ୍ରକ୍ରିୟାରେ ପ୍ରଶ୍ନପତ୍ର ବିକ୍ରି ଖର୍ଦ୍ଦି ପ୍ରମାଣ ମିଳିବା ପରେ ମଧ୍ୟ କେବଳ ଠକେଇ ମାମଲା ରୁଜୁ କରି ଚୁପ୍ ବସିଛି ବାଲେଶ୍ୱର ପୋଲିସ୍ । କିନ୍ତୁ ଆମେ କହି ରଖିବାକୁ ଚାହୁଁଛୁ କି, ଏହା ଏକ ସାମାନ୍ୟ ଠକେଇ ମାମଲା ନୁହେଁ । ଏହା ଏକ ଅପରାଧିକ ଷଡ଼ଯନ୍ତ୍ର ଏବଂ ଏହି ଷଡ଼ଯନ୍ତ୍ର ହେଉଛି ଓଡ଼ିଶାର ପ୍ରତ୍ୟେକ ମେଧାବୀ ପରୀକ୍ଷାର୍ଥୀଙ୍କ ବିରୁଦ୍ଧରେ । ଏହି ଷଡ଼ଯନ୍ତ୍ରରେ ୯୨ ଜଣ ପରୀକ୍ଷାର୍ଥୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯେଉଁମାନଙ୍କ ମଧ୍ୟରୁ ୮୬ ଜଣଙ୍କ ପରିଚୟ ଓଏସ୍‌ଏସ୍‌ସି ପାଇଥିବା ବେଳେ ଅନ୍ୟ ୬ଜଣଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଏହି ୯୨ଜଣ ଅପରାଧିକ ଷଡ଼ଯନ୍ତ୍ର କରି ଦଲାଲଙ୍କ ମାଧ୍ୟମରେ ଟଙ୍କା ଦ୍ୱାରା ଓଡ଼ିଶାର ମେଧାବୀମାନଙ୍କ ଭବିଷ୍ୟତକୁ କିଣିନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଆମର ପ୍ରଶ୍ନ ସେହି ଦିନ ହିଁ ପୋଲିସ୍ ସମସ୍ତ ୯୨ଜଣଙ୍କୁ ଗିରଫ କରିବା ପରିବର୍ତ୍ତେ କେବଳ ଦଲାଲଙ୍କୁ ଗିରଫ କରି ଏମାନଙ୍କୁ ଛାଡ଼ିଲା କାହିଁକି?
ମାନ୍ୟବର ସୁପ୍ରିମ କୋର୍ଟ କହିଥିଲେ, ଲାଞ୍ଚ ନେବା ଲୋକ ଯେତିକି ଦୋଷୀ, ଲାଞ୍ଚ ଦେବା ଲୋକ ମଧ୍ୟ ସମପରିମାଣରେ ଦୋଷୀ । ଏକଥା କଣ ବାଲେଶ୍ୱର ଏସ୍‌.ପି. ଓ ଓଡ଼ିଶା ପୋଲିସ୍‌ର ବଡ଼ ବଡ଼ ଅଧିକାରୀ ମାନଙ୍କୁ ଜଣା ନାହିଁ ନା ଜଣାଇବାକୁ ପଡ଼ିବ? ପଇସା ଅଛି ବୋଲି ଦେଇକି ଚାକିରି କିଣିନେବା, ମେଧାବୀଙ୍କ ଭବିଷ୍ୟତ କିଣିନେବା କଣ ଅପରାଧ ନୁହେଁ? ଏହା ହେଉଛି ମେଧାବୀଙ୍କ ବିରୁଦ୍ଧରେ ଏକ ସୁଚିନ୍ତିତ ଅପରାଧିକ ଷଡ଼ଯନ୍ତ୍ର । ଆମର ଦାବି ଆଇପିସି ସେକ୍ସନ ୧୨୦ବି, ଅପରାଧିକ ଷଡଯନ୍ତ୍ର ମାମଲାରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଉ ।
ସେମାନଙ୍କ ସ୍ଥାନ ଜେଲ୍‌ରେ, ପରୀକ୍ଷା ହଲ୍‌ରେ ନୁହେଁ ।ମେଧାବୀ ଛାତ୍ରଛାତ୍ରୀମାନଙ୍କ ବିରୁଦ୍ଧରେ ଅପରାଧିକ ଷଡ଼ଯନ୍ତ୍ର ରଚିଥିବା ଏହି ୮୬ଜଣଙ୍କୁ “କାହିଁକି ଓଏସ୍‌ଏସ୍‌ସି ପରୀକ୍ଷାରୁ ବାସନ୍ଦ କରାଯିବା ନାହିଁ” ବୋଲି କାରଣ ଦର୍ଶାଅ ନୋଟିସ୍ ଓ ହାଇକୋର୍ଟରେ କ୍ୟାଭିଟ୍ ପିଟିସନ ଫାଇଲ ପାଇଁ ଆମେ ଓଏସ୍‌ଏସ୍‌ସିକୁ ଧନ୍ୟବାଦ ଦେଉଛୁ । କିନ୍ତୁ ଆମେ ଦାବି କରୁଛୁ ଯେ, ସରକାର ଏକ ସର୍କୁଲାର ଜାରି କରନ୍ତୁ ଯେ, ଯିଏବି ଚାକିରି କିିଣିବା ନିମନ୍ତେ ଅପଚେଷ୍ଟା କରିବ, ତା ବିରୋଧରେ କଠୋର ମନୋଭାବ ପୋଷଣ କରାଯିବ, ତାକୁ ଆଜୀବନ ସରକାରୀ ଚାକିରିରୁ ବାସନ୍ଦ କରାଯିବ ।ଏହି ୮୬ଜଣଙ୍କ ମଧ୍ୟରୁ ଆଶୁତୋଷ ପଣ୍ଡାଙ୍କ ନାମକ ଜଣେ ପରୀକ୍ଷାର୍ଥୀ ଓଏସ୍‌ଏସ୍‌ସିର କାରଣ ଦର୍ଶାଅ ନୋଟିସ୍ ବିରୁଦ୍ଧରେ ଯାଇ ପରୀକ୍ଷା ଦେବାକୁ ଅନୁମତି ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ପ୍ରାର୍ଥାନ କରିଥିଲେ । ମାନ୍ୟବର ହାଇକୋର୍ଟ ମଧ୍ୟ ତାଙ୍କୁ ଅନୁମତି ଦେବାକୁ ଓଏସ୍‌ଏସ୍‌ସିକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର ହାଇକୋର୍ଟଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି । କିନ୍ତୁ ଏହି ଘଟଣାରେ ମାନ୍ୟବର ହାଇକୋର୍ଟଙ୍କ ମତ ସହ ଆମର ଭିନ୍ନ ମତ ମଧ୍ୟ ରହିଛି । ଚୋରକୁ ଏବେ ଯଦି ଛାଡ଼ି ଦିଆଯାଏ, ତେବେ ସେ ଡକାୟତ ହୋଇ ବାହାରିବ । ଏହାର ଫଳ ଅସାଧୁ ଉପାୟରେ ଟଙ୍କା ଦେଇ ଚାକିରି ପାଉଥିବା ଯନ୍ତ୍ରୀ ନିର୍ମାଣ କରୁଥିବା ରାସ୍ତା, ପୋଲ ଓ ଅଟ୍ଟାଳିକା ନିର୍ମାଣ ଶେଷ ପୂର୍ବରୁ ଭୁଷୁଡ଼ିବ । ଦାବି ପୂରଣ ନହେଲେ ଆଗାମୀ ଦିନରେ ସଂଘର ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ