ସଧବା ମହିଳା କଲେ ବୁଧିବାମନ ଓଷା

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଥିଲା ଭାଦ୍ରବ ମାସ ର ପ୍ରଥମ ବୁଧବାର। ପୁରୀ ଜିଲ୍ଲା ର ଉପକୂଳବର୍ତ୍ତୀ ଗ୍ରାମ ମାନଙ୍କ ରେ ସଧବା ମହିଳା ମାନେ ଭକ୍ତି ଓ ନିଷ୍ଠାର ସହିତ ପାଳନ କରିଥିଲେ ବୁଧିବାମନ ଓଷା। ଭାଦ୍ରବ ମାସରେ ପାଳନୀୟ ଅନେକ ଓଷାବ୍ରତ ମଧ୍ୟରୁ ଗୋଟିଏ ହେଉଛି ‘ବୁଧେଇ ଓଷା’। ଏହାକୁ ‘ବୁଧିବାମନ ଓଷା’ ମଧ୍ୟ କହନ୍ତି। ଦେବତାମାନଙ୍କର ରାଜକୁମାର ଭାବରେ ପରିଚିତ ବୁଧଗ୍ରହଙ୍କ ନାମାନୁସାରେ ସପ୍ତାହର ଗୋଟିଏ ବାରର ନାମ ବୁଧବାର। ଏହି ବାରରେ ବୁଧେଇ ଓଷା ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ପରଦିନଠାରୁ ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁପୂର୍ଣ୍ଣିମା ପର୍ଯ୍ୟନ୍ତ, ପ୍ରତ୍ୟେକ ବୁଧବାରରେ ସଧବା ସ୍ତ୍ରୀ ମାନେ ଉପବାସ ରହି ଏହି ବ୍ରତପାଳନ କରିଥାନ୍ତି। ବୁଧେଇ ହେଉଛନ୍ତି ଭୈରବୀ ବା ବିମଳା । ସଧବା ମହିଳା ମାନେ ଗ୍ରାମ ର କୋଠ ଘର ଅଥବା ଠାକୁରାଣୀ ପୀଠ ଠାରେ ଏକତ୍ରିତ ହୋଇ ଗୋଟିଏ ଶିଳ ଓ ଶିଳପୁଆକୁ ଧୋଇ, ପୋଛି ଏକ ପିଢ଼ାର ଆସ୍ଥାନ ଉପରେ ସ୍ଥାପନ କରନ୍ତି। ଅଁଳାକୁ ଗଂଗାଜଳରେ ଧୋଇ, ତା’ ସହିତ ହଳଦୀ ଓ ମେଥି ବାଟି, ସେଥିରେ ଦୁଇଟି ମୂର୍ତ୍ତି ଶିଳ ଓ ଶିଳପୂଆ ଉପରେ ପ୍ରସ୍ତୁତ କରାଯାଏ। ଏହି ଦୁଇ ମୂର୍ତ୍ତିଙ୍କର ନାମ ‘ବୁଧେଇ’ ଓ ‘ସୁଧେଇ’। କଉଡ଼ି ଓ ଗଳିଗୁଆରେ ସେହି ମୂର୍ତ୍ତିଙ୍କର ଆଖି, ନାକ, କାନ ଓ ପାଟି ଆଦି ତିଆରି କରି, ଆଖିରେ କଜ୍ଜ୍ୱଳ ଓ ମଥାରେ ସିନ୍ଦୂର ଲଗାଯାଏ। ହଳଦିଆ ଫୁଲ ଓ ବେଲପତ୍ରରେ ମୂର୍ତ୍ତିଙ୍କୁ ସଜାଇ, ନାଲିଶାଢ଼ି ପିନ୍ଧାଇ ଓଢ଼ଣା ଦିଆଯାଏ। କେତେକ ସ୍ଥାନରେ ଫୁଲମାଳ ସହିତ ସେହି ହଳଦୀରେ ଗଢ଼ା ପ୍ରତିମାଙ୍କୁ ଖଇମାଳ ମଧ୍ୟ ପିନ୍ଧାଯାଏ। ପାଞ୍ଚରଙ୍ଗ ର ଫୁଲ, ପାଞ୍ଚରଙ୍ଗର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୂବ ଓ ପାଞ୍ଚଟି ଅକ୍ଷତ ରଖି, ଆସ୍ଥାନ ପାଖରେ ସଂକଳ୍ପ ନଡ଼ିଆ ଥାପି ପୂଜା ଆରମ୍ଭ କରାଯାଏ। ବୁଧେଇ ଓଷା ବ୍ରତକଥା ବହି ପଢ଼ାହୁଏ। ସଧବା ନାରୀମାନେ ସନ୍ତାନ କାମନା କରିବା ଓ ତାର ଶୁଭ ମନାସିବା ଉଦ୍ଦେଶ୍ୟ ନେଇ ଏହି ଓଷା କରିଥାନ୍ତି । ଏହି ଓଷାଟି ନିର୍ଜଳ ଭାବେ ନିଷ୍ଠାର ସହ ପାଳନ କରାଯାଏ । ବୁଦ୍ଧିବାମନ ଓଷାର ପରମ୍ପରା ମତେ ପୂଜାସ୍ଥଳୀଟିକୁ ଗୋବରଲିପି ଶୁଚି କରାଯାଏ । ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ । ପ୍ରଥମ ପାଳିରୁ ଏଥିରେ ଗୋଟିଏ ନଡ଼ିଆ ବସାଯାଇ, ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝିପାଳି ଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳି ଦିନ ଅନ୍ତତଃ ପାଞ୍ଚପ୍ରକାର ପିଠାପଣା କରାଯାଏ । ପ୍ରତ୍ୟେକ ବୁଧବାର ଦିନଯାକ ଉପବାସ କରି ରାତିରେ ପୂଜାପରେ ଭୋଗ ଖିଆଯାଏ । ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି । ପ୍ରଥମେ ଏହି ଶିଳ ଏବଂ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରାଯାଇ, ହଳଦୀକନା ଓ ସୂତା ଗୁଡ଼ାଇ ନାରୀବେଶ କରାଯାଏ । ମଥାରେ ସିନ୍ଦୂର ଓ ଆଖିରେ କଜ୍ୱଳ ଦିଆଯାଏ । ଗୋପୀନାଥ ଦାସ ଙ୍କ ରଚିତ ପୁସ୍ତକ ପାଠ ପରେ ମହିଳା ମାନେ ବୁଧିବାମନ ଙ୍କୁ ବନ୍ଦାପନା କରିଥାନ୍ତି ଓ ଠାକୁର ଙ୍କ ପାଖରେ ଲାଗି ଫଳ ମୂଳ ଭୋଗ କୁ ପାଇଥାନ୍ତି।ବୁଧିବାମନ ଓଷା ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ର ଗାଁ ଗୁଡିକ ଉତ୍ସବ ମୁଖର ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ