ପ୍ରାଚୀ ଉପତ୍ୟକାର ପୁରାତନ ଐତିହ୍ୟ ଅତୀତ ଓଡ଼ିଶାର ଜୀବନ୍ତ ଇତିହାସ
ନିମାପଡ଼ା,(ସନ୍ତୋଷ ଦାଶ):କଥିତ ଅଛି ଗଙ୍ଗାନଦୀ ଠାରୁ ପୁରାତନ ପୂଣ୍ୟତୋୟା ପ୍ରାଚୀ ନଦୀ । ଏହି ନଦୀ ଓଡିଆ ଜାତି ନୌବାଣିଜ୍ୟର ମୂକସାକ୍ଷୀ ବୋଲି ବିଭିନ୍ନ ଐତିହାସିକ ଓ ଗବେଷକ ମାନେ ମତ ପ୍ରକାଶ କରିଛନ୍ତି। ପ୍ରାଚୀ ନଦୀର ଦୁଇ ପାଶ୍ୱରେ ଦ୍ୱାଦଶ ଶୈବ ପୀଠ, ଦ୍ୱାଦଶ ମାଧବ ପୀଠ,ଦ୍ୱାଦଶ ଶକ୍ତି ପୀଠ ସହିତ ଶତାଧିକ ପୁରାତନ ମଠ, ମନ୍ଦିର, ଐତିହାସିକ କୀର୍ତ୍ତିରାଜି ରହିଅଛି। ସେ ସବୁ ଆମ ଅତୀତ ଓଡ଼ିଶାର ଜୀବନ୍ତ ଇତିହାସ ବୋଲି କହିଛନ୍ତି ଗବେଷକ ଡଃ. ସନ୍ତୋଷ ମିତ୍ର। ଦୁଃଭାଗ୍ୟର ବିଷୟ ସରକାରଙ୍କ ଉଦାସୀନତା ଓ କିଛି ଜମି ମାଫିଆଙ୍କ ଚକ୍ରାନ୍ତ ଯୋଗୁଁ ଆଜି ସେହି ପୂଣ୍ୟତୋୟା ପ୍ରାଚୀ ନଦୀ ବିଲୁପ୍ତପ୍ରାୟ । ଦଳରେ ଭର୍ତ୍ତି ହୋଇ ଖୋଜୁଛି ନିଜର ଅସ୍ଥିତ୍ବ । କଟକ,ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଦେଇ ପ୍ରବାହିତ ପ୍ରାଚୀ ନଦୀ ଗଙ୍ଗାନଦୀ ଠାରୁ ମଧ୍ୟ ଅଧିକ ପୁରାତନ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଶ୍ରୀ ଜଗନ୍ନାଥଙ୍କ ମାମୁଁ ଘର କୁହା ଯାଉଥିବା ମାଧବ ମନ୍ଦିର, ରାଜ୍ୟର ଅଷ୍ଟଚଣ୍ଡିଙ୍କ ମଧ୍ୟରେ ସ୍ଥାନ ପାଇଥିବା କାକଟପୁରର ମଙ୍ଗଳା ମନ୍ଦିର, ପ୍ରସିଦ୍ଧ ବୌଦ୍ଧପୀଠ କୁରୁମ, ଚଉରାଶିର ବଜ୍ର ବରାହୀ ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର, ଶ୍ରୀ ଜିୟୁ ମାନଙ୍କ ଏନ୍ତୁଡ଼ିଶାଳ ଦେଉଳି ମଠ, ନୂଆସାତଙ୍କ ର ପଶ୍ଚିମାଭିମୁଖୀ ନାରାୟଣୀ ଦୂର୍ଗା ମନ୍ଦିର ପ୍ରଭୃତି ପ୍ରାଚୀନଦୀ କୂଳରେ ଅବସ୍ଥିତ ।ପ୍ରାଚୀ ନଦୀର ତ୍ରିବେଣୀ ଘାଟ, ଗୋ ତୀର୍ଥ ଘାଟ, ବିଶ୍ଵାମିତ୍ର ଆଶ୍ରମ ଘାଟରେ ବର୍ଷ ସାରା ଶ୍ରଦ୍ଧାଳୁ ମାନେ ନିଜ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିଥାନ୍ତି। ଏକଦା କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଜୀବନରେଖା ଥିଲା ପ୍ରାଚୀ ନଦୀ। ମହାନଦୀରୁ ଉତ୍ପତ୍ତି ହୋଇଥିବା ପୂଣ୍ୟତୋୟା ପ୍ରାଚୀନଦୀ ଓଡିଆ ଜାତିର ନୌବାଣିଜ୍ୟର ମଧ୍ୟ ମୂକସାକ୍ଷୀ । ଅତୀତରେ ଜଳପଥରେ ଗମନାଗମନ, ବାଣିଜ୍ୟ ଓ ପରିବହନ ପାଇଁ ପ୍ରାଚୀ ନଦୀର ଭୂମିକା ରହିଥିଲା ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ପ୍ରାଚୀଗବେଷକ ଡ଼ଃ ତ୍ରିନାଥ ପଟ୍ଟନାୟକ। ସାଧବ ଓ ବଣିକ ମାନେ ପ୍ରାଚୀ ନଦୀର ଜଳପଥ ଦେଇ ସମୁଦ୍ରକୁ ପ୍ରବେଶ କରି ସୁଦୂର ବାଲି, ସୁମାତ୍ରା ଓ ସିଂହଳ ଦେଶକୁ ଯାଇ ବାଣିଜ୍ୟ ବ୍ୟବସାୟ କରୁଥିଲେ । ପ୍ରାଚୀ ଉପତ୍ୟକାର ବିଭିନ୍ନ ସ୍ଥାନରେ ଇନଟାକ ପକ୍ଷରୁ ଖନନ ବେଳେ ପୁରାତନ ସଭ୍ୟତାର ସନ୍ଧାନ ମିଳିଥିଲା। ଏହି ସବୁ ସ୍ଥାନକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରି ଏକ ପର୍ଯ୍ୟଟନ ସର୍କିଟ କରାଗଲେ ଦେଶ ବିଦେଶ ଓ ରାଜ୍ୟର ହଜାର ହଜାର ଯାତ୍ରୀ ପର୍ଯ୍ୟଟକ ଏଠାକୁ ଆସି ଅତୀତ ଓଡ଼ିଶାର ଇତିହାସ ସଂପର୍କରେ ଜାଣି ପାରିବା ସହିତ ଧାର୍ମିକ ସ୍ଥଳୀ ଗୁଡ଼ିକୁ ଭ୍ରମଣ କରି ନିଜ ଚିତ୍ତ ବିନୋଦନ କରି ପାରନ୍ତେ। ଏହି ଅଞ୍ଚଳର ଅଧିବାସୀ ମାନଙ୍କ ଆର୍ଥିକ ପରିସ୍ଥିତି ସୁଦୃଢ ହେବା ସହିତ ସତ୍ତା ହରାଇବାକୁ ବସିଥିବା ପୁରାତନ ପୀଠ ଗୁଡ଼ିକର ମଧ୍ୟ ଉନ୍ନତି ଓ ରକ୍ଷଣାବେକ୍ଷଣ ହୋଇପାରନ୍ତା। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ନିମାପଡ଼ାର ବିଧାୟିକା ହୋଇଥିବାରୁ ଓ ତାଙ୍କ ଜନ୍ମ ସ୍ଥାନ ପ୍ରାଚୀ ନଦୀ କୁଳସ୍ଥ ନିଭରଣ ଗାଁ ହୋଇ ଥିବାରୁ ଏ ଦିଗରେ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।