ଯୁବ ସାମ୍ବାଦିକ ସଂଘର ୧୪ତମ ବାର୍ଷିକ ଉତ୍ସବ ପାଳିତ

କଟକ, (ଦୀପକ କୁମାର ବେଉରା):ଓଡ଼ିଶା ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଚର୍ତୁଦ୍ଦଶ ବାର୍ଷିକ ଉତ୍ସବ ସହିତ ଓଡ଼ିଶା ପ୍ରତିଭା ଓ ଗୌରବ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। କଟକ ସ୍ଥିତ ସ୍ଥାନୀୟ ମେରିଟାଇମ ମ୍ୟୁଜିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣାତ୍ମକ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଭାବେ ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ତଥା ପୂର୍ବତନ ମାନବାଧିକାର କମିଶନ ଜଷ୍ଟିସ ବୀରକିଶୋର ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ବିଗତ ଏକ ଦଶନ୍ଧି ମଧ୍ୟରେ ରାଜ୍ୟରେ ଘରୋଇ ଶିକ୍ଷାନୁଷ୍ଠାନ ତା’ର କାୟା ବୃଦ୍ଧି କରିଚାଲିଛି । ଅତୀତ ରେ ସମସ୍ତେ ସରକାରୀ ଶିକ୍ଷାନୁଷ୍ଠାନ ଉପରେ ନିର୍ଭରଶୀଳ ଥିଲେ । ସେଠାରୁ ଉତ୍ତୀର୍ଣ୍ଣ ହୋଇ ସମାଜର ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ ହେଉଥିଲେ । କିନ୍ତୁ ସମୟର ପରିବର୍ତ୍ତନରେ ଆଜି ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି । ଏବେ ଅଧିକାଂଶ ଅଭିଭାବକ ସରକାରୀ ଶିକ୍ଷାନୁଷ୍ଠାନ ଅପେକ୍ଷା ଘରୋଇ ଶିକ୍ଷାନୁଷ୍ଠାନ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି । ତେଣୁ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ବ୍ୟବସାୟିକ ମନୋବୃତ୍ତିକୁ ପରିହାର କରି ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରନ୍ତୁ । ଫଳରେ ସାମଗ୍ରିକ ଭାବରେ ଶିକ୍ଷାର ସ୍ତର ଉନ୍ନତ ହେବା ସଙ୍ଗେ ସଙ୍ଗେ ଦେଶର ଭବିଷ୍ୟତ ଉନ୍ନତ ହେବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ବାରବାଟୀ କଟକ ବିଧାୟକ ଇଂ.ମହମ୍ମଦ ମୋକିମ୍‌, ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, ନିରାମୟ ଉପଦେଷ୍ଟା ଡ.ରଞ୍ଜନ କୁମାର ବିଶ୍ୱାଳ, ବିଶିଷ୍ଟ ସମାଜସେବୀ ସୁଚିସ୍ମିତା ପୃଷ୍ଟି, ଶିଳ୍ପଦ୍ୟୋଗୀ ସୁନୀଲ୍ କୁମାର ମୁରାରକା, ବିଶିଷ୍ଟ ନ୍ୟୁରୋସର୍ଜନ ଡାକ୍ତର ସାମି ସଲିମ୍‌, ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ‘ବର୍ତ୍ତମାନ ଓଡ଼ିଶାରେ ଶିକ୍ଷାର ସ୍ତର ଓ ଏହାର ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ରରେ ନିଜସ୍ୱ ମତ ରଖିଥିଲେ । ଓଡ଼ିଶାରେ ଶିକ୍ଷାକ୍ଷେତ୍ର ବିକଶିତ ହେଉଛି ଏହି ଦିଗରେ ସରକାରଙ୍କ ପଦକ୍ଷେପ ସ୍ୱରୂପ ୫ଟି ଅଧୀନରେ ସ୍କୁଲ ଓ କଲେଜର ରୂପାନ୍ତରୀକରଣ କରାଯାଉଛି । ତେବେ ଶିକ୍ଷାର ସ୍ତର ବୃଦ୍ଧି ପାଇଁ ସମ୍ପୃକ୍ତ ସ୍କୁଲ ଓ କଲେଜର ଶିକ୍ଷକଙ୍କ ମଧ୍ୟରେ ୫ଟିର ମାନସିକତା ରହିବାର ନିତାନ୍ତ ଆବଶ୍ୟକ ବୋଲି ସେମାନେ ମତ ଦେଇଥିଲେ । ଏହି ଅବସରରେ ସଂଘ ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍ ତ୍ରିଦେବ ବେହେରା, ମଞ୍ଜୁଶ୍ରୀ ସ୍ୱପ୍ନାମୟୀ ସାହୁ, ଦେବଦତ୍ତ ସ୍ୱାଇଁ, ଦିଲ୍ଲୀପ କୁମାର ମହାରଣା, ସ୍ୱପନ କୁମାର ମିଶ୍ର ଓ ଉଦୀୟମାନ ଶିକ୍ଷାବିତ୍ ସମ୍ୟକ୍ ମହାନ୍ତିଙ୍କୁ ଓଡ଼ିଶା ଶିକ୍ଷାପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଡାକ୍ତର ତ୍ରିଲୋଚନ ପଣ୍ଡା, ଡା. ସାମି ସଲିମ୍‌, ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା, ଡାକ୍ତର ସୁବ୍ରତ ସାମନ୍ତରା, ଡାକ୍ତର ଅଶୋକ କୁମାର ପାଢ଼ୀ ଓ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ସେବା ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯାଇଥିଲା । ସେହିପରି ପୁଲିସ୍ ବିଭାଗରେ ଅମିତାଭ ମହାପାତ୍ର, ଅରୁଣ କୁମାର ସ୍ୱାଇଁ, ତାପସଚନ୍ଦ୍ର ପ୍ରଧାନ, ଦୁର୍ଗେଶନନ୍ଦିନୀ ମହାନ୍ତି, ସୁଧାଂଶୁ ଭୂଷଣ ଜେନା, ରବୀନ୍ଦ୍ର ନାଥ ମେହେରଙ୍କୁ ଓଡ଼ିଶା ଆରକ୍ଷୀ ପ୍ରତିଭା ସମ୍ମାନ-୨୦୨୩ ପ୍ରଦାନ କରାଯାଇଥିଲା । ଆଇନ୍ କ୍ଷେତ୍ରରେ କାର୍ଯ୍ୟକରୁଥିବା ବରିଷ୍ଠ ଆଇନ୍‌ଜୀବୀ ପମି ରଥ, ବିଶିଷ୍ଟ ଆଇନଜୀବୀ ଆଲୋକ ମହାପାତ୍ରଙ୍କୁ ଓଡ଼ିଶା ଆଇନ୍ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଶିଳ୍ପଦ୍ୟୋଗୀ କପିଲ୍ ଖଣ୍ଡେଲୱାଲ୍‌, ମନୋଜ ଅଗ୍ରୱାଲ ଓ ସୁମିତ୍ ଅଗ୍ରୱାଲଙ୍କୁ ଓଡ଼ିଶା ଶିଳ୍ପ ପ୍ରତିଭା ସମ୍ମାନ ପ୍ରଦାନ -୨୦୨୩ କରାଯାଇଥିଲା । ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ଓଡ଼ିଶା ସଂସ୍କୃତି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଏଥି ସହିତ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଥିବା ରକ୍ତଦାନ ଶିବିରରେ ଅଂଶଗ୍ରହଣ କରିଥିବା ସରସ୍ୱତୀ ସାଇନ୍‌ସ କଲେଜ, ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନଙ୍କୁ ରକ୍ତଦାତା ଜୀବନଦାତା ସମ୍ମାନ ପ୍ରଦାନ କରାଯାଇଥିଲା । ଉତ୍ସବ ଦ୍ୱିତୀୟ ପର୍ଯ୍ୟାୟରେ ଆୟୋଜିତ ଶିକ୍ଷା ସମ୍ବନ୍ଧିତ ଆଲୋଚନା ଚ୍ରକରେ ଶିକ୍ଷାବିତ୍ ବିଶ୍ୱଜିତ୍ ତ୍ରିପାଠୀଙ୍କ ସମେତ ସମ୍ବର୍ଦ୍ଧିତ ହୋଇଥିବା ସମସ୍ତ ଶିକ୍ଷା ପ୍ରତିଭାମାନେ ସେମାନଙ୍କ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ତଥା ପ୍ରାକ୍ତନ ସର୍ବୋଚ୍ଚ ଆୟକର କମିଶନର ଶରତ କୁମାର ଦାଶ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଦୀପେଶ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଘର ପ୍ରତିଷ୍ଠାତା ସଭାପତି ପଦ୍ମଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଂଘ ପକ୍ଷରୁ କାର୍ଯ୍ୟକ୍ରମରେ ପୃଷ୍ଠପୋଷକ ଡାକ୍ତର ଦୁର୍ଗାଚରଣ ଦାସ, ଉଲ୍ଲାସ ସେନ, ସୁଧାକର କୁମାର, ଜୀତେନ୍ଦ୍ର ପ୍ରସାଦ, ପାର୍ଥସାରଥୀ ସ୍ୱାଇଁ, ସ୍ନେହାଶିଷ ଦାସ, ବିନୋଦ ଦାସ, ରଶ୍ମୀରଞ୍ଜନ ତ୍ରିପାଠୀ, ସବିତା ମହାନ୍ତି, ପଦ୍ମାଳୟା ବ୍ରହ୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ । ସେହିଭଳି ସଂଧ୍ୟାରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ସଭାରେ ମୁଖ୍ୟଅତିଥି ଭାବେ ନ୍ୟାୟମୂର୍ତ୍ତି ବି.ପି.ଦାସ, ସମ୍ମାନିତ ଅତିଥି ଭାବେ ସିଏମସି ମେୟର ସୁବାସ ସିଂହ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ରାଜ୍ୟ ସୂଚନା କମିଶନ ସୁଶାନ୍ତ ମହାନ୍ତି, ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର, ଡାକ୍ତର ଉମେଶ ରାୟ ପ୍ରମୁଖ ଯୋଗଦେଇଥିଲେ । ଶେଷ ରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଦୀପେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ