ରାସ୍ତାଘାଟ ନଥିବାରୁ ପୁଣି ଦୋଳାରେ ବୁହା ହେଲେ ରୋଗୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ପ୍ରଶାସନିକ ଦୃଷ୍ଟି ନିକ୍ଷେପ ନଥିବା ଯୋଗୁଁ ଦୁର୍ଗମାଞ୍ଚଳ ତଥା ଆଜି ବି ଅପହଞ୍ଚ ଥିବା ଗ୍ରାମାଞ୍ଚଳ ଗୁଡିକର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାରେ ରାସ୍ତାଘାଟ ନଥିବା ଅଞ୍ଚଳ ତଥା ଦୁର୍ଗମା ଅଞ୍ଚଳରେ ଦୈନନ୍ଦିନ ଖଟିଆରେ ବୁହା ହେଉଛନ୍ତି ରୋଗୀ । ଏ କଥା ନୂଆଁ ନଥିଲେ ବି ଘଟଣା ଗୁଡିକ ଲୋକଲୋଚନକୁ ଆସିବା ପରେ ପ୍ରଶାସନର ଆନ୍ତରିକତା ପଦାରେ ପଡୁଛି । ଆଜି ଏପରି ଏକ ଖଟିଆରେ ବୁହା ହୋଇଥିବା ଘଟଣା ଗଜପତି ଜିଲ୍ଲା ଗୋଷାଣି ବ୍ଲକ ରମ୍ପା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗାବାଡ ଗ୍ରାମ୍ୟ ଘାଟି ତଥା ମାଟି ପଥରରେ ରାସ୍ତାରେ ଦେଖିବାକୁ ମିଳିଛି । ଖଟିଆରେ ବୁହା ହୋଇ ଲୋକେ ତଥା ନିଜ ନିଜ ପରିଜନ ମାନେ ଋଗୁଣ ବ୍ୟକ୍ତିଙ୍କୁ ନେବା ଆଣିବା କରୁଛନ୍ତି । ଜରୁରୀ କାଳରେ ଆମ୍ବୁଲାନ୍ସକୁ ଡକାଯାଉଛି ସତ । ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯେତିକି ପାରୁଛି ସେତିକି ଯାଇ ଅଟକୁଛି । ଆମ୍ବୁଲାନ୍ସ ଅଟକିଥିବା ସ୍ଥାନ ପର୍ଯ୍ୟନ୍ତ ଲୋକେ ନିଜ ନିଜ ବ୍ୟବସ୍ଥାରେ ରୋଗୀ ବ୍ୟକ୍ତିଙ୍କୁ ବୋହିଆଣୁଛନ୍ତି ଏବଂ ସୁସ୍ଥ ହେବା ପରେ ମଧ୍ୟ ବୋହି ବୋହି ନେଉଛନ୍ତି । ଆଜି ମଧ୍ୟ ସମାନ ଘଟଣା ଘଟିଛି । ଆମ୍ବୁଲାନ୍ସ ଆସିନପାରି ଅଧା ବାଟରେ ଅଟକି ରହିଥିଲେ । ଶେଷରେ କିଛି ଉପାୟ ନପାଇ ଗାଁର ଯୁବକମାନେ ଏକତ୍ରିତ ହୋଇ ରୋଗୀ ରାଜୁ ଶବରକୁ ଏକ ଭାର ସାହାଯ୍ୟରେ ବୋହି ବୋହି ନେଇଥିଲେ । ଦୀର୍ଘ ଆଠ କିମି ରାସ୍ତା ଅତିକ୍ରମ କରିବା ପରେ ଦେଉଳା ନିକଟରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା । ଗ୍ରାମବାସୀଙ୍କ କହିବା ପ୍ରକାରେ ଗତକାଲି ଠାରୁ ରାଜୁ ଶବରଙ୍କୁ ପ୍ରବଳ ମାତ୍ରାରେ ଜ୍ବର ହୋଇଥିଲା । ହେଲେ ଆଜି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆମ୍ବୁଲାନ୍ସକୁ ଡକାଯାଇଥିଲା । ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଦେଉଳା ଗ୍ରାମ ନିକଟରେ ଅଟକିଥିଲା । ଇତି ମଧ୍ୟରେ ଲୋକେ ଗଙ୍ଗାବାଡ ଗ୍ରାମ ଠାରୁ ଦେଉଳା ଗ୍ରାମ ନିକଟ ପର୍ଯ୍ୟନ୍ତ ଭାର ସାହାଯ୍ୟରେ ବୋହି ବୋହି ନେଇଥିଲା । ପ୍ରକାଶ ଯେ, ଗୋଷାଣି ବ୍ଲକର ରମ୍ପା ପଞ୍ଚାୟତ ଦୁର୍ଗମାଞ୍ଚଳ ତଥା ପାହାଡ ବନଘେରାରେ ଅବସ୍ଥିତ । ଏହି ଗ୍ରାମକୁ ଯିବାକୁ ହେଲେ ଦେଉଳା ଗ୍ରାମ ଠାରୁ ବନ, ଘାଟି, ମାଟି, ପଥୁରିଆ ରାସ୍ତା ଦେଇ ଆଜି ପର୍ଯ୍ୟନ୍ତ ଲୋକେ ଯାତାୟତ କରୁଛନ୍ତି । ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରି ନ ଥିବାରୁ ଲୋକେ ବିପଦଭରା ଘାଟି ତଥା ବନାଞ୍ଚଳ ଦେଇ ଯାତାୟତ କରୁଛନ୍ତି । ରାସ୍ତା ନିର୍ମାଣ ପାଇଁ ବାରମ୍ବାର ବହୁ ଦାବି ହୋଇ ଆସୁଛି । ହେଲେ ପ୍ରଶାସନ ଚୂପଚାପ ରହୁଥିବାରୁ ଆଜିପର୍ଯ୍ୟନ୍ତ ରାସ୍ତାଟିଏ ହୋଇପାରିନି । ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ଗଣ ଗସ୍ତ କରି ରାସ୍ତା ନିର୍ମାଣ ପ୍ରତିଶ୍ରୁତି ଦେଇ ଫେରୁ ଥିବା କଥା କହିଛନ୍ତି ଏହି ଗ୍ରାମାଞ୍ଚଳ ବାସୀ । ପ୍ରଶାସନର ପ୍ରତିଶ୍ରୁତି ପାଣିର ଗାର ସଦୃଶ୍ୟ ପାଲଟିଅଛି ବୋଲି ଗ୍ରାମବାସୀ ମତ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ