ପ୍ରାଥମିକ ଶିକ୍ଷକ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାବ୍ୟାପୀ ୭ ଟି ବ୍ଲକରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ଓଡ଼ିଶା ଙ୍କ ନିର୍ଦ୍ଦେଶ କ୍ରମେ ଫେଡରେଶନ’ର ଗଜପତି ଜିଲ୍ଲା ଶାଖା ପକ୍ଷ’ରୁ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ’ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ମାନେ ସେମାନଙ୍କ ୩ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଦେଇ ବସିଛନ୍ତି ।ଏହି ଆନ୍ଦୋଳନ’ରେ ଗଜପତି ଜିଲ୍ଲା’ର ସମସ୍ତ ବ୍ଲକ୍ ସଦର ମହକୁମା ସ୍ଥିତ ବ୍ଲକ୍ ବିଇଓ:ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମୂହ ଛୁଟି ନେଇ କାର୍ଯ୍ୟବନ୍ଦ କରି ଧାରଣା’ରେ ବସିଥିବା ବେଳେ ଜିଲ୍ଲା’ର କାଶୀନଗର ବ୍ଲକ୍ ସଦର ମହକୁମା କାଶୀନଗର ସ୍ଥିତ ଗୋଷ୍ଠୀ ଶିକ୍ଷା ଅଧିକାରୀ’ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୯୪ ଟି ବିଦ୍ୟାଳୟ’ର ୧୯୭ ଜଣ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟବନ୍ଦ କରି ଧାରଣାରେ ବସିଛନ୍ତି ।ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ସୁମନ୍ତ ଚିନ୍ତଡା ଓ ଉପସଭାପତି ଶ୍ରୀମତୀ ସସ୍ମିତା ପାଣିଗ୍ରାହୀ ଏ ସମ୍ପର୍କରେ ଅଭିଯୋଗ କରି କହିଛନ୍ତି ଯେ , ସରକାର’ଙ୍କୁ ଆମେ ବାରମ୍ବାର ଆମର ନ୍ୟାଯ୍ୟ ଦାବୀ ପୂରଣ ନେଇ ଜଣାଇ ଆସିଛୁ , ହେଲେ ରାଜ୍ୟ ସରକାର ଏ ଦିଗରେ କୌଣସି କର୍ଣ୍ଣପାତ କରି ନାହାନ୍ତି ।ଆମର ୩ ଗୋଟି ମୁଖ୍ୟ ଦାବୀ ହେଲା ଯେ , ଠିକା ନିଯୁକ୍ତି ରଦ୍ଦ କରିବା , ଇଂକ୍ରିମେଣ୍ଟ ପ୍ରଦାନ କରିବା , ଦରମା ହାର ୪୨୦୦ ଗ୍ରେଡ ପେ ପ୍ରଦାନ କରିବା ସହ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା , ନୂତନ ପେନସନ କୁ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା , ଏ ସବୁ ଆମର ମୁଖ୍ୟ ଦାବୀ । ରାଜ୍ୟ ସରକାର ଆମର ଏ ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ଆମେ ଆମର ଆନ୍ଦୋଳନରୁ ଓହରିବୁ ନାହିଁ ବୋଲି କହିଛନ୍ତି ।ଏ ଦିଗରେ କାଶୀନଗର ବିଇଓ: ଶ୍ରୀ ଆଦିକନ୍ଦ ଗମାଙ୍ଗ କହିଛନ୍ତି , ଯେ , ଶିକ୍ଷକ ମାନଙ୍କ ଆନ୍ଦୋଳନ ଯୋଗୁ ବ୍ଲକର ସମସ୍ତ ବିଦ୍ୟାଳୟ ପାଠପଢା କ୍ଷେତ୍ରରେ ବିଶେଷ ଭାବେ ପ୍ରଭାବିତ ହୋଇଛି ବିଦ୍ୟାଳୟ ନିୟମିତ ଶିକ୍ଷା ଦାନ ଚାଲିଥିଲେ ମଧ୍ୟ ସେଥିରେ ଠିକ୍ ଭାବେ ଶିକ୍ଷାଦାନ ହୋଇ ପାରୁନି । ମଧ୍ୟାହ୍ନ ଭୋଜନ ଚାଲିଛି । ଗତ ୮ ତାରିଖ ଦିନ ଏନପିଏସ: ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ଏବଂ ଆଜି ଏସ-କେଡର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପକ୍ଷରୁ ସେମାନଙ୍କ ସ୍ମାରକ ପତ୍ର ମୋତେ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ , ଶିକ୍ଷକ ମାନଙ୍କ ଆନ୍ଦୋଳନ ଯୋଗୁଁ ଜିଲ୍ଲାରେ ୭ ଟି ବ୍ଲକରେ ଥିବା ବିଦ୍ୟାଳୟର ଶିକ୍ଷାଦାନ ଘୋର ପ୍ରଭାବିତ ହୋଇଛି । ଏହି ଆନ୍ଦୋଳନରେ ଜିଲ୍ଲାର ୧୬୦୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିବା ଯୋଗୁଁ ଜିଲ୍ଲାର ୩୫୪ ଟି ବିଦ୍ୟାଳୟ’ର ଶିକ୍ଷାଦାନ ପ୍ରଭାବିତ ହୋଇଥିବା ଜଣାଯାଇଛି । ଏମିତିକି , ଅଧିକାଂଶ ବିଦ୍ୟାଳୟରେ ୧ ରୁ ୫ମ ଏବଂ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ସେଠାରେ ଗୋଟିଏ ଶ୍ରେଣୀ କକ୍ଷରେ ୫ ଟି ଶ୍ରେଣୀ ପିଲାଙ୍କୁ ବସାଇ ପାଠ ପଢା ଚାଲିଥିବା ବେଳେ ୫ ରୁ ୮ମ ଶ୍ରେଣୀ ପିଲା ଖାଲିରେ ବସି ରହୁଥିବା ଦେଖିବାକୁ ମିଳିଛି।କାଶୀନଗର ବ୍ଲକ୍ ସଭାପତି ଶ୍ରୀ ବି: ଗୋପାଳ ରାଓ , ଆବାହକ ଶ୍ରୀ ମୋହନ ରାଓ , କାର୍ଯ୍ୟକାରୀ ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର ପାତ୍ର , ସମ୍ପାଦକ ଶ୍ରୀ ଗଣେଶ ପାଣିଗ୍ରାହୀ , ଉପଦେଷ୍ଟା ଶ୍ରୀ ବସନ୍ତ ମିଶ୍ର , ସଂଗଠନ ସମ୍ପାଦିକା ଶ୍ରୀମତୀ ଜୟଶ୍ରୀ ଆଲୁ ଏବଂ ବରିଷ୍ଟ ଶିକ୍ଷକ ଶ୍ରୀ ମୁନାଭାଇ ଆଚାର୍ଯ୍ୟ ପ୍ରମୁଖ’ଙ୍କ ନେତୃତ୍ୱ ଓ ପରିଚାଳନା’ରେ ଏହି ଆନ୍ଦୋଳନ ଆଗେଇ ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ