ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନ ପାଇଁ ଜାରି ହେଲା ନୋଟିସ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନ ପାଇଁ ସୋମବାର  ତାରିଖ ଘୋଷଣା ହୋଇଥିବା ସହ ନୋଟିସ ଜାରି ହୋଇଛି।  ବ୍ଲକ ରାଜନୀତି ଚଳଚଞ୍ଚଳ ହୋଇପଡିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି ।  ରାଜ୍ୟ ନିର୍ବାଚନ କମିଶନଙ୍କ ଚିଠି ନଂ. ୩୧୮୭ ପ୍ରକାରେ ଆସନ୍ତା ଅକ୍ଟୋବର ୪ ରେ ଅଧ୍ୟକ୍ଷ ଉପ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଦିଗପହଣ୍ଡି ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ ସୂଚନା ଦେଇଛନ୍ତି । ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀଙ୍କ ଅକାଳ ବିୟୋଗ ପରେ ପଦବୀ ଖାଲି ପଡିଥିଲା। ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଙ୍କ ଚିଠି ନଂ. ୨୮୨୪ ଅନୁସାରେ ଗତ ଅଗଷ୍ଟ ୩୧ ତାରିଖରେ ନିର୍ବାଚନ ପାଇଁ ଘୋଷଣା ହୋଇଥିଲା । ଦିଗପହଣ୍ଡି ବ୍ଳକରେ ୨୫ ଜଣ ନିର୍ବାଚିତ ସମିତି ସଭ୍ୟ ରହିଥିବା ବେଳେ ନିମଖଣ୍ଡିପେଣ୍ଠ ସମିତି ସଭ୍ୟ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଧରାପଡ଼ି ଜେଲ ରେ ରହିଛନ୍ତି । ଏପରି ପରିସ୍ଥିତିରେ ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ଙ୍କ ଗୋଷ୍ଠୀରେ ୧୪ ଜଣ ଓ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ଙ୍କ ଗୋଷ୍ଠୀରେ ୧୦ ଜଣ ସମିତି ସଭ୍ୟ ରହିଥିବା ଚର୍ଚ୍ଚା ହେଉଛି। ସମସ୍ତ ସମିତି  ସଭ୍ୟା ଓ ସଭ୍ୟ ଗୋପନ ରେ ରହିଥିବା ରୁ  ସମଗ୍ର ବ୍ଳକରେ ଏନେଇ ନାନା ଚର୍ଚ୍ଚା ଲାଗିରହିଛି ।  ଗତ ଅଗଷ୍ଟ ୩୧ ତାରିଖ ରେ ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ବିପିନ ଙ୍କ ସମର୍ଥକ ୧୪ ଜଣ ସମିତି ସଭ୍ୟ ନିର୍ବାଚନ କେନ୍ଦ୍ରକୁ ଯାଇଥିବା ବେଳେ ବିପ୍ଳବ ଗୋଷ୍ଠୀର କୌଣସି ସମିତି ସଭ୍ୟଙ୍କ ଦେଖା ମିଳିନଥିଲା । ପରବର୍ତ୍ତୀ ସମୟରେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ତଥା ସମିତି ସଭ୍ୟ ଅପହରଣ ଦର୍ଶାଇ ନିର୍ବାଚନ ସ୍ଥଗିତ କରାଯାଇଥିଲା ।  ଏପଟେ ଦିଗପହଣ୍ଡି ଥାନାରେ ସମିତି ସଭ୍ୟ ଅପହରଣ ଘଟଣାକୁ କେନ୍ଦ୍ର କରି ମାମଲା ରୁଜୁ ହୋଇଥିବା ବେଳେ  ସମିତି ସଭ୍ୟ ମାନେ ନିନ୍ଦା କରିବା ସହ ଆମେ ସୁରକ୍ଷିତ ରହିଥିବା ନେଇ ଭିଡିଓ ବାର୍ତ୍ତା  ମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ।  ହାଇକୋର୍ଟ ଙ୍କ ନିର୍ଦ୍ଦେଶକ୍ରମେ ଆଦେଶ ସଂଖ୍ୟା ୨୯୪୫୭ ପ୍ରକାରେ ଆସନ୍ତା ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ସାରିବା ପାଇଁ ନିର୍ଦ୍ଦେଶ ଜାରି ହେବା ପରେ ଶେଷରେ ସୋମବାର  ଉପ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିବା ଜଣାପଡିଛି  । ଏନେଇ ଆସନ୍ତା ୨୬ ତାରିଖରେ ବ୍ଳକ କାର୍ଯ୍ୟାଳୟରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅକ୍ଟୋବର ୪ ସକାଳ ୧୦ ଟା ସମୟରେ ଅଧ୍ୟକ୍ଷ ପଦବୀ ନିମନ୍ତେ ନାମାଙ୍କନ  ଦାଖଲ , ୧୧ ଟାରୁ ଯାଞ୍ଚ , ୧୨ ଟା ପୂର୍ବରୁ ପ୍ରତ୍ୟାହାର , ସାଢେ ୧୨ ଟାରୁ ୨ ଟା ମଧ୍ୟରେ ମତଦାନ ପ୍ରକ୍ରିୟା ହେବ ବୋଲି ଚିଠି ରେ ପ୍ରକାଶ ପାଇଛି । ପରିଶେଷରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା କରାଯିବ ବୋଲି ବିଡ଼ିଓ  ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଏହି ଉପ ନିର୍ବାଚନ ଶୃଙ୍ଖଳିତ ଭାବେ ହେବ ନା ପୁଣିଥରେ କୌଣସି କାରଣ ଦର୍ଶାଇ ନିର୍ବାଚନ ସ୍ଥଗିତ ହେବ ସେନେଇ  ସାଧାରଣ ରେ ନାନା ଚର୍ଚ୍ଚା ଜୋର ଧରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ