ଗଞ୍ଜାମ ଜିଲ୍ଲାର ପନିପରିବା ହବ୍ ପାଲଟିଛି ହିଞ୍ଜିଳିକାଟୁ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପନିପରିବା ପାଇଁ ଗଞ୍ଜାମ ଜିଲ୍ଲାର ହବ୍ ପାଲଟିଛି ହିଞ୍ଜିଳିକାଟୁ ସହର । ଚଳିତ ଋତୁରେ ହିଞ୍ଜିଳିକାଟୁ ଅଞ୍ଚଳରୁ ପର୍ଯ୍ୟାପ୍ତ ପରିମାଣରେ ସବୁଜ ପନିପରିବା ଅମଳ କରାଯାଇ ଗଞ୍ଜାମ ଜିଲ୍ଲା ସମେତ ନିକଟସ୍ଥ ଜିଲ୍ଲାକୁ ପ୍ରଚୁର ପରିମାଣରେ ସବୁଜ ପନିପରିବା ରପ୍ତାନି କରାଯାଉଛି । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳ ପନିପରିବା ଫସଲ ସକାଶେ ଖ୍ୟାତି ଅର୍ଜନ କରିଛି । ହିଞ୍ଜିଳିକାଟୁ ଅଞ୍ଚଳରୁ ବିଭିନ୍ନ ପ୍ରକାର ପନିପରିବା ଆମଦାନୀ ପରେ ଗଞ୍ଜାମ ଜିଲ୍ଲା ସମେତ ଫୁଲବାଣୀ, ଗଜପତି ଜିଲ୍ଲା ସମେତ ନିକଟସ୍ଥ ଅଞ୍ଚଳକୁ ରପ୍ତାନି କରାଯାଇଥାଏ । ହିଞ୍ଜିଳିକାଟୁ ବ୍ଳକ ବୁରୁପଡ଼ା, ଖଣ୍ଡରା, ଚାନ୍ଦୁଲି, ଶାସନଆମ୍ବଗାଁ, ଖରିଡା, ଆଲପୁର, ସିକିରି ରାଳବ ପଞ୍ଚାୟତର ବହୁ ପନିପରିବା ଅମଳ କରାଯାଇଥାଏ । ସଂପୃକ୍ତ ଅଞ୍ଚଳର ଚାଷୀ ମାନେ ଋଣ କରଜ କରି ଲଗାଇଥିବା କୋବି ଚାଷରେ ଏକର ପିଛା ୪୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି କୋବି ଅମଳ କରିଥିବା ବେଳେ ବର୍ତ୍ତମାନ ଫୁଲ ଓ ବନ୍ଧା କୋବିର ଚାହିଦା ବହୁ ନିମ୍ନସ୍ତରକୁ ଖସି ଆସିଛି ।ବର୍ତ୍ତମାନ ସଂପୃକ୍ତ ଅଞ୍ଚଳର ଚାଷୀକୂଳ ହଜାର ହଜାର ଟଙ୍କାର କୋବି ଫସଲ ଜମିରେ ପଡ଼ିରହିଛି । ଚାଷୀ ଏବେ ନିଜର ଅମଳ କରିଥିବା ଫୁଲ ଓ ବନ୍ଧା କୋବି କାଟି ଜମିରେ ରଖିଛି । କୋବି ବିକ୍ରୟ କଲେ ଦର କିଲୋ ପିଛା ୧୦ ଟଙ୍କାରେ ବିକ୍ରି କରୁଥିବା ବେଳେ କୋବି ଚାଷୀ ମାନେ କରଜ କରି ହଜାର ହଜାର ଟଙ୍କାର ବିହନ ଲଗାଇ ଫସଲ ଆଦାୟର ମୂଲ୍ୟ ପାଇନାହାନ୍ତି । ଯାହା ଫଳରେ ହଜାର ହଜାର ଚାଷୀ ଜମିରେ କୋବି ଅମଳ ପରେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଗୁରୁବାର ହିଞ୍ଜିଳିକାଟୁ ପରିବା ଖୁଚୁରା ବଜାରରେ ଦର ଫୁଲକୋବି ୧୫, ବନ୍ଧାକୋବି ୧୦, ବିନସ୍ ୪୦, ଟମାଟ ୧୨, ବାଇଗଣ ୧୫, ଭଣ୍ଡା ୧୦, କୁନ୍ଦୁରି ୧୫, ଖୋସୋଡା ଶାଗ ବିଡା ୫, ମୁଳା ବିଡା ୫, ଗାଜର ୨୦ରୁ ୨୫, ଗ୍ରୀନ୍ ମଟର ୫୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଚାଷୀ ଅମଳ ଫସଲର ଉଚିତ ଦର ପାଉନଥିବା ବେଳେ ଖାଉଟି କିନ୍ତୁ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି । ଶହେ ଟଙ୍କାରେ ବ୍ୟାଗ ଭର୍ତ୍ତି କରି ଘରକୁ ଫେରୁଛି । ଏଭଳି ସମୟରେ ଗରିବ, ଖଟିଖିଆ ମାନେ ଆନନ୍ଦ ମନରେ ମନଭରି ବେଶ୍ କିଛି ପରିମାଣରେ ପନିପରିବା ଖାଇପାରୁଥିବା ଜଣାପଡିଛି । ବୁରୁପଡ଼ା ପଞ୍ଚାୟତର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଚାଷୀ କୋବି ଚାଷ କରିଥିବା ଜଣାପଡ଼ିଛି । ବୁରୁପଡ଼ା ପଂଚାୟତର ପ୍ରତାପ ମଲ୍ଲିକ, ବାୟା ସେଠି, ଅଭି ସାମଲ, ବୁଦ୍ଧିଆ ସ୍ୱାଇଁ, ହନୁ ସାମଲ ପ୍ରମୂଖ ଚାଷୀ ମାନେ ନିଜ ନିଜର ପ୍ରାୟ ୨ ଏକର ଜମିରେ ପ୍ରାୟ ୪୦ ହଜାର ଟଙ୍କା ବିନିଯୋଗ କରି କୋବି ଚାଷ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ ହଜାର ଟଙ୍କା ମଧ୍ୟ ଉପାର୍ଜନ କରିନଥିବା କହିଛନ୍ତି । ପୁଲକୋବି ବିହନ ମଞ୍ଜି ୧୦ ଗ୍ରାମ ପିଛା ୪ ଶହ ଟଙ୍କା ଦେଇ କିଣିବା ପରେ ସାର ପିଡ଼ିଆ ପକାଇବାକୁ ପଡ଼ିଥାଏ । ପରବର୍ତ୍ତୀ ସମୟରେ ଅମଳ କରାଯାଇଥିବା କୋବି ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିବା ଲାଗି କିଟନାଶକ ଔଷଧ ପ୍ରୟୋଗ କରାଯାଇଥାଏ । ପରିବାରର ୩ରୁ ୪ ଜଣ ସଦସ୍ୟ ପରିଶ୍ରମ କରି ଫସଲ ଉପୁଜାଇଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ