ଲୋପ ପାଇବାକୁ ବସିଲାଣି ଦେଶୀ ମାଛ ଚାଷ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଖାଉଟିଙ୍କ ଆବଶ୍ୟକତା ଅନୁଯାୟୀ ବଜାରରେ ଦେଶୀ ମାଛ ମିଳୁନି । ଦେଶୀ ମାଛର ଉତ୍ପାଦନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଚାଷୀ ମାନେ ମାଛ ଚାଷ ପ୍ରତି ବିମୁଖ ହୋଇଥିବାରୁ ଏ ପ୍ରକାର ପରିସ୍ଥିତି ଉପୁଜିଛି । ସରକାରଙ୍କ ପକ୍ଷରୁ ମାଛ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ମିଳୁଛି । ମାତ୍ର ସଚେତନତା ଅଭାବରୁ ଚାଷୀ ଏହାକୁ ହାତଛଡ଼ା କରିଛି ବୋଲି ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ବଜାରରେ ଦେଶୀ ମାଛର ଅଭାବ ଆନ୍ଧ୍ରମାଛ ପୁରଣ କରୁଥିବା ଜଣାଯାଇଛି । ମାଛଚାଷ ମାଧ୍ୟମରେ ଲୋକଙ୍କ ଆର୍ଥୀକ ଅବସ୍ଥାରେ ଉନ୍ନତି ଆଣିବାକୁ ସରକାରଙ୍କ ପକ୍ଷରୁ ଉଦ୍ୟମ କରାଯାଇଛି । ତଦନୁଯାୟୀ ମତ୍ସଚାଷୀ ଉନ୍ନୟନ ସଂସ୍ଥା ପକ୍ଷରୁ ସାଧାରଣ ମାଛ ଚାଷ ପାଇଁ ସହାୟତା ପ୍ର୍ରଦାନ କରାଯାଉଛି । ଜଣେ ଚାଷୀ ୩୦ ରୁ ୩୫ ଡେସିମିଲ ଜମିରେ ପୋଖରୀ ଖନନ କରି ମାଛ ଚାଷ କରିପାରିବେ । ଚାଷୀଙ୍କ ୧ ଏକର ପୋଖରୀ ଖନନ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଉଛି । ସାଧାରଣ ବର୍ଗର ଚାଷୀ ପାଇଁ ୨୮ ହଜାର ଟଙ୍କା ଏବଂ ଅନୁସୂଚିତ ଜାତିର ଚାଷୀଙ୍କ ପାଇଁ ୩୫ ହଜାର ଟଙ୍କା ସବସିଡ ରହିଛି । ଚଳିତ ବର୍ଷ ହିଞ୍ଜିଳିକାଟୁ ବ୍ଳକର ୬ ହେକ୍ଟର ଜମିରେ ମାଛ ଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଥି ସକାଶେ ୮ଲକ୍ଷ ୫୦ ହଜାର ଟଙ୍କା ଋଣ ଦିଆଯିବ । ଏହି ଋଣରେ ଶତକଡ଼ା ୫୦ ପ୍ରତିଶତ ସବସିଡ଼ ରହିଛି । ଏହାଛଡ଼ା ସମ୍ବନିତ ମାଛ ଚାଷରେ ଜଣେ ଚାଷୀ ପୋଖରୀ ଖନନ କରି ମାଛଚାଷ କରିବା ସହ ପୋଖରୀ ହୁଡ଼ାରେ ଅମୃତଭଣ୍ଡା, କଦଳୀ ଚାଷ ସହ ମହୁମାଛି ଚାଷ କରିପାରିବେ । ଶଙ୍କର ଜାତୀୟ ଗାଇ ପାଳନ କରିବା ସହିତ ଛତୁଚାଷ ମଧ୍ୟ କରିପାରିବେ । ଗୋଟିଏ ଚାଷରେ ବିଫଳ ହେଲେ ଚାଷୀ ଅନ୍ୟ ଚାଷରୁ ଉପକୃତ ହୋଇପାରିବେ । ଏହି ପ୍ରଣାଳୀରେ ମାଛ ଚାଷ ପାଇଁ ୧ ଲକ୍ଷ ୮୦ ହଜାର ଟଙ୍କା ଏବଂ ଚିଙ୍ଗୁଡ଼ି ଚାଷ ପାଇଁ ୧ ଲକ୍ଷ ୯୨ ହଜାର ଟଙ୍କାର ଋଣ ବ୍ୟବସ୍ଥା ରହିଛି । ଏହି ଟଙ୍କାକୁ ଚାଷୀ ୭ ବର୍ଷ ମଧ୍ୟରେ ପରିଷୋଧ କରିବାର ସୁବିଧା ରହିଛି । ଜାତୀୟ ମିଶନ ଫର୍ ପ୍ରୋଟିନ ସପ୍ଳିମେଂଟ(ଏନଏମପିଏସ) ଯୋଜନାରେ ୧ ହେକ୍ଟର ଜମିରେ ମାଛ ଚାଷ ପାଇଁ ଜଣେ ଚାଷୀଙ୍କୁ ୪ ଲକ୍ଷ ଟଙ୍କା ଋଣ ପ୍ରଦାନର ବ୍ୟବସ୍ଥା ରହିଛି । ଚାଷୀ ପୋଖରୀ ଖନନ କରିବା ସହ ଅତ୍ୟାଧୁନିକ ପ୍ରଣାଳୀରେ ଯାଅଁଳ ସୃଷ୍ଟି କରି ମାଛ ଚାଷ କରିପାରିବେ । ଚାଷୀଙ୍କ ବାର୍ଷିକ ୫୦ କୁଇଣ୍ଟାଲ ମାଛ ଉତ୍ପାଦନ କରିବାର କ୍ଷମତା ରହିବା ଆବଶ୍ୟକ । ଏହା ହେଲେ ଚାଷୀ ଋଣ ଟଙ୍କା ୪୦ ପ୍ରତିଶତ ସବସିଡ଼ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବ ବୋଲି ଦର୍ଶାଯାଇଛି । ଚାଷୀ ଠିକ ପରିମାଣରେ ମାଛ ଉତ୍ପାଦନ କରିପାରୁଛି କି ନାହିଁ ଏକ ଯାଞ୍ଚ କମିଟି କ୍ଷେତ୍ର ପରିଦର୍ଶନରେ ଯିବେ । ବ୍ୟାଙ୍କରୁ ଋଣ ନନେଇ ଯେଉଁ ଚାଷୀ ନିଜ ଅର୍ଥରେ ଚାଷ କରି ସଫଳତା ପାଇବେ ସେ ମଧ୍ୟ ସବସିଡ଼ ପାଇବାକୁ ଯୋଗ୍ର ବିବେଚିତ ହେବେ ବୋଲି ଜଣାଯାଇଛି । ଏହାଛଡ଼ା ମତ୍ସଜୀବୀ ଉନ୍ନୟନ ଯୋଜନାରେ ମଧ୍ୟ ଜଣେ ମାଛ ବ୍ୟବସାୟୀଙ୍କୁ ୫ ହଜାର ଟଙ୍କା ଋଣ ପ୍ରଦାନ କରାଯାଉଛି । ଏହି ଅର୍ଥରେ ଚାଷୀ ସାଇକେଲ ଓ ମାଛ ବୁହା ପେଟି କ୍ରୟ କରି ବ୍ୟବସାୟ କରିପାରିବ । ସେହି ଚାଷୀଙ୍କୁ ୨ ହଜାର ଟଙ୍କାର ସବସିଡ଼ର ବ୍ୟବସ୍ଥା ରହିଛି । ମାଛ ଚାଷୀ ପାଇଁ ଚାଷୀ ମାନଙ୍କୁ ବହୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଥିଲେ ମଧ୍ୟ ବିଗତ ୫ ବର୍ଷ ମଧ୍ୟରେ ହିଞ୍ଜିଳିକାଟୁ ବ୍ଳକରେ ମାଛ ଚାଷରେ ବିଶେଷ ଅଗ୍ରଗତି ଘଟିପାରିନାହିଁ । ଦେଶୀ ମାଛର ଉତ୍ପାଦନ ହ୍ରାସ ପାଇଛି ଏବଂ ଆନ୍ଧ୍ର ମାଛ ଖାଉଟିର ଅନିଛା ସତ୍ତ୍ୱେ ଆବଶ୍ୟକତା ମେଣ୍ଟାଇ ନିଜର ସ୍ଥିତି ସୁଦୃଢ କରିପାରଛି । ବିଭିନ୍ନ ସମୟରେ କର୍ମଶାଳା ମାଧ୍ୟମରେ ଲୋକ ମାନଙ୍କୁ ଏ ସମ୍ପର୍କରେ ସଚେତନ କରାଗଲେ ମାଛ ଚାଷ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ