ପିଡ଼ିଏସ ଚାଉଳ ବଣ୍ଟନ ହେଉନଥିବା ପ୍ରତିବାଦ ପଞ୍ଚାୟତ ସମ୍ମୁଖରେ ଧାରଣା ଓ ରାସ୍ତାରୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସରକାର ଗରିବ ଲୋକମାନଙ୍କୁ ମାସକୁ ମାସ ପିଡିଏସ ଚାଉଳ ଯୋଗାଇ ଦେଉଥିବା ବେଳେ କିଛି ରିଟେଲରଙ୍କ ମୁନାଫା ଖୋର ମନୋବୃତି ଯୋଗୁଁ ଏବେ ଅଧିକାଂଶ ପଞ୍ଚାୟତରେ ପିଡ଼ିଏସ ଯୋଗାଣରେ ବ୍ୟାପକ ଅନିୟମିତତା ଦେଖା ଦେଇଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଳିଗାଁ ପଞ୍ଚାୟତରେ। ହାଟଡ଼ିହି ବ୍ଲକ କଳିଗାଁ ପଞ୍ଚାୟତରେ ପିଡ଼ିଏସ ଚାଉଳ ବଣ୍ଟନ ହେଉନଥିବା ପ୍ରତିବାଦରେ କଳିଗାଁ, ଇଚ୍ଛାପୁର, କଇଥଗଡ଼ିଆ, ମୁଦୁଲିପଦା, ବଣିଆରୀ ଆଦି ୫ଟି ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ ପଞ୍ଚାୟତ ସମ୍ମୁଖରେ ଧାରଣା ଦେବାସହ ରାସ୍ତାରୋକ କରିଥିଲେ। ସେମାନଙ୍କ ଅଭିଯୋଗ ଯେ ସରକାର ଜାନୁୟାରୀ ମାସରୁ ପ୍ରତି ହିତାଧିକାରୀଙ୍କୁ ୪ମାସ ପାଇଁ ଚାଉଳ ଯୋଗାଇ ଦେଇଛନ୍ତି। ଏପରିକି ଆଖପାଖ ପଞ୍ଚାୟତ ର ହିତାଧିକାରୀ ମାନେ ୪ମାସର ଚାଉଳ ବଣ୍ଟନ ହୋଇ ସରିବାକୁ ବସିଲାଣି।କିନ୍ତୁ କଳିଗାଁ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଚାଉଳ ବଣ୍ଟନ ହେଉନି। ଚାଉଳ ବଣ୍ଟନ ଦାୟିତ୍ୱ ନେଇଥିବା ଏସ.ଏସ.ଜି ଗ୍ରୁପ ଚାଉଳ ଉଠାଇ ନେଇ ତାଙ୍କ ଘର ଅଁରା ଗ୍ରାମରେ ରଖି ସେହିଠାରେ ଚାଉଳ ବଣ୍ଟନ କରୁଛନ୍ତି। କଳିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ତାଙ୍କ ଘର ୪କିଲୋମିଟର । ତେଣୁ କଳିଗାଁ ପଞ୍ଚାୟତର ଲୋକମାନେ ସେଠାକୁ ଯାଇ ଚାଉଳ ଆଣିବାକୁ ରାଜି ହେଉ ନାହାନ୍ତି। ଗ୍ରାମବାସୀ ମାନଙ୍କୁ ଆଜି ଦେବି କାଲି ଦେବି କହି ସମୟ ଗଡ଼ାଇ ଚାଲିଛନ୍ତି। ଯାହାଦ୍ୱାରା ଲୋକମାନେ ଚାଉଳ ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି। ରବି ନାରାୟଣ ଦାସ ନାମକ ଜଣେ ଭିନ୍ନକ୍ଷମ ଙ୍କ କହିବା ଅନୁଯାୟୀ ସେ ନିଜେତ ଚାଲିପାରୁ ନାହାନ୍ତି, ଏତେ ଦୂର ଯାଇ ଚାଉଳ ଆଣିବେ କିପରି । ଏବେ ବଜାରରେ ୩୦ଟଙ୍କା ରୁ କମ ରେ ଚାଉଳ ମିଳୁନି, ପରିବାର ଲୋକେ ଚଳିବା ପାଇଁ ନାନା ଅସୁବିଧା ଭୋଗୁଛନ୍ତି। ଏହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଓ ଉତେଜନା ପ୍ରକାଶ ପାଇବା ସହ ପରମାନନ୍ଦ ଯେନା, ରବି ନାରାୟଣ ଦାସ,ରଞ୍ଜନ ଯେନା,କୁନି ଜେନା, ଜୁଳ ଜେନା, ତାରାମଣି କାଣ୍ଡି, ଅମ୍ବିକା ସାହୁ, ଲତା ସେଠୀ, ତୁଳ ସେଠୀ, ବାସନ୍ତୀ ସାହୁ ମଞ୍ଜୁ ଜେନା, ତୁଳ ଯେନା, ଅଶାନ୍ତି ଯେନା ଙ୍କ ସମେତ ୫ଟି ଗ୍ରାମର ଦେଢ଼ ଶହରୁ ଉର୍ଦ୍ଧ୍ବ ହିତାଧିକାରୀ ଆଜି ସକାଳ ୯ଟା ଠାରୁ ପଞ୍ଚାୟତ ସମ୍ମୁଖରେ ଧାରଣା ଦେବା ସହ ଓରାଳି ଶାଳଣିଆ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା। ଖବର ପାଇ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଯାଇ ଲୋକମାନେ ଆନ୍ଦୋଳନ ରୁ ଓହରି ଯାଇଥିଲେ। ଏ ସମ୍ପର୍କରେ କଳିଗାଁ ପଞ୍ଚାୟତ ର ସରପଞ୍ଚ ସରପଞ୍ଚ ହେମଲତା ଯେନା କହିଛନ୍ତି ଯେ ଯୋଗାଣ ବିଭାଗ ପକ୍ଷରୁ ତାଙ୍କ ପଞ୍ଚାୟତକୁ ସବୁବେଳେ ଅବହେଳା କରାଯାଉଛି। ସେ ସମସ୍ତ ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେବି କିଛି ପଦକ୍ଷେପ ନିଆ ଯାଉନି ବୋଲି କହିଛନ୍ତି। ଏ ସମ୍ପର୍କରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କୁ ପଚାରିବାରେସେ କହିଛନ୍ତି ଯେ ଆଜି ଆଜି ସମ୍ପୃକ୍ତ ରିଟେଲର କୁ ଡାକି ପଚାରିଥିଲେ। କଳି ଗାଁ ପଞ୍ଚାୟତ ରେ ଚାଉଳ ବଣ୍ଟନ କରିବାକୁ ନିଜକୁ ଅସୁରକ୍ଷିତ ମଣି ବଣ୍ଟନ କରିବାକୁ ଭୟ କରୁଥିଲେ। ଆସନ୍ତା କାଲି ଠାରୁ ପୁଲିସ ଉପସ୍ଥିତରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚାଉଳ ବଣ୍ଟନ କରାଯିବ ବୋଲି ନିର୍ଦେଶ ଦେଇଛନ୍ତି। ଖାଲି ଏହି ପଞ୍ଚାୟତ ନୁହଁ ଅଧିକାଂଶ ପଞ୍ଚାୟତରେ ଏହିପରି ଅବସ୍ଥା ଯୋଗୁ ଏବେ ଅସନ୍ତୋଷ ର ନିଆଁ କୁହୁଳୁଛି। ଆଗାମୀ ଦିନରେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଦେଖାଦେଇଛି। ପ୍ରଶାସନ ଏଥିଲାଗି ଉପଯୁକ୍ତ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ