ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉତ୍ସବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଓଡିଶା ସରକାରଙ୍କ ଭାଷା ଓ ସଂସ୍କୃତି ବିଭାଗ, ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ଶନିବାର ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ମଧ୍ୟରେ ଆୟୋଜିତ ହୋଇଥିଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉତ୍ସବ । ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ ଯାଉଛନ୍ତି ଏହି “ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ” । ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ଉତ୍ସବ ରେ ଓଡ଼ିଆ ଭାଷାର ଉତ୍ତରାଧିକାରୀତ୍ଵ ଏବଂ ପ୍ରାଚୀନ ମୂଳକୁ ପ୍ରତିପାଦିତ କରି ଗର୍ବିତ ଭାବରେ ଓଡ଼ିଆଭାଷାର କେତେଜଣ କବି, ଲେଖକ ଙ୍କ କାଳଜୟୀ କୃତୀତ୍ବ ଏକ ପୁସ୍ତକ ପ୍ରଦର୍ଶନୀ ରେ ପ୍ରଦର୍ଶିତ ହୋଇଥିଲା l ଓଡ଼ିଶାର ସମୃଦ୍ଧ ଐତିହ୍ୟକୁ ପାଳନ କରିବା ପାଇଁ ପରିକଳ୍ପିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ଏହି ଆଲୋଚନାଚକ୍ର ଓ ପ୍ରଦର୍ଶନୀରେ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଓଡ଼ିଆ ପରିଚୟକୁ ପରିଭାଷିତ କରୁଥିବା ସମସ୍ତ ଦିଗ ସହିତ ରାଜ୍ୟର ଯେଉଁ ସାଂସ୍କୃତିକ ମହତ୍ତ୍ଵକୁ ଅନ୍ତର୍ଭୁକ୍ତ କରିଛି ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଓଡ଼ିଶାର ବିବିଧ ତଥା ସ୍ଥାୟୀ ଐତିହ୍ୟର ଏକ ଜୀବନ୍ତ ପ୍ରଦର୍ଶନ ଭାବରେ କାର୍ଯ୍ୟ କରିବା ସହ ଓଡ଼ିଆ ଭଳି ପ୍ରାଚୀନ ଶାସ୍ତ୍ରୀୟ ଭାଷାର ବହୁମୁଖୀ ସ୍ତର ଏବଂ ଏହାକୁ ପ୍ରତିନିଧିତ୍ୱ କରୁଥିବା ସଂସ୍କୃତିକୁ ଏକ ନୂତନ ପରିପ୍ରେକ୍ଷୀରେ ଜାଣିବା ପାଇଁ ଉପସ୍ଥିତ ଅତିଥି ମାନେ ବକ୍ତବ୍ୟ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ହିଞ୍ଜିଳି ଗୋଷ୍ଟୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧକ୍ଷ ଡି ବିଶ୍ଵନାଥ, ଯୋଜନା ବୋର୍ଡ ସଦସ୍ୟ ଏନ ରଘୁନାଥ, ଗଣ୍ଡଳl ସମିତିସଭ୍ୟ ପ୍ରଶାନ୍ତ ସାହୁ ଯୋଗଦେଇଥିଲେ l ଶେଷରେ ଓଡ଼ିଆ ସାହିତ୍ୟ ସଂସ୍କୃତି କଳା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ୨୧ ଜଣଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରା ଯାଇଥିଲା l ଅନୁରୂପ ଭାବେ ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ‌ ପରିସରରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ତତ୍ତ୍ଵାବଧାନରେ ପ୍ରାରମ୍ଭରେ ବହୁ ବୁଦ୍ଧିଜୀବୀ ଓ ଶିକ୍ଷାର୍ଥୀ ମାନେ ସମବେତ ହୋଇ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ପରେ ଅସ୍ମିତା ରଥକୁ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଓଡ଼ିଶା ମୋ ପରିବାର ସମ୍ପାଦକ ନିଳମଣି ପଟ୍ଟନାୟକ, ସାମ୍ବାଦିକ ଦ୍ବିତୀକୃଷ୍ଣ ପଣ୍ଡା, କବି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ନିତ୍ୟାନନ୍ଦ ସାହୁ, କାଉନସିଲର ପ୍ରମୁଖ ଉପସ୍ଥିତ ରହି ସବୁଜ ପତକା ଦେଖାଇ ରଥର ଶୁଭାରମ୍ଭ କରିଥଲେ। ସ୍ଥାନୀୟ ପୌରାଞ୍ଚଳର ବହୁ ସୁନାମଧନ୍ୟ କବି, ଲେଖକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଓଡ଼ିଶାର ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବିଭିନ୍ନ ଅନୁଷ୍ଠାନର ଶିକ୍ଷାର୍ଥୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅନୁରୂପ ଭାବେ ସ୍ଥାନୀୟ ବ୍ଳକର ସମସ୍ତ ପଞ୍ଚାୟତରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ