ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ମାତୃଭାଷା ଓଡ଼ିଆକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବା ସହ ଏହାର ସଂରକ୍ଷଣ କରିବା ନିମନ୍ତେ ଚଳିତ ମାସ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଆୟୋଜିତ କରାଯାଉଅଛି I ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ବିଦ୍ୟାଳୟ, ବ୍ଲକ ଓ ଜିଲ୍ଲାସ୍ତରୀୟ ଉତ୍ସବ ଆୟୋଜିତ କରାଯାଇଛି ଯେଉଁଥିରେ ଦୈନନ୍ଦିନ ଯୋଗାଯୋଗ ପ୍ରକ୍ରିୟା ଏବଂ ଶୈକ୍ଷିକ କାର୍ଯ୍ୟକଳାପରେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା I ଏଥିସହିତ ଓଡ଼ିଆ ଭାଷା ଓ ସଂସ୍କୃତି ସଂରକ୍ଷଣ ତଥା ପ୍ରଚାର ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗର୍ବ ଓ ଦାୟିତ୍ୱବୋଧ ଜାଗ୍ରତ କରିବା ଓ ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଏକତାର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହି ତିନିଦିନିଆ ଉତ୍ସବ ଆୟୋଜିତ ହୋଇଥିଲା I ବାଲେଶ୍ୱର ଜିଲ୍ଲାରେ ମଧ୍ୟ ଅନୁରୂପ ଭାବରେ ଏହି ଜିଲ୍ଲାସ୍ତରୀୟ ଓଡ଼ିଆ ଭାଷା, ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଦୁର୍ଗା ଗାର୍ଡେନ ପରିସରରେ ପୂର୍ବାହ୍ନ ଘ. ୧୦.୩୦ ମି ସମୟରେ ଉଦ୍ଘାଟିତ ହୋଇଥିବା ଏହି ଉତ୍ସବରେ ଚଳିତ ମାସ ୩ ଓ ୪ ତାରିଖରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ତଥା ବ୍ଲକସ୍ତରୀୟ ସ୍ପର୍ଦ୍ଧାରେ କୃତିତ୍ୱ ଅର୍ଜନ କରିଥିବା ୧୨ ଗୋଟି ବ୍ଲକରେ କୃତି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ସଭା ପ୍ରାରମ୍ଭରେ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ମିଳିତ ସ୍ୱରରେ ‘ବନ୍ଦେ ଉତ୍କଳ ଜନନୀ’ସଙ୍ଗୀତ ଗାନ କରିଥିଲେ I ବ୍ଲକ ସ୍ତରରେ ମନୋନୀତ ହୋଇଥିବା ସର୍ବୋତ୍ତମ ପ୍ରକଳ୍ପ ଗୁଡିକ ଆଜିର ଉତ୍ସବରେ ପ୍ରଦର୍ଶିତ କରାଯାଇଥିଲା I ସେହି ଭଳି ପ୍ରତିଯୋଗୀଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ, ସଂସ୍କୃତି ଓ ପରମ୍ପରା ଉପରେ କୁଇଜ, ଚିତ୍ରାଙ୍କନ ଓ ବିତର୍କ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା I ବ୍ଲକ ସ୍ତରରୁ ମନୋନୀତ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କ ଲେଖା, କବିତା, ଚିତ୍ର, ହସ୍ତଶିଳ୍ପ, ପ୍ରକଳ୍ପ ଇତ୍ୟାଦି ପ୍ରଦର୍ଶିତ ହେବା ସହିତ ପ୍ରସିଦ୍ଧ ଓଡ଼ିଆ ପୁସ୍ତକ ଓ ଓଡ଼ିଶାର ବିଭିନ୍ନ କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଏବଂ ଐତିହାସିକ କଳାକୃତିର ପ୍ରଦର୍ଶନ କରାଯାଇଥିଲା I ଉତ୍ସବର ଦ୍ୱିତୀୟାର୍ଦ୍ଧରେ ଅପରାହ୍ନ ଘ.୩ ସମୟରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା I ଏଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଧରଣୀଧର ପାତ୍ର, ସାହିତ୍ୟିକ ଓ ବ୍ୟାକରଣବିତ୍ ଶ୍ରୀ ନିରଞ୍ଜନ ସାହୁ, ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡ଼. ଭାଗବତ ପ୍ରସାଦ ଦାସ, ସାହିତ୍ୟିକ ଶ୍ରୀ ରବୀନ୍ଦ୍ର କୁମାର ବିଶ୍ୱାଳ, ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ କେଶୁ ଦାସ ଓ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ମଞ୍ଚାସୀନ ଥିଲେ I ଜିଲ୍ଲାସ୍ତରୀୟ ବିଭିନ୍ନ ସ୍ପର୍ଦ୍ଧାରେ ସଫଳତା ହାସଲ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ