ହାଇୱା ଧକ୍କା ରେ ଦୋକାନ ଧୂଳିସାତ ଘଟଣା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥର ଚଣ୍ଡୀ ବିରଞ୍ଚିପୁର ଗାଁ ନିକଟରେ ଏକ ଜଳଖିଆ ଦୋକାନକୁ ଧକ୍କା ଦେଇ ଦୋକାନକୁ ଧୂଳିସାତ କରିବା ଘଟଣାରେ କ୍ଷତିପୂରଣ ନଦେଇ ପୁଲିସ ସହଯୋଗରେ ହାଇୱା ଉଠାଇ ନେବାକୁ ବିରୋଧ କରିଛନ୍ତି ପରିବାର ଲୋକେ। ଏପରିକି ଦୋକାନୀ କିଶୋର ଭୋଳ ଓ ତାଙ୍କ ସ୍ତ୍ରୀ ମିତାରାଣୀ ଭୋଳ ଗାଡି ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ସୂଚନା ଅନୁଯାୟୀ ଚଣ୍ଡୀ ବିରଞ୍ଚିପୁର ଗ୍ରାମର କିଶୋର ଭୋଳ ଏଠାରେ ଏକ ଜଳଖିଆ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ଗତ ଶନିବାର ବିଲମ୍ବିତ ରାତିରେ ବାଲିବୋଝେଇ କରି ଦ୍ରୁତଗତିରେ ଯାଉଥିବା ବେଳେ ଏହି ଜଳଖିଆ ଦୋକାନ କୁ ଧକ୍କା ଦେଇ ସମ୍ପୁର୍ଣ୍ଣ ଓଲଟି ପଡିଥିଲା। ଫଳରେ ଦୋକାନ ଟି ଧୂଳିସାତ ହୋଇ ମାଟିରେ ମିଶିଯାଇ ଥିବାବେଳେ ଦୋକାନ ଭିତରେ ଥିବା ଗୋଟିଏ ନୂଆ ସୋ କେଶ, ଫ୍ରିଜର, ଫ୍ରିଜ, ଏକ ସାଇକେଲ ସହିତ ଅନେକ ମିଠା ଓ ମିଠା ତିଆରି ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ଯାହାର କି ଆନୁମାନିକ ମୂଲ୍ୟ ୪ଲକ୍ଷରୁ ଉର୍ଦ୍ଧ ହେବ। ଏପରି ଘଟଣାରେ ଦୋକାନୀ ଜଣକ ମ୍ରିୟମାଣ ହୋଇ ପଡିଛନ୍ତି। ଆଜି ଅପରାହ୍ନରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ଦୁଇଟି ଗାଡି ଉଠା ମେସିନି ଧରି ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଉଠାଇ ଥାନା କୁ ନେଇଯିବାକୁ ବସିଥିବା ବେଳେ କିଶୋରଙ୍କ ପରିବାର ଲୋକେ ବିରୋଧ କରିଥିଲେ। ଏପରିକି କିଛି ଗ୍ରାମବାସୀ ମଧ୍ୟ ପହଞ୍ଚି ତୀବ୍ର ବିରୋଧ କରିବାରୁ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଶୋର ଭୋଳ ଓ ତାଙ୍କ ସ୍ତ୍ରୀ ମିତାରାଣୀ ଭୋଳ ଗାଡି ସମ୍ମୁଖରେ ବସି ରହିବାରୁ ପୁଲିସ ବାଧ୍ୟ ହୋଇ ଫେରିଯାଇଥିଲା। ଖବର ପାଇ ଆନନ୍ଦପୁର ଏସ.ଡି.ପି.ଓ ପ୍ରଶାନ୍ତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ