ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା) :ମାତୃଭାଷା ଓଡ଼ିଆକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବା ସହ ଏହାର ସଂରକ୍ଷଣ କରିବା ନିମନ୍ତେ ଚଳିତ ମାସ ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରଠାରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଆୟୋଜିତ କରାଯାଉଅଛି I ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀକୁ ଶୁଭ ଉଦ୍ଘାଟନ କରିଛନ୍ତି I ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ଜିଲ୍ଲା ସଦର ମହକୁମାସ୍ଥିତ ଶାନ୍ତିକାନନ ପରିସରରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ, ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ବାଲେଶ୍ୱର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ପୌରପାଳିକା ଉପାଧ୍ୟକ୍ଷ କୈଳାଶ ଚନ୍ଦ୍ର ସେଠି, ସଦର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନିତା ବେହେରା, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ I ସମ୍ମିଳନୀ ପାଳନ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ କାର୍ଯ୍ୟ ପରିସରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ଅବଦାନ ଥିବା ମହାପୁରୁଷ ଓ ଖ୍ୟାତନାମା ଲେଖକ ଓ ଲେଖିକାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା I ସଭାପ୍ରାରମ୍ଭରେ ଉପସ୍ଥିତ ଅତିଥିମାନେ ମିଳିତ ସ୍ୱରରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିଥିଲେ I ତତ୍ସହିତ ଏହି ସମୟରେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଅନୁବନ୍ଧିତ ସମସ୍ତ କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ ଭାବରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସମୁହଗାନ କରାଯାଇଥିଲା I ଏହି ସଭାରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ ର ଉଦ୍ଘାଟନ ସମାରୋହର ସିଧା ପ୍ରସାରଣ ଆଭାସୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା I ଉକ୍ତ ସଭାରେ ଓଡିଶାର ମହାନ ଐତିହ୍ୟ ଓ ଓଡ଼ିଆ ଭାଷା ଏବଂ ସାହିତ୍ୟ କ୍ଷେତ୍ରରେ ଆଦର୍ଶ ଅବଦାନ ପାଇଁ ୧୮ ଜଣ ବୟୋଜ୍ୟେଷ୍ଠ ସାହିତ୍ୟାକାରଙ୍କୁ ମଞ୍ଚାସୀନ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ I ଏହି ଅବସରରେ ଶାନ୍ତିକାନନ ପରିସରରେ ଓଡ଼ିଶାର ବରପୁତ୍ରମାନଙ୍କର ଏକ ଫଟୋ ପ୍ରଦର୍ଶନୀ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲା ଯାଇଥିଲା ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଭଲ ପାଉଥିବା ଲୋକମାନଙ୍କୁ ଭାଷା ପ୍ରତି ଆକର୍ଷିତ କରିବ I ଓଡ଼ିଆ ଭାରତର ଷଷ୍ଠ ଶାସ୍ତ୍ରୀୟ ଭାଷା I ଐତିହ୍ୟ ଦୃଷ୍ଟିରୁ ବେଶ ଗୁରୁତ୍ୱ ବହନ କରୁଥିବା ଏଭଳି ଏକ ଭାଷାକୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀ ଓଡ଼ିଆ ଭାଷାର ବ୍ୟାପକତା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ” ବୋଲି ମତପ୍ରକାଶ କରିଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ I ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଫକୀରମୋହନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକ ଯୋଗ ଦେଇ ଥିଲେ I ଉଲ୍ଲେଖ ଯୋଗ୍ୟ ଯେ, ପ୍ରତ୍ୟୁଷରେ ସହରରେ ଅବସ୍ଥାପିତ ମହାପୁରୁଷମାନଙ୍କର ପ୍ରତିମୂର୍ତ୍ତିରେ ବିଶିଷ୍ଟ ଅତିଥି ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା I ଜିଲ୍ଲା ପ୍ରଶାସନ, ପୌରପାଳିକା, ସଦର ବ୍ଲକ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଗଣ, ପ୍ରତିଷ୍ଠିତ ସାହିତ୍ୟିକ/ସାହିତ୍ୟିକା, ଲେଖକ/ଲେଖିକାବୃନ୍ଦ, ଓଡ଼ିଆ ଭାଷା ପ୍ରେମୀ, ସ୍ୱୟଂ ସହାୟକ ଗୋଷ୍ଠୀ ଦଳ, ଗଣମାଧ୍ୟମ ପ୍ରତିନିଧିଗଣ ଓ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ I ଶେଷରେ ସଦର ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସମରଜିତ୍ କର ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ