ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରୁ ଅବସରକାଳୀନ ପ୍ରାପ୍ୟ ପାଇ ନଥିବା କର୍ମଚାରୀଙ୍କର ପ୍ରତୀକ ଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ୍‌ର ଅବସରପ୍ରାପ୍ତ କର୍ମଚାରୀ ସଂଘର ବିଶେଷ ଅଧିବେଶନ ରାଜାବଗିଚା ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସଭାପତି ସାଥୀ ହରିଶ୍ଚନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ସଂଘର ସାଧାରଣ ସମ୍ପାଦକ ସାଥୀ ବାଳକୃଷ୍ଣ ନନ୍ଦ, ଅବସରପ୍ରାପ୍ତ ୬୫ଜଣ କର୍ମଚାରୀଙ୍କର ଅବସରକାଳୀନ ପ୍ରାପ୍ୟ ବ୍ୟାଙ୍କ୍ ଦୀର୍ଘଦିନ ଧରି ଦେଉନଥିବା ବିଷୟ ଉପସ୍ଥାପନ କରିଥିଲେ । ଅବସରକାଳୀନ ପ୍ରାପ୍ୟ ଦେବାପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ ମାନ୍ୟବର ବିଧାୟକ ବାଲେଶ୍ୱର, ବସ୍ତା, ସୋର, ସିମୁଳିଆ, ରେମୁଣା, ଭଦ୍ରକ, ଚାନ୍ଦବାଲି, ବାସୁଦେବପୁର, ଧାମନଗର ଅନୁରୋଧ କରିଥିଲେ ମଧ୍ୟ ତା’ ଉପରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଆଜିପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ସେହିପରି ସମବାୟ ନିବନ୍ଧକ ଅବସରକାଳୀନ ପ୍ରାପ୍ୟ ଦେବାପାଇଁ ବାରମ୍ବାର ନିର୍ଦ୍ଦେଶ ଦେଉଥିଲେ ମଧ୍ୟ ବ୍ୟାଙ୍କ୍ କର୍ତ୍ତୃପକ୍ଷ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି ।ଆଇନ୍‌ଗତ ଭାବରେ କର୍ମଚାରୀ ଅବସର ଏକମାସ ମଧ୍ୟରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ତାଙ୍କର ଅବସରକାଳୀନ ପ୍ରାପ୍ୟ ଦେବାପାଇଁ ଆଇନ୍‌ରେ ଲିପିବଦ୍ଧ ଥିଲେ ମଧ୍ୟ ଜାଣିଶୁଣି ବ୍ୟାଙ୍କ୍ କାର୍ଯ୍ୟକାରୀ କରୁନାହିଁ । ସଂଘ ବାରମ୍ବାର ଆଲୋଚନା କରି ପ୍ରତିଶ୍ରୁତି ପାଇବା ପରେ ମଧ୍ୟ ୬୫ଜଣ ଗରୀବ କର୍ମଚାରୀ ଯେଉଁମାନେ କି ୧୦୦୦ ରୁ ୨୦୦୦ ମଧ୍ୟରେ ପେନ୍‌ସନ୍ ପାଉଛନ୍ତି ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ଦିଆଯାଉନାହିଁ । ଏ ବିଷୟରେ ସବିଶେଷ ଆଲୋଚନା କରାଯାଇ ବ୍ୟାଙ୍କ୍‌ର ଆସନ୍ତା ସାଧାରଣ ପରିଷଦ ବୈଠକ ଦିନ ୬୫ଜଣ ଅବସରକାଳୀନ କର୍ମଚାରୀ ଓ ତାଙ୍କର ପରିବାର ବର୍ଗ ଏକ ଦିନିକିଆ ଧାରଣା କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏହାପରେ ମଧ୍ୟ ଯଦି ସେମାନଙ୍କ ଦାବି ପୂରଣ ନକରାଯାଏ, ସମଗ୍ର ବ୍ୟାଙ୍କ୍‌କୁ ଅଚଳ କରିଦିଆଯିବ । ଏହି ସଭାରେ ସାଥୀ ଜଳଧର ପଣ୍ଡା, ଅଜିତ୍ ହୋତା, ବିଷ୍ଣୁ ମହାନ୍ତି, ଇଙଉଉଈଋୠ ସାଧାରଣ ସଂପାଦକ ଏବଂ ରବୀନ୍ଦ୍ର ବେହେରା, ପୂର୍ବତନ ସଂଘ ସଭାପତି ଆଲୋଚନାରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ