କୋଣାର୍କ ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନଏସି ଅଧିନସ୍ଥ କଲ୍ୟାଣ ମଣ୍ଡପ ଠାରେ ଓଡିଶା ସରକାରଙ୍କ ଶ୍ରମ ଓ ନିୟୋଜନ ବିଭାଗ ସହଯୋଗରେ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଓ ପୁରୀ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୩କୋଟି ୨୫ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ଓଡିଶା ସରକାର ନିର୍ମାଣ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। କୋଣାର୍କ ଏନଏସି କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ପୂର୍ବାହ୍ନ ୧୨ଘଟିକା ସମୟରେ ପୁରୀ ଜିଲ୍ଲା ଶ୍ରମ ବିଭାଗ ଉପନିର୍ଦ୍ଦେଶକ ଶିବ ଶଙ୍କର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବହୁବିଧ ଉନ୍ନତି ସାଧନ କରିଥିବା ବେଳେ ନିରନ୍ତର ବିକାଶ ଧାରାକୁ ଅବ୍ୟାହତ ରଖିଛନ୍ତି। ଆଗାମୀ ଦିନରେ ମନରେଗା ଶ୍ରମିକ ଓ ମୁକ୍ତା ଯୋଜନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକ ପଂଜିକରଣ କାର୍ଡ ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନେଇଥିବା ବେଳେ ପୁରୀ ଜିଲ୍ଲା ଶ୍ରମ ବିଭାଗ ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତ୍ବରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ପୁରୀ ଜିଲ୍ଲା ନିର୍ମାଣ ଶ୍ରମିକ ମହାସଂଘର ସଭାପତି, ସମବାୟବିତ ମଧୁସୂଦନ ପ୍ରଧାନ, ବରିଷ୍ଠ ଶ୍ରମିକ ନେତା ଜଗନ୍ନାଥ ଦେଓ, ପୁରୀ ଜିଲ୍ଲା ଶ୍ରମ ଅଧିକାରୀ ଚୌଧୁରୀ ସୁବ୍ରତ କୁମାର ଜେନା, ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ପ୍ରିୟଙ୍କା ପ୍ରିୟ ଦର୍ଶିନୀ ଓ ବିକ୍ରମ କେଶରୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ନିମନ୍ତେ ପ୍ରଦାନ କରାଯାଉଥିବା ଶିକ୍ଷା, ଶୁଦ୍ଧିକ୍ରିୟା, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା ସମେତ ବିଭିନ୍ନ ପ୍ରକାର କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ସମାରୋହରେ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୬୫୪ ଜଣ ନିର୍ମାଣ ଶ୍ରମିକଙ୍କ ପରିବାରକୁ ଶିକ୍ଷା ସହାୟତା, ବିବାହ ପ୍ରୋତ୍ସାହନ ରାଶି, ମୃତ୍ୟୁ ସହାୟତା ଓ ଶୁଦ୍ଧିକ୍ରିୟା କାର୍ଯ୍ୟ ସଂପାଦନ କରିବା ନିମନ୍ତେ ୩କୋଟି ୨୫ଲକ୍ଷ ୯୦ହଜାର ୨୦୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ମୁଖ୍ୟ ଅତିଥି ରାଜ୍ୟ ସରକାରଙ୍କ ଗୃହ ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ନିର୍ମାଣ ଶ୍ରମିକ ମାନଙ୍କୁ ବଣ୍ଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ୧୬୦ଜଣ ନୂତନ ଭାବେ ପଂଜିକୃତ ନିର୍ମାଣ ଶ୍ରମିକ ମାନଙ୍କୁ ଶ୍ରମ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ୧୧ଗୋଟି ବ୍ଲକ ସମେତ ବିଭିନ୍ନ ସ୍ଥାନରୁ ୫୦୦ରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ଯୋଗଦାନ କରିଥିଲେ। ଆଗାମୀ ଦିନରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ନୂତନ ଶ୍ରମିକ ପଂଜିକରଣ ଓ କଲ୍ୟାଣ ସହାୟତା ତ୍ବରାନ୍ବିତ କରାଯିବ ବୋଲି ପୁରୀ ଜିଲ୍ଲା ଶ୍ରମ ବିଭାଗ ଉପନିର୍ଦ୍ଦେଶକ ଶିବ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ