ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟସେବା ସମସ୍ୟା ସଂପର୍କରେ କ୍ରିୟାନୁଷ୍ଠାନ କମିଟି ନୂତନ ଜିଲ୍ଲାପାଳଙ୍କୁ ଅବଗତ କଲା

ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପରିଡ଼ା ଓ ସାଧାରଣ ସଂପାଦକ ପ୍ରଦୀପ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂତନ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ଶନିବାର ଅପରାହ୍ନରେ ସାକ୍ଷାତ କରି ସ୍ୱାଗତ ଜଣାଇବା ସହ ମେଡିକାଲ୍ କଲେଜ୍‌, ଏମ୍‌ସ୍‌, ଆୟୁଷ୍ ଓ ଇ.ଏସ୍‌.ଆଇ ହସପିଟାଲ୍ ପ୍ରଭୃତିର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ଓ ବାଲେଶ୍ୱରବାସୀଙ୍କୁ ଉତ୍ତମ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନିମିତ୍ତ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ । ହୃଦରୋଗ, ସ୍ନାୟୁରୋଗ ଓ ମୂତ୍ରାଶୟଜନିତ ରୋଗର ବିଶେଷଜ୍ଞ ଡାକ୍ତର ନଥିବାରୁ ବହୁ ରୋଗୀ ବାଲେଶ୍ୱରରୁ ସ୍ଥାନାନ୍ତର କରାଯାଉଥିବା ସମ୍ପର୍କରେ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଜଣାଇଥିଲେ ।ଗତବର୍ଷ ଜୁନ୍‌ମାସରେ ବାହାନଗା ରେଳଦୁର୍ଘଟଣାରେ ଆହତମାନଙ୍କୁ ଆଶୁ ଚିକିତ୍ସା ଯୋଗାଇଦେଇଥିବା ଫକୀରମୋହନ ମେଡିକାଲ୍ କଲେଜ୍‌ର ପ୍ରଥମ ବ୍ୟାଚ୍‌ର ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ସହଯୋଗ ପାଇଁ ସେମାନଙ୍କୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରିବା ପ୍ରସ୍ତାବକୁ ଜିଲ୍ଲାପାଳ ସ୍ୱାଗତ କରିଥିଲେ । ଜିଲ୍ଲାବାସୀଙ୍କୁ ଆବଶ୍ୟକୀୟ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ କ୍ରିୟାନୁଷ୍ଠାନ କମିଟିର ନେତୃମଣ୍ଡଳୀ ଆବଶ୍ୟକବେଳେ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିବା ପ୍ରସ୍ତାବକୁ ଶ୍ରୀ ଠାକରେ ସାଦରେ ଗ୍ରହଣ କରିଥିଲେ ବୋଲି ଏକ ପ୍ରେସ ଇସ୍ତାହାରରେ ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ଜଣାଇଛନ୍ତି । ଆଲୋଚନା ସମୟରେ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ପ୍ରଦୀପ ଦାସ, ନିରଞ୍ଜନ ରାଉତ, ସୀତାରାମ ପ୍ରଧାନ, ପ୍ରଫୁଲ୍ଲ ଦାସ, ଶ୍ୟାମସୁନ୍ଦର ଜେନା, ବନ୍ଦନା ବିଶ୍ୱାସ, ବଂଶୀଧର ସାହୁ, ଡା. ତାରାକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ