ଚିରସ୍ରୋତା ବଂଶଧାରା, ମହେନ୍ଦ୍ରତନୟା ନଦୀ ଗ୍ରୀଷ୍ମ ଆରମ୍ଭରୁ ହିଁ ଶୁଷ୍କ ହୋଇଗଲାଣି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚଳିତ ବର୍ଷ ଗ୍ରୀଷ୍ମଋତୁ ଆରମ୍ଭରୁ ହିଁ ଗଜପତି ଜିଲ୍ଲାରେ ପ୍ରଭାବିତ ହୋଇଥିବା ବିଭିନ୍ନ ନଦୀ ଶୁଖିବାରେ ଲାଗିଲାଣି. ଏହି ଜିଲ୍ଲାର ମହେନ୍ଦ୍ରଗିରିରୁ ଜାତ ଚିରସ୍ରୋତା ମହେନ୍ଦ୍ରତନୟା ନଦୀ ବର୍ତ୍ତମାନ ବିଭିନ୍ନ କାରଣରୁ ଶୁଷ୍କ ହେବାରେ ଲାଗିଛି. ଏହାର ମୁଖ୍ୟ କାରଣ ହେଲା ମହେନ୍ଦ୍ରତନୟା ଓ ନଦୀ ପ୍ରବାହିତ ଅଞ୍ଚଳରୁ ବିଭିନ୍ନ ପଥର ଖନନ ଓ ଉତ୍ତୋଳନ ଏବଂ ବ୍ୟାପକ ଗଛ କଟା ସହ ବହୁ ବର୍ଷ ହେଲା ନୂତନ ବୃକ୍ଷରୋପଣ ପ୍ରତି କେହି ଦୃଷ୍ଟି ଦେଉ ନ ଥିବା ଆଦି କାରଣରୁ ମହେନ୍ଦ୍ର ତନୟା ନଦୀ ସମେତ ଗଜପତି ଜିଲ୍ଲାର ବିଭିନ୍ନ ପାହାଡ଼, ପର୍ବତରୁ ଜାତ ହୋଇଥିବା ନଦୀ, ନାଳ ବର୍ତ୍ତମାନ ଶୁଖିବାରେ ଲାଗିଲାଣି. ସେହିପରି ଗଜପତି ଜିଲ୍ଲାରେ ପ୍ରବାହିତ ବଂଶଧାରା ନଦୀର ଜଳକୁ ଆନ୍ଧ୍ର ସରକାର ଗୋଟା ବ୍ୟାରେଜ ଠାରେ ବର୍ଷ ସାରା ସଂରକ୍ଷଣ କରି ଖରାଦିନରେ ଆନ୍ଧ୍ରର ଜଳ କ୍ଲିଷ୍ଟ ଗ୍ରାମ ଗୁଡିକରେ ପାନୀୟ ଜଳ ଯୋଗାଇବା ସହ ଆନ୍ଧ୍ର ପ୍ରଦେଶର କ୍ଷେତରେ ବଂଶଧାରାର ସଂରକ୍ଷିତ ଜଳରେ ବହୁ ଫସଲ ଆଦାୟ କରୁଛନ୍ତି ବୋଲି ଗଜପତି ଜିଲ୍ଲାର ବହୁ ବୁଦ୍ଧିଜୀବୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ ବଂଶଧାରା ଜଳକୁ ଗଜପତିରେ ସଂରକ୍ଷିତ ରଖିବା ପାଇଁ ଏକ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ବହୁ ସମୟରେ ଦାବି, ଆନ୍ଦୋଳନ ସତ୍ୱେ ନିର୍ମାଣ ହୋଇପାରୁନଥିବା ଯୋଗୁଁ ଏଭଳି ବିଷମ ପରିସ୍ଥିତି ସୃଷ୍ଟି ହୋଇଛି. ଏଥି ସହିତ ବ୍ୟାପକ ଗଛକଟା ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଏବଂ ଏହା ଦ୍ବାରା ବର୍ଷା ଅଭାବ ପରିଲିକ୍ଷିତ ହୋଇଛି। ଗଜପତି ଜିଲ୍ଲାରେ ବିଗତ ବର୍ଷ ଅଗଷ୍ଟରୁ ବର୍ଷା ଗାଏବ ହୋଇଯାଇଛି । ଜିଲ୍ଲାର ପାହାଡିଆ ଅଞ୍ଚଳରେ ପ୍ରାକୃତିକ ଜଳ ଉତ୍ସଗୁଡିକୁ ଶୁଷ୍କ ହେଉଥିବା ବେଳେ ସମତଳିଆ ଅଞ୍ଚଳରେ ମଧ୍ୟ ନ‌ଦୀ ତଥା ଜଳାଶୟ ଗୁଡିକ ଶୁଖ୍ ପଡିଥିବା ଦେଖ‌ିବାକୁ ମିଳୁଛି । ଗ୍ରୀଷ୍ମଋତୁର ଆଗମନ ପୂର୍ବରୁ ଏଭଳି ଜଳ ସଂକଟ ପରିସ୍ଥିତି ଉପୁଜିଛି। ଆଗକୁ ଏହା ଗମ୍ଭୀର ରୂପ ନେବାର ଆଶଙ୍କା ରହିଛି । ଜିଲ୍ଲାର ପ୍ରମୁଖ ନଦୀ ନାଳ ତଥା ଚିରଶ୍ରୋତା ନଦୀ ଗୁଡିକର ଅବବାହିକାରେ ଘୋର ଜଳ ସଙ୍କଟ ସୃଷ୍ଟି ହୋଇଛି। ଭୌଗଳିକ ସ୍ଥିତିକୁ ଦେଖିଲେ ଜିଲ୍ଲାର ସମସ୍ତ ୭ ବ୍ଲକ ମୋହନା, ରା. ଉଦୟଗିରି, ନୂଆଗଡ, ରାୟଗଡ, ଗୋଷାଣି, ଗୁମ୍ଫା ଓ କାଶୀନଗର ବ୍ଲକ ମଧ୍ୟରୁ ଗୋଷାଣି ଓ କାଶୀନଗର ସମତଳିଆ ଅଞ୍ଚଳ ଏହି ଦୁଇ ବ୍ଲକରେ ଚିରଶ୍ରୋତା ମହେନ୍ଦ୍ରତନୟା ଏବଂ ବଂଶଧାରା ପ୍ରବାହିତ ହେଉଛି । ଅନ୍ୟ ପାଞ୍ଚ ବ୍ଲକ ପାହାଡିଆ ତଥା ଜଙ୍ଗଲ ଘେରା ମଧ୍ୟରେ ରହିଛି । ପାହାଡିଆ ତଥା ଜଙ୍ଗଲ ଘେରା ବ୍ଲକରେ ଜଳ ଉତ୍ସ ଭାବେ ସେପରି କୌଣସି ବଡ ବଡ ଜଳାଶୟ ନାହିଁ । ଅଡବା ହରଭଙ୍ଗି ଡ୍ୟାମ୍ ଅଞ୍ଚଳରେ ଜଳ ସମସ୍ୟା ନ ଥିଲେ ମଧ୍ଯ ଚାଷ ଜମିକୁ ଜଳସେଚନ ଲାଗି କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଏହା କେବଳ ମାଛ ଚାଷ ପାଇଁ ଜଣାଶୁଣା । ବର୍ଷା ଅଭାବରୁ ସମଗ୍ର ଜିଲ୍ଲା ଏବେ ଜଳ ସଂକଟ ଆଡକୁ ମୁହାଁଉଛି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଜିଲ୍ଲାର ଏକ ମୁଖ୍ୟ ଜନବସତି ହୋଇଥିବା ବେଳେ ମହେନ୍ଦ୍ରତନୟା ନଦୀ ପାଣି ହିଁ ଏକ ମାତ୍ର ଜଳ ଉତ୍ସ । ମହେନ୍ଦ୍ରତନୟା ନଦୀ ଏବେଶୁଷ୍କ ହୋଇପଡିଥିବା ଦେଖ‌ିବାକୁ ମିଳୁଛି। ରାୟଗଡ ବ୍ଲକରେ ଡମ୍ବାପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଥିଲେ ରାୟଗଡ ଓ ଗୋଷାଣି ବ୍ଲକ ଅଞ୍ଚଳରେ ଜଳ ସଂକଟ ସମସ୍ୟା ଦେଖା ଦେଇନଥାନ୍ତା I ବର୍ତ୍ତମାନ ଠାରୁ ପାଣି ଅଭାବ ଜମିକୁ ଜଳସେଚନ ହେଉକି ପରିବା ଚାଷ କି ରବି ଚାଷ ଆଦି ପ୍ରଭାବିତ ହେଉଛି । ମହେନ୍ଦ୍ରତନୟା ନଦୀ ମହେନ୍ଦ୍ରଗିରି ପର୍ବତରୁ ପ୍ରବାହିତ ହୋଇ ରାୟଗଡ, ଗୋଷାଣି, ଆନ୍ଧ୍ରୟପ୍ରଦେଶର ମେଳିଆପୁଟି, ରାଟିଣି ଦେଇ ପୁଣି ଓଡିଶାର ଅମରା ଡାଳିମ୍ବପୁର, କେରାଣ୍ଡି ଆଦି ଦେଇ ପାରଳାଖେମୁଣ୍ଡି ସହର ଉପକଣ୍ଠ ଏବଂ ପୁଣି ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ବଂଶଧାରା ନଦୀରେ ବିଲୟ ହୋଇଛି । ଇତି ମଧ୍ୟରେ ଡାଳିମ୍ବପୁର ପୂର୍ବରୁ ଆନ୍ଧ୍ରର ରାଟିଣି ନିକଟରେ ଆନ୍ଧ୍ରର ଚାଷୀ ଓ ଜଳ ସମ୍ପଦ ବିଭାଗ ପ୍ରବାହିତ ମହେନ୍ଦ୍ରତନୟା ନଦୀରେ ଆନିକଟ ନିର୍ମାଣ କରି ନିଜ ନିଜ ଅଞ୍ଚଳ ପାଇଁ ଜଳ ସଂରକ୍ଷିତ କରିଛି I ହେଲେ ଓଡିଶା ତଥା ଗଜପତି ଜିଲ୍ଲାରେ ପ୍ରବାହିତ ମହେନ୍ଦ୍ରତନୟାରେ ସେପରି କିଛି ବ୍ୟବସ୍ଥା ହୋଇନାହିଁ । ଡମ୍ବାପୁର ପ୍ରକଳ୍ପ ସମ୍ପୂର୍ଣ୍ଣ ରୂପେ ନିର୍ମିତ ହୋଇଥିଲେ ସୁଦ୍ଧା ଜଳ ସଂରକ୍ଷଣ ସହ କେତେକ ବ୍ୟବସ୍ଥା ହୋଇପାରିନ ଥିବାରୁ ଏହା ଏବେ ଅଧପନ୍ତରିଆ ଭାବେ ରହିଛି I ଡମ୍ବାପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲାର ରାୟଗଡ ବ୍ଲକର କିଛି ଅଞ୍ଚଳ ସମେତ ଗୋଷାଣି ବ୍ଲକର ପ୍ରାୟ ୧୦ରୁ ଉତ୍କର୍ ପଞ୍ଚାୟତର ଜମିକୁ ଜଳସେଚନ ବ୍ୟବସ୍ଥା ସହ ପାରଳାଖେମୁଣ୍ଡି ସହରାଞ୍ଚଳକୁ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିବ ବୋଲି କୁହାଯାଉଛି I ତେବେ ବର୍ତ୍ତମାନ ସ୍ଥିତିରେ ବର୍ଷା ହିଁ ଜଳ ସଂକଟର ମୁକ୍ତି ମିଳିବ ବୋଲି ଆଲୋଚନା ହେଉଛି । ବିଭାଗୀୟ କର୍ତ୍ତୃପକ୍ଷ ବର୍ତ୍ତମାନ ଠାରୁ ପାନୀୟ ଜଳ ସମ୍ପର୍କରେ ପଦକ୍ଷେପ ନେବାର ଆବଶ୍ୟକ‌ତା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ