ଜିଲ୍ଲାର ସର୍ବପୁରାତନ ଉଚ୍ଚଶିକ୍ଷାନୁଷ୍ଠାନର ଦୁର୍ଦ୍ଦିନରେ ପରିଚାଳନା ପରିଷଦ ନୀରବ ଦ୍ରଷ୍ଟା କାହିଁକି?

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ହେଉଛି ଏହି ଜିଲ୍ଲାର ସର୍ବପ୍ରାଚୀନ ଓ ସର୍ବବୃହତ ଉଚ୍ଚଶିକ୍ଷାନୁଷ୍ଠାନ । ଏହି କମ୍ପୋଜିଟ ଶିକ୍ଷାନୁଷ୍ଠାନରେ ଏବେ ଯୁକ୍ତ ଦୁଇ ସହ, ଯୁକ୍ତ ତିନି ସ୍ନାତକ ଓ କଳା, ବିଜ୍ଞାନ ଏବଂ ବାଣିଜ୍ୟ ଆଦି ୧୫ଟି ବିଷୟରେ ସ୍ନାତକୋତ୍ତର ଶିକ୍ଷା ପ୍ରଦାନ କରାଯାଏ । ଏହି ମହାବିଦ୍ୟାଳୟଟି ଏକ ସ୍ୱୟଂଶାସିତ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ଓ ବିଗତ ଦୁଇଦୁଇ ଥର ନାକ୍ ମାନ୍ୟତାରେ ‘ଏ’ ଗ୍ରେଡ଼ ପ୍ରାପ୍ତ । କିନ୍ତୁ ସଂପ୍ରତି ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନଟି ଉଭୟ ସ୍ୱୟଂଶାସନ ଓ ନାକ୍ ମାନ୍ୟତା ବିହୀନ ଏବଂ ଦୁଇବର୍ଷ ପୂର୍ବରୁ ସେହି ଅବଧି ଶେଷ ହୋଇଯାଇଛି । ପ୍ରତି ୫/୬ ବର୍ଷରେ ଏହି ସ୍ୱୟଂଶାସନ ଓ ନାକ୍ ମାନ୍ୟତା ନବୀକରଣ ହୋଇଥାଏ । ଏହାର ସ୍ୱୟଂଶାସନ ଅବଧି ୨୦୧୯ରେ ଏବଂ ନାକ୍ ମାନ୍ୟତା ୨୦୨୧ରେ ସମାପ୍ତ ହୋଇଯିବା ପରେ, ଏହି ଶିକ୍ଷାନୁଷ୍ଠାନ ଏବେ ସାଧାରଣ ଶିକ୍ଷାନୁଷ୍ଠାନରେ ପରିଣତ ହେବାକୁ ବସିଛି । ଐତିହ୍ୟପୂର୍ଣ୍ଣ ଏହି ଶିକ୍ଷାନୁଷ୍ଠାନ ଏପରି ଦୁର୍ଦ୍ଦିର୍ନ ଭିତରେ ଗଡିକରୁଥିବା ବେଳେ ତା’ର ପରିଚାଳନା ପରିଷଦ କିନ୍ତୁ ଏଥିରେ ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି । ତା’ର କାର୍ଯ୍ୟଧାରାକୁ ଦେଖିଲେ ମନେହୁଏ ଯେମିତି ଏଥିରେ ତା’ର କିଛି ଯାଏ ଆସେ ନାହିିଁଁ । ନାକ୍ ମାନ୍ୟତା ନବୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବାରୁ ଗତ ଦୁଇବର୍ଷ ଆଗରୁ ଆସିଥିବା ୟୁଜିସି ଟିମ୍ କଲେଜର ସ୍ୱୟଂଶାସନର ସଂପ୍ରସାରଣକୁ ମଧ୍ୟ ବନ୍ଦ କରି ଦେଇଛନ୍ତି ଓ ନାକ୍ ମାନ୍ୟତା ପାଇଁ ଆନୁଷ୍ଠାନିକ ଆବେଦନ (ଏସ.ଏସ.ଆର.)କୁ ସେ ପାଇଁ ସର୍ବନିମ୍ନ ଆବଶ୍ୟକତା ବୋଲି ଜଣାଇଛନ୍ତି । ଚଳିତ ପରିଚାଳନା ପରିଷଦ ଦାୟିତ୍ୱ ନେବା ଆଜିକୁ ପ୍ରାୟ ଅଢେଇ ବର୍ଷ ହେଲାଣି । ଏହି ଅବଧିକାଳରେ ମଧ୍ୟ ଯୁଜିସିର ନିର୍ଦ୍ଧାରଣ ଅନୁଯାୟୀ ବିବରଣୀ ପ୍ରଦାନ ଓ ଭିତ୍ତିଭୂମିର ସଂପ୍ରସାରଣ କରାଯାଇ ପାରିଲା ନାହିଁ । ବରଂ ବିଗତ ଦୁଇବର୍ଷ ନିଷ୍କ୍ରିୟତା ଅଥବା ନିର୍ମାଣ ଆଳରେ ଆକଣ୍ଠ ଦୁର୍ନୀତିରେ ବୁଡ଼ି ରହିଲା । ଯାହାର ଦୁର୍ଗନ୍ଧ ଏବେ ସୁଦ୍ଧା ନାକରୁ ଯାଉନାହିଁଁ । ହେଲେ ଏହି ଅପହୃତ ସ୍ୱୟଂଶାସନ ଓ ନାକ୍ ‘ଏ’ ଗ୍ରେଡ଼ ମାନ୍ୟତାର ଗୌରବ କିପରି ଫେରାଇ ଅଣାଯାଇ କଲେଜର ମର୍ଯ୍ୟାଦା ରକ୍ଷା କରାଯାଇ ପାରିବ ସେ ପାଇଁ ଚିନ୍ତା ନ କରି ଏହି ପରିଚାଳନା ପରିଷଦ ଯେପରି ନିଘୋଡ଼ ନିଦରେ ଶୋଇଯାଇଛି । ସୁଯୋଗ ପାଇଲେ ନିଜ କ୍ଷମତା ବଳରେ ଏହି ଶିକ୍ଷାନୁଷ୍ଠାନକୁ ବରଂ ଅଧିକ ଅସ୍ଥିର ଓ ନିଷ୍କ୍ରିୟ କରୁଛି । ପରିଚାଳନା ପରିଷଦର ବର୍ତ୍ତର୍ମାନର ସଭାପତି ହେଉଛନ୍ତି ଡ଼ାକ୍ତର ବାସୁଦେବ ପାତ୍ର । ବୃତ୍ତିରେ ଜଣେ ଡ଼ାକ୍ତର । ଏହି ପଦବୀ ସେ ପାଇବା ବେଳେ, ଜିଲ୍ଲାର ଶିକ୍ଷାପ୍ରେମୀଙ୍କ ମନରେ ଏକ ଆଶାର ସଞ୍ଚାର ହୋଇଥିଲା । ହେଲେ ତାହା ବେଶି ଦିନ ରହିଲା ନାହିଁ । ଅନୁଷ୍ଠାନର ଏହି ଅବକ୍ଷୟକୁ ରୋଧ କରିବାରେ ସେ କାରଣ ହୁଅନ୍ତେ କ’ଣ ବରଂ ସେ କଲେଜର ଅଚଳାବସ୍ଥା ପାଇଁ ନିଜେ କାରଣ ହୋଇଯାଉଛନ୍ତି । ଗତ ନଭେମ୍ୱର ମାସରେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଅବସର ନେବା ପରେ, ଯିଏ ଦାୟିତ୍ୱ ନେଇଥାନ୍ତେ, ତାଙ୍କ ବିରୁଦ୍ଧରେ ଅକାରଣରେ ସରକାରଙ୍କୁ ସୁପାରିଶ କରି ବଦଳି କରାଇଦେଲେ । ସେ ଥିଲେ କଲେଜର ଏକମାତ୍ର ୟୁଜିସି ବେତନପ୍ରାପ୍ତ ଆସୋସିଏଟ୍ ପ୍ରଫେସର ଡ଼କ୍ଟର ସଞୀବ କୁମାର ମହାନ୍ତି । ତାଙ୍କ ବଦଳରେ ଯାହାଙ୍କୁ ଅଧ୍ୟକ୍ଷ ପଦବୀରେ ବସାଇବାକୁ ସେ ଯେଉଁ ଖେଳ ଖେଳିଲେ, ତା’ର ପରିଣତିରେ ଏହି କଲେଜର ଅଧ୍ୟକ୍ଷ ପଦ ଆଜି ଉଚ୍ଚନ୍ୟାୟାଳୟର ଆଇନ କସରତ ଭିତରେ ବନ୍ଧା ପଡ଼ିଯାଇଛି । ଶେଷରେ ଉଚ୍ଚନ୍ୟାୟାଳୟ ନିର୍ଦେଶରେ ନିକଟସ୍ଥ ବିରୂପା କଲେଜର ଅଧ୍ୟକ୍ଷଙ୍କୁ ଏହି ମହାବିଦ୍ୟାଳୟର କାମଚଳା ଦାୟିତ୍ୱ ଦିଆଯାଇଛିି । ସେପଟେ ୟୁଜିସି ଓ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ନାକ୍ ମାନ୍ୟତା ପାଇଁ ସବୁ ଦଲିଲ୍ ଚଳିତ ମାର୍ଚ୍ଚ ୩୦ ମଧ୍ୟରେ ଦାଖଲ ପାଇଁ ହୁଲିଆ ଜାରି କରିଛନ୍ତି । ତା’ ସାଙ୍ଗକୁ ନିର୍ବାଚନ କାମ ପାଇଁ କଲେଜ ପ୍ରାୟତଃ ଅଧା ବନ୍ଦ । କାମଚଳା ଅଧ୍ୟକ୍ଷଙ୍କ ଆଗରେ ହଠାତ୍ ଠିଆ ହୋଇଯାଇଛି ପାହାଡପରି ବିରାଟ ଆହ୍ୱାନ । କ୍ଷମତାର ବିବେକହୀନ ପ୍ରୟୋଗ କିପରି ଏକ ଉଚ୍ଚଶିକ୍ଷାନୁଷ୍ଠାନକୁ ତଳିତଳାନ୍ତ କରିଦେଇପାରେ ଏବେ କେନ୍ଦ୍ରାପଡ଼ା କଲେଜ ତା’ର ନମୁନା ବନିଯାଇଛି । ଏହି ଶିକ୍ଷାନୁଷ୍ଠାନର ଯାତନା ମଧ୍ୟ ଏତିକିରେ ସରୁନାହିଁ । ଅବସରପ୍ରାପ୍ତ ପୂର୍ବର୍ତନ ଅଧ୍ୟକ୍ଷ ପରିଚାଳନା ପରିଷଦର ଅନେକ ସୁଚିନ୍ତିତ ପ୍ରସ୍ତାବକୁ କାର୍ଯ୍ୟକାରୀ ନ କରି କଲେଜକୁ ଅଧିକ ବିପର୍ଯ୍ୟୟ ଭିତରକୁ ଠେଲିଦେଇଛନ୍ତି ଏବଂ ତାକୁ ରୋଧ କରିବାକୁ ଯେପରି କେହି ନାହାନ୍ତି । ଉଦାହରଣ ସ୍ୱରୂପ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆବଶ୍ୟକ ସ୍ଥଳେ ଖୋଦ ସରକାର ଷାଠିଏ ବର୍ଷ ପରେ ଆଉ ମାତ୍ର ପାଞ୍ଚ ବର୍ଷ ଅତିରିକ୍ତ ନିଯୁକ୍ତି ଦେଉଥିବା ବେଳେ ଏଠାରେ ପଞ୍ଚସ୍ତରୀ ବର୍ଷପାର କର୍ମଚାରୀଙ୍କୁ ଏହି ସେବାରୁ ନିବୃତ୍ତ ପାଇଁ ପ୍ରସ୍ତାବ ଗ୍ରହଣ ସତ୍ୱେ ରଖାଯାଇଛି ଓ ଦରମା ମଧ୍ୟ ଦିଆଯାଉଛି । ସେଭଳି ଏକ କର୍ମଚାରୀଙ୍କୁ ଅଫିସରେ ବସାଇ ସର୍ଭିର୍ସବୁକ୍ ଓ ପେନସନ୍ ଆଦି କାମ କରିବାକୁ ଦିଆଯାଉଛି । ସେ ସେଥିରେ ବି ଦସ୍ତଖତ କରୁଛନ୍ତି । ଏହା ଅବୈଧ ଓ ଅନୁଚିତ୍ । ଏତଦଭିନ୍ନ କଲେଜକୁ ଆଦୌ ଆସୁନଥିବା କର୍ମଚାରୀଙ୍କୁ ଛଟେଇ ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ତାକୁ କାର୍ଯ୍ୟକାରୀ କରାଯାଉନାହିଁଁ ବରଂ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ ହେଉଥିବା କଷ୍ଟଲବ୍ଧ ବିକାଶ ପାଣ୍ଠିକୁ ସେମାନଙ୍କୁ ଦରମା ନାମରେ ବରବାଦ କରିବାକୁ ଦ୍ୱାର ଉନ୍ମୁକ୍ତ ରଖାଯାଇଛି । ଏତାଦୃଶ କାମପଛରେ ସଭାପତିଙ୍କର ସ୍ୱୀକୃତି ନରହିଲେ ଏହା କଣ କେବେ ହୋଇପାରନ୍ତା ବୋଲି ଜନସାଧାରଣ ଚର୍ଚ୍ଚା କରିବା ଆରମ୍ଭ କରିଦେଇଛନ୍ତି । ଏଇ ଅନୁଷ୍ଠାନର ନିର୍ମାଣ ତଥା ବିକାଶ କାର୍ଯ୍ୟରେ ଦିନେ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତି ଯଥା ସ୍ୱର୍ଗତଃ ଦୀନବନ୍ଧୁ ସାହୁ, ନିମାଇଁ ଚରଣ ଦାସ, ପ୍ରହ୍ଲାଦ ମଲ୍ଲିକ, ଭାଗବତ ପ୍ରସାଦ ମହାନ୍ତି, ଡା. ସରୋଜକାନ୍ତ କନୁନଗୋ, ବେଦପ୍ରକାଶ ଅଗ୍ରୱାଲ, ଭାବଗ୍ରାହୀ ମିଶ୍ର ଓ ଡକ୍ଟର ବେଣୁଧର ପ୍ରଧାନଙ୍କ ଭଳି ପ୍ରବୀଣ ବ୍ୟକ୍ତିମାନେ ସଂପୃକ୍ତ ଥିଲେ ଓ ଏହାକୁ ଏକ ସମୃଦ୍ଧ ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ ଆପ୍ରାଣ ଚେଷ୍ଟା କରିଥିଲେ । ସେଇ ପୃଷ୍ଠଭୂମିରେ ଆଜିର ପରିଚାଳନା ପରିଷଦ ଅନ୍ତତଃ ନିଦ୍ରାରୁ ଉଠି କଣ କରିବା ଉଚିତ୍ ହେଜିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ