ଐତିହାସିକ ସଭାମଣ୍ଡପ ଠାରେ ହରି ହର ଭେଟ ଉତ୍ସବ

ପବିତ୍ର ଫଗୁ ଦଶମୀ ତିଥି ଠାରୁ ଆରମ୍ଭ ହୋଇଯାଇଛି ଦୋଳ ଉତ୍ସବ। ରାଧା କୃଷ୍ଣ, ହରି ହର ଠାକୁର ସ୍ୱ ସ୍ୱ ବିମାନ ରେ ଗାଁ ଗାଁ, ଘର ଘର ବୁଲି ଦ୍ୱାରୀ ଭୋଗ ଖାଉଛନ୍ତି। ପ୍ରାଚୀ ଉପତ୍ୟକା ର ପ୍ରଭୁ ଅମରେଶ୍ୱର ଶମ୍ଭୁ, ବନ୍ଦେଶ୍ୱର ଶମ୍ଭୁ,ପ୍ରଭୁ ମାଧବାନନ୍ଦ ଜିୟୁ, ପ୍ରଭୁ ରାଧାକାନ୍ତ ଠାକୁର ବି ଗାଁ ଗାଁ ଭ୍ରମଣ କରି ଭୋଗ ଖାଉଛନ୍ତି। ପ୍ରାଚୀ ଉପତ୍ୟକା ର ଭେଟପଡ଼ିଆ ଠାରେ ଚତୁର୍ଦ୍ଦଶୀ ତିଥି ବିଳମ୍ୱିତ ରାତି ରେ ଏହି ଠାକୁର ମାନଙ୍କ ମେଳଣ ଅନୁଷ୍ଠିତ ହୋଇଥାଏ। ଯାହା ହରିହର ଭେଟ ଉତ୍ସବ ଭାବେ ପ୍ରସିଦ୍ଧି ଲାଭ କରିଛି। ଭେଟ ପଡ଼ିଆ ର ଉତ୍ତର ଓ ଦକ୍ଷିଣ ଦିଗରେ ଦୁଇଟିମଣ୍ଡପ ରହିଛି।ହର ଭାବେ ପ୍ରଭୁ ଅମରେଶ୍ୱର ଓ ବନ୍ଦେଶ୍ୱର ଠାକୁର ସ୍ୱ ସ୍ୱ ସୁସଜ୍ଜିତ ବିମାନ ରେ ଆସି ଉତ୍ତର ପାଶ୍ଵ ମଣ୍ଡପ ରେ ବସିଥାନ୍ତି। ତାଙ୍କ ସହିତ ପ୍ରଭୁ ରାଧାକାନ୍ତ ମଧ୍ୟ ସେହି ମଣ୍ଡପ ରେ ବସିଥାନ୍ତି। ଯାତ୍ରା ଉତ୍ସବ ର ଥାନପତି ତଥା ଶ୍ରୀ ଜଗନ୍ନାଥ ଙ୍କ ମାମୁଁ ଭାବେ ପରିଚିତ ପ୍ରଭୁ ଶ୍ରୀ ମାଧବାନନ୍ଦ ଜିୟୁ ପଡ଼ିଆ ର ଦକ୍ଷିଣ ଦିଗ ମଣ୍ଡପ ରେ ବସିଥାନ୍ତି। ପ୍ରଥମେ ହର ଠାକୁର ଙ୍କ ସେବକ ମାନେ ଏକ ବିରାଟ ପଟୁଆର, ଶୋଭାଯାତ୍ରା ରେ ହରି ବସିଥିବା ମଣ୍ଡପ ନିକଟକୁ ଯାଇ ତାଙ୍କୁ ଫଗୁ, ଫୁଲ ଅର୍ପଣ କରି ଆନୁଷ୍ଠାନିକ ଭାବେ ସ୍ବାଗତ କରିବା ସହିତ ଭେଟ ଉତ୍ସବ ରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥାନ୍ତି। ଏହାର ଜବାବ ରେ ହରି ଙ୍କ ସେବକ ମାନେ ମଧ୍ୟ ଶୋଭାଯାତ୍ରା, ପଟୁଆର ରେ ଉତ୍ତର ପାଶ୍ଵ ମଣ୍ଡପ ନିକଟକୁ ଯାଇ ହର ମାନଙ୍କୁ ଫୁଲ, ଫଗୁ ଅର୍ପଣ କରି ତାଙ୍କ ନିମନ୍ତ୍ରଣ ସ୍ବୀକାର କଲେ ବୋଲି ଜଣାଇଥାନ୍ତି। ଏହାପରେ ଢୋଲ, ମହୁରୀ,କାହାଳୀ, ଘଣ୍ଟ, ମୃଦଙ୍ଗ ବାଜି ଉଠେ। ଉଭୟ ଦିଗ ମଣ୍ଡପ ରେ ବସିଥିବା ହରି ହର ଠାକୁର ଙ୍କ ବିମାନ ଏକ ସମୟ ରେ ମଣ୍ଡପ ରୁ ଉଠି ଭେଟ ପଡ଼ିଆ ରେ ପ୍ରବେଶ କରି ପରସ୍ପର ଦିଗକୁ ଆଗେଇ ଆସନ୍ତି। ଠିକ୍ ବ୍ରାହ୍ମ ମୁହୂର୍ତ୍ତ ରେ ଭେଟ ପଡ଼ିଆ ର ଏକ ନିର୍ଦ୍ଦିଷ୍ଟ ସ୍ଥାନ ରେ ହରି ହର ଠାକୁର ଙ୍କ ମେଳଣ ଅନୁଷ୍ଠିତ ହୋଇଥାଏ। ଥାନ ପତି ଶ୍ରୀ ମାଧବାନନ୍ଦ ଜିୟୁ ଙ୍କ ବିମାନ ର ଚତୁର୍ପାଶ୍ଵରେ ଅନ୍ୟ ତିନି ଠାକୁର ଙ୍କ ବିମାନ ଘେରି ଯାଇ ଏକ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ।ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଉଠେ ସମଗ୍ର ଭେଟ ପଡ଼ିଆ ଓ ଉତ୍ସବସ୍ଥଳ। ହରି ହର ଙ୍କ ମେଳଣ ପରେ ସମସ୍ତ ଠାକୁର ଏକତ୍ରିତ ଭାବେ ଯାଇ ବସନ୍ତି ଐତିହାସିକ ସଭାମଣ୍ଡପ ଠାରେ।ଦୋଳ ପୂର୍ଣ୍ଣିମା ପ୍ରାତଃ ରେ ଭକ୍ତ ଶ୍ରଦ୍ଧାଳୁ ମାନେ ସଭାମଣ୍ଡପ ଉପରେ ବସିଥିବା ହରି ହର ଠାକୁର ଙ୍କୁ ଏକତ୍ର ଦର୍ଶନ କରିବା ସହିତ ଶୁଖିଲି ଭୋଗ ଲାଗି କରିଥାନ୍ତି। ଠାକୁର ଙ୍କ ସମ୍ମୁଖ ରେ ବିଶ୍ଵଶାନ୍ତି ମହାଯଜ୍ଞ ର ପୂର୍ଣ୍ଣାହୂତି ଦିଆଯିବାପରେ ଠାକୁର ମାନେ ଜଣ କ ପରେ ଜଣେ ସଭାମଣ୍ଡପ ରୁ ଓହ୍ଲାଇ ମଣ୍ଡପ କୁ ତିନି ଘେରା ପରିକ୍ରମା କରି ଯିଏ ଯାହା ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଶେଷ ହୋଇଥାଏ ପ୍ରାଚୀ ଉପତ୍ୟକା ର ପ୍ରସିଦ୍ଧ ହରିହର ଭେଟଉତ୍ସବ। ସାରା ରାଜ୍ୟ ରେ ଠାକୁର ମାନେ ବସି ଭୋଗ ଖାଇବା ପାଇଁ ଦୋଳ ବେଦୀ ରହିଥିବାବେଳେ ଏକ ମାତ୍ର ପ୍ରାଚୀ ଉପତ୍ୟକା ତୁଳସୀପୁର ପଞ୍ଚାୟତ ସାନହୁଲି ଗ୍ରାମ ର ରତ୍ନବଟ ଠାରେ ରହିଛି ଦୋଳ ମଣ୍ଡପ ଯାହାର ନାମ ସଭାମଣ୍ଡପ।ପ୍ରାୟ ୫୦ଫୁଟ ଲମ୍ବ ଓ ୨୫ ଫୁଟ ଓସାର ର ଏହି ମଣ୍ଡପ ଟି ଖାରବେଳ ଙ୍କ ସମୟ ର କୀର୍ତ୍ତି ବୋଲି ଗବେଷକ ମାନେ କୁହନ୍ତି। ମଣ୍ଡପ ଟି ବର୍ଷ ସାରା ଖାଲି ପଡ଼ୁଥିବା ବେଳେ ଏକ ମାତ୍ର ଦୋଳ ପୂର୍ଣ୍ଣିମା ପ୍ରାତଃ ରେ ହରି ହର ଭେଟ ଉତ୍ସବ ପରେ ଏହା ଉପରେ ହରି ପ୍ରଭୁ ମାଧବାନନ୍ଦ, ରାଧାକାନ୍ତ ଓ ହର ପ୍ରଭୁ ଅମରେଶ୍ୱର,ବନ୍ଦେଶ୍ୱର ଏକତ୍ର ବସି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଦୋଳ ପୂର୍ଣ୍ଣିମା ଦିନ ଏକତ୍ର ହରି ହର ଙ୍କୁ ଦର୍ଶନ କଲେ ପୁନଃଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଏଣୁ ବର୍ଷ ସାରା ଶୁନଶାନ ପଡ଼ୁଥିବା ଭେଟପଡ଼ିଆ ଓ ସଭାମଣ୍ଡପ ଦୋଳ ଉତ୍ସବ ରେ ଚଳଚଞ୍ଚଳ ହୋଇ
ପଡ଼ିଥାଏ ବୋଲି କହିଛନ୍ତି ରତ୍ନବଟ ର ପୂଜକ ରାଜକିଶୋର ଶତପଥି।ପ୍ରାୟ ତ୍ରୟୋଦଶ ଶତାବ୍ଦୀ ସମୟ ରୁ ଏଠାରେ ହରି ହର ଭେଟ ଉତ୍ସବ ଅନୁଷ୍ଠିତ ହୋଇ ଆସୁଥିବା ଗବେଷକ ମାନେ କୁହନ୍ତି। ଦୋଳ ପୂର୍ଣ୍ଣିମା ଦିନ ହରି ହର ଠାକୁର ଙ୍କୁ ଦର୍ଶନ କରିବାକୁ ସ୍ବର୍ଗ ରୁ ଦେବତା ମାନେ ଏଠାକୁ ଆସିଥାନ୍ତି ବୋଲି ଲୋକ ବିଶ୍ବାସ ରହିଛି । ଶୈବ ଓ ବୈଷ୍ଣବ ମତବାଦୀ ଙ୍କ ମଧ୍ୟରେ ଭାଇଚାରା ର ସୁ ସମ୍ପର୍କ ରଖି ଆଧ୍ୟାତ୍ମିକ ପରିବେଶ କୁ ସନ୍ତୁଳନ ରଖାଯିବା ପାଇଁ ଏହି ହରି ହର ଭେଟ ଉତ୍ସବ ଆୟୋଜିତ
ହୋଇ ଆସୁଥିବା କୁହନ୍ତି ପ୍ରାଚୀ ଗବେଷକ ହଂସନାଥ ସାହୁ।ସେ ଯାହା ହେଉନାକାହିଁକି ବର୍ଷସାରା ଶୁନଶାନ ହୋଇ ପଡ଼ିରହି ଆସିଥିବା ସାନହୁଲି ଗ୍ରାମ ର ଭେଟପଡ଼ିଆ ଓ ଐତିହାସିକ
ସଭାମଣ୍ଡପ ଦୋଳ ପୂର୍ଣ୍ଣିମା ପୂର୍ବଦିନ ଓ ପୂର୍ଣ୍ଣିମା ଦିନ ହରିହର ଠାକୁର ଙ୍କ ସମାବେଶ ରେ ଚଳଚଞ୍ଚଳ ହୋଇପଡେ।
ସନ୍ତୋଷ ଦାଶ
ନିମାପଡା ପୁରୀ
୯୪୩୯୩୬୧୮୮୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ