ଅଲୋଡା ମଣିଷ

ଆଜି ହିସାବ କରି ଆସିବି, କ’ଣ ଭାବୁଛି କି ସେ ବୁଢ଼ା! ତା’ର ସିନା କାମ ଧନ୍ଦା ନାହିଁ, କି ଚିନ୍ତା ଦକ ନାହିଁ । ପେନସନ ଟଙ୍କା ଉଡାଉଛି….. ଏତେ ଗଳି ଭିତରେ ରହୁଛି ବୁଢ଼ା… ଏମିତି ଗର ଗର ହେଇ ମନୁ କ୍ଷୀର କେନ୍ ଧରି ସାଇକେଲ୍‌ରେ ଆଗେଇ ଚାଲିଥିଲା ମନୋଜ ବାବୁଙ୍କ ଘର ଆଡେ । ମନୋଜ ବାବୁ ରିଟାୟର୍ଡ ସରକାରୀ କର୍ମଚାରୀ, ପେନ୍‌ସନ ଟଙ୍କାକୁ ଦୁଇ ବଖରା ଆଜବେଷ୍ଟ ଘର । ଆଗକୁ ପଛକୁ ବୋଧେ କେହି ନାହାନ୍ତି ତ ବାପୁଜୀ ନଗର ଭଳି ଏରିୟାରେ କଉ କ’ଣକୁ ତାଙ୍କ ଜରାଜିର୍ଣ୍ଣ ଘର । ହେଲେ ମନୁ ଦିନ ସାରା ଭୁବନେଶ୍ୱରର ଗୋଟେ ସପିଙ୍ଗ ମଲରେ ସିକ୍ୟୁରିଟି ଗାର୍ଡ, ତଥାପି ସକାଳୁ ଘର ଘର ବୁଲି କ୍ଷୀର ବିକ୍ରି କରେ । ଘରେ ତା’ର ବାପା-ମା, ସ୍ତ୍ରୀ ପୁଣି ଦୁଇଟା ଛୁଆ, ଯେତେ ଖଟିଲେ କମ୍ । ମନୋଜ ବାବୁ ବଡ ଅଜବ ଲୋକ, ଏ କଣ ଜାଗାରେ ଘର, ସେଠି କେବେ କାହାକୁ ଯିବା ଆସିବା ଦେଖିନି ମନୁ, ବୁଢ଼ା କ୍ଷୀର କିଣେ ଆଉ ମନୁ ଆଗରେ ହିଁ ଦୁଆର ପାଖେ ରଖିଥିବା ଗୋଟେ ଚେପା ପ୍ଲେଟରେ ଅଧା କ୍ଷୀର ଢ଼ାଳି ଦିଏ । କିଛି ବିଲେଇ ଯେମିତି ଜଗିଥାନ୍ତି, ଧାଇଁ ଆସି କ୍ଷୀର ପେଟେ ପେଟେ ଖାଇ ଚାଲନ୍ତି । ମନୁ ଦିନେ ସାହସ କରି କହିଲା ବାବୁ କ୍ଷୀର କମ୍ ଦରକାର ତ ଏତେ ନେଇ ଏମିତି ବିଲେଇ ମୁହଁରେ କାହିଁକି? ବାବୁ ହସି ଦେଇ କହିଲେ ଆରେ ବାକି ଅଧା କ୍ଷୀର ବି ଦ୍ୱିପହରରେ କୁକୁର ଦି’ଟା ଭାତ ସହ ଖାଆନ୍ତି । ତା’ ପରଠୁ ମନୁ ମନ ଖୁସିରେ କ୍ଷୀରରେ ପାଣି ମିଶେଇ ଦିଏ । ବାବୁ ନିଜେ ପିଉଥିଲେ ସିନା ଜାଣିବେ । ହେଲେ ସେ ଏରିଆଟା ପୁରା ଦୂର । ସାଇକେଲରେ ଗୋଟିଏ ଘର ଲାଗି ଯିବା କଷ୍ଟ କର । ତ ମନୁ ଦିନେ ମନୋଜ ବାବୁଙ୍କୁ କହିଲା ବାବୁ କାଲିଠୁ ଆଉ ଆସିବିନି, ଆପଣ ଏତେ ଦୂରରେ ଯେ ସାଇକେଲ୍ ମାରି ଆସିବାକୁ ବାଧୁଛି, ତ ଆପଣ ଅଲଗା ବ୍ୟବସ୍ଥା କରନ୍ତୁ । ତା’ପରେ ଆପଣ ଏ ବିଲେଇ କୁକୁରଙ୍କ ଲାଗି କାହିଁକି ଟଙ୍କା ନଷ୍ଟ କରୁଛନ୍ତି । ମନୋଜ ବାବୁ ସେମିତି ଧୀର ସ୍ଥିର ଭାବେ କହିଲେ ତମ ପାଖେ ପାଞ୍ଚ ମିନିଟ୍ ଅଛି, ଟିକେ ବସିପାରିବ? ଇଛା ନ ଥାଇ ବି ମନୁ ବସିଲା ବାରଣ୍ଡାରେ । ନା….ନା… ଏଠି ଘରେ ବସ । ମନୁ ସଂକୋଚ କରି ଭିତରକୁ ଗଲା ସୋଫାରେ ବସିଲା । ମନୋଜ ବାବୁ ରୋଷେଇ ଘର ଆଡେ ପଲେଇଥିଲେ ଆଉ ମନୁ ଘର ସାରା ଆଖି ବୁଲେଇବାରେ ଲାଗିଲା । ଭିତରୁ ବାବୁ ପଚାରିଲେ ତମେ ଚା’ରେ ଚିନି ଖାଅ ତ ମନୁ! ଆଶ୍ଚର୍ଯ୍ୟ ହେଇ ମନୁ ଜୋର୍‌ରେ ହଁ ଭରିଲା । ମନୋଜ ବାବୁ ହାତରେ ଦୁଇ କପ୍ ଚା’ ଧରି ଆସିଲେ ଗୋଟେ ମନୁକୁ ଦେଇ ନିଜେ ନାଲି ଚା କପଟେ ଧରିଲେ । ନିଜେ ନିଜେ କହିଲେ ମତେ କ୍ଷୀର ଖାଇବା ମନା ତ ସେଥିଲାଗି ନାଲି ଚା’ ପିଏ । ବାବୁ କହିଲେ ଦେଖ ମନୁ ତମେ ମତେ କ୍ଷୀର ଦେଇସାରି ଏ ଗଳି ମୁଣ୍ଡ ଦୋକାନରେ ଚା’ ପିଅ ନା । ମନୁ ଗୋଟେ ଢ଼ୋକ ଚା’ ପି ହଁ କହିଲା । ନିଜେ ଦେଇଥିôବା ପାଣିଆ କ୍ଷୀରର ଚା’ ତଥାପି ଏତେ ଖରାପ ଲାଗୁନଥିଲା । ବାବୁ ସେଥିରେ ଗୁଜୁରାତି-ଅଦା ଦେଇ କରିଥିଲେ …..ମନୋଜ ବାବୁ ଡେରି ନ କରି କହିଲେ ମନୁ କ୍ଷୀର ଦେବା ବନ୍ଦ କରନି, ମୁଁ ଆଉ ଶହେ ଟଙ୍କା ଅଧିକା ଦେବି ଆଉ ତମେ ସେ ଚା’ ଦୋକାନରେ ଦଶ ମିନିଟ୍ ଠିଆ ହଉଛି, ସେଠି ନୁହେଁ କାଲିଠାରୁ ମୋ ଘରେ କପେ ଚା’ ପିଇବ । ବାସ୍ କେଇ ମିନିଟ୍‌ରେ ମୁଁ ତମକୁ ଚା’ କରିଦେବି । ମନେ ମନେ ମନୁ ଭାବିଲା ଆରେ ପାଗଳ ବୁଢ଼ାଟା, କ୍ଷୀର ଲାଗି ଅଧିକା ଟଙ୍କା ପୁଣି କପେ ଭଲ ଚା! କିଛି ବଡ ସ୍ୱାର୍ଥ ଥିବ ନିଶ୍ଚେ ନ ହେଲେ ଏ ଯୁଗରେ କିଏ ବା ଏମିତି କାହାକୁ ଦୟା କଲାଣି । ସତେକି ମନୋଜ ବାବୁ ଶୁଣି ଦେଲେ… ସଙ୍ଗେ ସଙ୍ଗେ କହିଲେ ମନୁ ମୁଁ ଏଟା ମୋ ସ୍ୱାର୍ଥ ଲାଗି କହୁଛି, ଜାଣ ମୁଁ ତମର ପାଞ୍ଚ ଦଶ ମିନିଟ୍ ସମୟ କିଣୁଛି । ମନୁର ଆଉ ମନା କରିବାର ନଥିଲା । ଆଉ ତା’ ପରଦିନରୁ କ୍ଷୀରରେ କମ୍ ପାଣି ମିଶାଇଲା ନିଜକୁ ଯେ ଚା’ ପିଇବାର ଅଛି । ଏମିତି ପ୍ରାୟ ମାସେ ହେବ ଚାଲିଥିଲା । କଥା ଛଳରେ ମନୁ ବୁଝି ନେଇଥିଲା ମନୋଜ ବାବୁ ହୃଦ୍ ରୋଗୀ, ସ୍ତ୍ରୀଙ୍କ ମୃତ୍ୟୁ ପରେ ପୁଅ ବୋହୁଙ୍କ ପାଖେ ନ ରହି ନିଜ ଜାଗାରେ ଏ ଦି’ ବଖରା ଆଜବେଷ୍ଟ ଘରେ ରହୁଛନ୍ତି, ପେନସନ୍ ଟଙ୍କାକୁ ହାତ ଗୋଡ ଚାଲୁଛି ତ ବୁଢ଼ା ନିଜେ ନିଜ କାମ କରି ଏମିତି ବିଲେଇ-କୁକୁର ସହ ସମୟ କାଟୁଛି ।ଧୀରେ ଧୀରେ ମନୁକୁ ଆଉ ଭଲ ଲାଗିଲାନି ସବୁଦିନ ମନୋଜ ବାବୁଙ୍କ ଘରେ ବସିବାକୁ, ଦିହ ପା’ ବେଳେ ନଯାଇ ପାରିଲେ ବୁଢ଼ା ବ୍ୟସ୍ତ ହେଇ ଫୋନ୍ କରିବା, ଅଧିକାର ଥିବା ଭଳି ତାଗିଦ୍ କରିବା, ପୂଜା ପର୍ବରେ ହାତରେ ଟଙ୍କା ଗୁଞ୍ଜି ଦେବା ଆଗେ ଆଗେ ଭଲ ଲାଗୁଥିଲା, ହେଲେ ଏବେ ବିରକ୍ତ ଲାଗୁଛି ବୁଢ଼ା ସବୁ ପଚାରିଛି କିନ୍ତୁ ନିଜ ବିଷୟରେ କିଛି କହୁନାହିଁ । ଆଜି ହିସାବ କରି କରି ଆସିବି କି ମୁଁ ଅଲଗା ସହର ଯାଉଛି, ସେ ଆଉ କାହାକୁ ଦେଖନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ