ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକଙ୍କ ବିଜେପିରେ ଯୋଗଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଆଜି ଭୁବନେଶ୍ୱରସ୍ଥିତ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଚନ୍ତି । ଶ୍ରୀମତୀ ନାୟକ ଗତ ୨୦୦୪ରୁ ୨୦୦୯ମସିହା ପର୍ଯ୍ୟନ୍ତ ଚର୍ତୁଦଶ ଲୋକସଭାରେ ବିଜୁ ଜନତାଦଳରୁ ଲୋକସଭା ସାଂସଦ ଥିଲେ । ଶ୍ରୀମତୀ ନାୟକ ତାଙ୍କର ସମର୍ଥକମାନଙ୍କ ସହ ବିଜେପିରେ ଯୋଗଦେଇଛନ୍ତି । ଏଥିସହିତ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସରୋଜ କୁମାର ସାହୁ ଏବଂ ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷ ପ୍ରଭାତୀ ମଳିକ ମଧ୍ୟ ଆଜି ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୨୨ମସିହା ମାର୍ଚ୍ଚମାସ ୨୫ତାରିଖରେ ଗୁଲନଗର ଗ୍ରାମପଞ୍ଚାୟତର ଦଣ୍ଡାମୁଣ୍ଡଛକସ୍ଥିତ ସ୍ୱର୍ଗତ ପବିତ୍ର ପ୍ରଧାନଙ୍କୁ ପୂର୍ବତନ ଡେରାବିଶ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ ଏବଂ ତାଙ୍କ ଗାଡିଚାଳକଙ୍କ ସମେତ ପବିତ୍ରଙ୍କ କେୟାରଟେକର ଗଙ୍ଗାଧର ବିଶ୍ୱାଳ ହତ୍ୟା କରିଥିବା ନେଇ ତାଙ୍କ ପରିବାର ପକ୍ଷରୁ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଥିଲେବି ପୋଲିସ ନିରପେକ୍ଷ ତଦନ୍ତ କରୁନଥିବା ଦର୍ଶାଇ ଓଡିଶା ଉଚ୍ଚ ନ୍ୟାୟାଳୟରେ ପରିବାର ପକ୍ଷରୁ ଏକ ମାମଲା ଦାୟର କରାଯାଇଥିଲା । ସେହି ମାମଲାରେ ଉଚ୍ଚ ନ୍ୟାୟାଳୟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେବା ପରେ ଓଡିଶା କ୍ରାଇମବ୍ରାଞ୍ଚର ଏକ ୪ଜଣିଆ ଟିମ କେନ୍ଦ୍ରାପଡାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ତଦନ୍ତରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ କ୍ରାଇମବ୍ରାଞ୍ଚକୁ ସହଯୋଗ କରୁନଥିବା ନେଇ ମଧ୍ୟ ଅଭିଯୋଗ ଆସିଛି । ଏହାବ୍ୟତିତ ରାଜନୈତିକ ପାଣିପାଗ ବଦଳି ଯାଇ ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କ ବିଜେଡିରେ ଯୋଗଦାନ ପରେ ଶ୍ରୀ ସାହୁ ଅଧିକ ଭୟଭିତ ହୋଇପଡିଛନ୍ତି । କାରଣ ଗତ ୨୦୧୯ ପାଟକୁରା ଉପନିର୍ବାଚନରେ ବିଜେପିରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଶ୍ରୀ ମହାପାତ୍ରଙ୍କ ସହ ଯୋଗଦେଇ ତାଙ୍କ ସପକ୍ଷରେ ପ୍ରଚାର ଓ ଭୋଟ କରାଇବାର ପ୍ରତିଶୃତି ଦେଇଥିବା ଶ୍ରୀ ସାହୁ ପରବର୍ତ୍ତୀ ସମୟରେ ଶ୍ରୀ ମହାପାତ୍ରଙ୍କ ସହ ବିଶ୍ୱାସ ଘାତକତା କରି ପ୍ରଚୁର ଅର୍ଥ ବଦଳରେ ପୁଣି ବିଜେଡିକୁ ଫେରିଯାଇ ଶ୍ରୀ ମହାପାତ୍ରଙ୍କ ବିରୋଧରେ ପ୍ରଚାର ସହ ଭୋଟ କରାଇଥିଲେ । କିନ୍ତୁ ଏବେ ପରିସ୍ଥିତି ବଦଳି ଯିବାପରେ କ୍ରାଇମବ୍ରାଞ୍ଚର ଗିରଫଦାରୀରୁ ବଞ୍ଚିବା ଓ ରାଜନୈତିକ ସୁରକ୍ଷା ନିମନ୍ତେ ଶ୍ରୀ ସାହୁ ବିଜେପିରେ ଯୋଗଦେଇଥିବା ରାଜନୈତିକ ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ