ରଙ୍ଗତୂଳୀରେ କ୍ରୁରତା ଶୂନ୍ୟ ହୋଲିର ବାର୍ତ୍ତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଉ ଦିନକ ପରେ ରଙ୍ଗର ପର୍ବ ହୋଲି । ଗାଆଁ ଠୁ ସହର ସବୁଠି ଉତ୍ସବ ମୁଖର । ସାଧାରଣତଃ ଉକ୍ତ ପର୍ବଟି ମଣିଷଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ଏହା କୌଣସି ଜୀବଜନ୍ତୁଙ୍କୁ ନେଇ ପାଳନ କରାଯାଇନଥାଏ । ସଂପ୍ରତି ଏ ପର୍ବ ପାଳନ ସମୟରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଯେମିତିକି ଛୋଟ ପିଲା ହୁଅନ୍ତୁ ଅଥବା ପ୍ରାପ୍ତ ବୟସ୍କ ବ୍ୟକ୍ତି ହୁଅନ୍ତୁ, ଟିକିଏ ଖୁସି ପାଇବା ପାଇଁ ରାସ୍ତାକଡ଼ରେ ବୁଲୁଥିବା କିମ୍ବା ଶୋଇଥିବା ଗାଈ, କୁକୁର, ଷଣ୍ଢ, ଛେଳି, ମେଣ୍ଢା, ବିଲେଇ ଆଦି ଜୀବଜନ୍ତୁଙ୍କ ଶରୀରରେ ରଙ୍ଗ ଓ ପାଣି ମାରି ମଜା ଉଠାଇଥାନ୍ତି । ଶେଷରେ ଉକ୍ତ ନିରୀହ ଜୀବଟି କିଭଳି ଛଟପଟ ହୋଇ ଯନ୍ତ୍ରଣା ପାଇଥାଏ ତାହା ରଙ୍ଗ ପକାଇଥିବା ବ୍ୟକ୍ତି ବା ପିଲା ଜାଣି ପାରିନଥାଏ । ଏ ନେଇ ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ୯ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ, ତୂଳୀରେ ନିଆରା ବାର୍ତ୍ତା ଦେଇଛନ୍ତି – “ଆସ ପାଳିବା କ୍ରୁଏଲଟି ଫ୍ରି ହୋଲି ଅର୍ଥାତ୍ କ୍ରୁରତା ଶୂନ୍ୟ ହୋଲି” । ହୋଲି ଉତ୍ସବ ସମୟରେ ରାସ୍ତା କଡ଼ରେ ଜୀବଜନ୍ତୁଙ୍କ ପ୍ରତି ଘଟୁଥିବା କ୍ରୁରତାର ଦୃଶ୍ୟକୁ ମନେ ପକାଇ ଆଙ୍କିଛନ୍ତି ରାସାୟନିକଯୁକ୍ତ ରଙ୍ଗରେ ଜୁଡୁବୁଡୁ ହୋଇଯାଇଥିବା କିଛି ଜୀବଜନ୍ତୁଙ୍କର ଛବି । ଶାନ୍ତନୁ ଏ ସମ୍ପର୍କରେ କୁହନ୍ତି, ଆମର ଟିକିଏ ଖୁସି ପାଇଁ କାହାର ଜୀବନ ଦୁଃଖର କାରଣ ନହେଉ । ଯଦି କୌଣସି ଜୀବଜନ୍ତୁଙ୍କ ଆଖି ସଂସ୍ପର୍ଶରେ ଏ ରଙ୍ଗ ଆସିଯାଏ ତେବେ ସେ ଦୃଷ୍ଟିଶକ୍ତି ହରାଇବା ସୁନିଶ୍ଚିତ । ସେମାନଙ୍କ ଶରୀର ଉପରେ ଯଦି ଏ ରଙ୍ଗ ପଡ଼େ ତେବେ ସେ ଶରୀରକୁ ଚାଟି ସଫା କରିବାକୁ ଚେଷ୍ଟା କରିଥାନ୍ତି । ପରିଶେଷରେ ଏ କେମିକାଲ ଯୁକ୍ତ ରଙ୍ଗ ସେମାନଙ୍କ ପେଟ ମଧ୍ୟକୁ ଚାଲିଯାଇଥାଏ । ଯଦ୍ୱାରା ସେମାନଙ୍କ ନାକ, କାନ, ଦେହ, ଆଖି ଆଦି ଅଙ୍ଗ ଜଳାପୋଡ଼ା ମଧ୍ୟ ହୋଇଥାଏ ଓ ବହୁତ ଯନ୍ତ୍ରଣା ମଧ୍ୟ ପାଇଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଜୀବ ପାଗଳ ହୋଇ ମରିଯାଆନ୍ତି । ଆପଣ ପଶୁପ୍ରେମୀ ହୁଅନ୍ତୁ ବା ନ ହୁଅନ୍ତୁ ଆପଣମାନଙ୍କୁ ମୋ ବୟସର କୁନି ଭାଇଭଉଣୀମାନଙ୍କୁ ବିନମ୍ର ନିବେଦନ କୌଣସି ଜୀବଜନ୍ତୁଙ୍କ ଉପରକୁ ରଙ୍ଗ ଓ ପାଣି ପକାନ୍ତୁ ନାହିଁ । କ୍ରୁରତା ଶୂନ୍ୟ ହୋଲି ଉତ୍ସବ ପାଳନ କରି ସାଙ୍ଗ, ସାଥୀ ଗହଣରେ ଏ ଉତ୍ସବର ମଜା ଉଠାନ୍ତୁ । ପ୍ରକୃତି ଓ ମଣିଷ ସମାଜ ପାଇଁ ଏ ଜୀବମାନଙ୍କ ଅବଦାନ ଅତୁଳନୀୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ