ବହୁଜନ ମୁକ୍ତି ପାର୍ଟିର ୨୦୨୪ ନିର୍ବାଚନକୁ ନେଇ ପ୍ରସ୍ତୁତି ବୈଠକ

ବାଲେଶ୍ବର, (ସରୋଜ ପଣ୍ଡା):ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ଆଗାମୀ ୨୦୨୪ ଲୋକସଭା ତଥା ଓଡିଶା ବିଧାନସଭା ନିର୍ବାଚନକୁ ନେଇ ବାଲେଶ୍ଵର ଜିଲ୍ଲାସ୍ଥିତ ଉଠାଜଳସେଚନ କର୍ମଚାରୀ ସଂଘ ଭବନ ଠାରେ ଏକ ଜରୁରୀକାଳୀନ ଜିଲ୍ଲା ସ୍ତରୀୟ ମହତ୍ବପୂର୍ଣ୍ଣ ବୈଠକ ଆୟୋଜନ କରାଯାଇ ଥିଲା। ପାର୍ଟିର ରାଷ୍ଟ୍ରୀୟ ସଚିବ ଏବଂ ଓଡିଶା ରାଜ୍ଯ ପ୍ରଭାରୀ ଭାବରେ ଦାୟିତ୍ବରେ ଥିବା ଭରତଚନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଓଡ଼ିଶାର ସାମାଜିକ, ରାଜନୈତିକ, ଆର୍ଥିକ, ଶୈକ୍ଷଣିକ, ସାଂସ୍କୃତିକ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ତଥା ବର୍ତ୍ତମାନ ସମୟରେ ଦେଶବ୍ୟାପୀ ମହାମାରୀର ରୂପ ଧାରଣ କରିଥିବା ବେରୋଜଗାରି, ଅତ୍ୟାବଶ୍ୟକ ଜିନିଷ ଗୁଡ଼ିକର ଆକାଶ ଛୁଆଁ ମୂଲ୍ଯବୃଦ୍ଧି, ମହିଳା ଓ ଜନସାଧାରଣଙ୍କ ପ୍ରତି ବୃଦ୍ଧି ପାଉଥିବା ଅନ୍ୟାୟ-ଅତ୍ୟାଚାର, ଶିକ୍ଷାନୁଷ୍ଠାନ ଗୁଡିକର ବ୍ୟାପାରିକରଣ, ସରକାରୀ ସଂସ୍ଥା ଗୁଡିକର ଘରୋଇକରଣ, କୃଷକ ମାନଙ୍କର ସମସ୍ୟା, ଅନ୍ଯାନ୍ଯ ପଛୁଆବର୍ଗ ମାନଙ୍କର ଜାତିଆଧାରିତ ଜଣଗଣନା, ଆଦିବାସୀଙ୍କୁ ସେମାନଙ୍କର ଜଳ ,ଜଙ୍ଗଲ ଓ ଜମିରୁ ବିସ୍ଥାପନ କରିବା, ଜାତି ଏବଂ ଧର୍ମ ନାମରେ ମନମତାନ୍ତର ସୃଷ୍ଟି କରି ପରସ୍ପର ମଧ୍ଯରେ ଝଗଡ଼ା ଲଗାଇ ବାସ୍ତବିକ ପ୍ରମୁଖ ସମସ୍ୟାରୁ ଧ୍ୟାନ ହଟାଇବା ଭଳି ଅତ୍ୟନ୍ତ ଜ୍ବଳନ୍ତ ବିଷୟବସ୍ତୁ ଗୁଡିକ ଉପରେ ଗମ୍ଭୀରତାର ସହ ଆଲୋଚନା କରାଯାଇ ଏକ ନିଷ୍କର୍ଷ ବାହାର କରାଗଲା ଯେ ଆଜିର ଦିନରେ ଜନସାଧାରଣଙ୍କର ଯେତେସବୁ ସମସ୍ୟା ନିର୍ମାଣ ହୋଇଅଛି ତାର ଏକମାତ୍ର ପ୍ରମୁଖ କାରଣ ହେଉଛି ବାସ୍ତବିକ ଜନପ୍ରତିନିଧି ର ଅଭାବ। ଏହି କଥା ଏଥିପାଇଁ କୁହାଯାଉଅଛି କାରଣ ଦେଶ ସ୍ବାଧୀନ ହେବାର ଦୀର୍ଘ ୭୭ ବର୍ଷ ଏବଂ ବାବାସାହେବ ଡଃ ଆମ୍ବେଦକରଙ୍କ ଦ୍ବାରା ଲିଖିତ ସମ୍ବିଧାନ ଲାଗୁ ହେବାର ୭୪ ବର୍ଷ ପରେ ମଧ୍ଯ ଦେଶର ୮୦ କୋଟି ଜନତା ଦାରିଦ୍ର୍ଯ ସୀମାରେଖା ତଳେ ରହି ଅତି ଦୟନୀୟ ଭାବରେ ଜୀବନଯାପନ କରିବାକୁ ବାଧ୍ଯ ହେଉଛନ୍ତି, ୪୦ ପ୍ରତିଶତ ଯୁବପିଢିଙ୍କ ମଧ୍ଯରୁ ରୋଜଗାର ଜନିତ ସମସ୍ୟା କାରଣରୁ ଦୈନିକ ୩୮ ଜଣ ସୁଶିକ୍ଷିତ ଯୁବକଯୁବତୀ ଆତ୍ମହତ୍ୟା କରୁଛନ୍ତି, ବିଗତ ଦୁଇ ଦଶନ୍ଧି ଭିତରେ ଦେଶବ୍ୟାପୀ କୃଷକ ମାନଙ୍କର ଆତ୍ମହତ୍ୟା ବୃଦ୍ଧି ପାଇଅଛି, ମହିଳ ଓ ଶିଶୁ ମାନଙ୍କ ଉପରେ ଅନ୍ୟାୟ-ଅତ୍ୟାଚାର ବୃଦ୍ଧି ପାଉଅଛି, ଧାର୍ମିକ ଅଳ୍ପସଂଖ୍ୟକ ବର୍ଗର ଲୋକଙ୍କ ପ୍ରତି ଅତ୍ଯାଚାର ବୃଦ୍ଧି ପାଇଅଛି, ଦେଶରେ ରହୁଥିବା ବହୁସଂଖ୍ୟକ ଲୋକ ମାନଙ୍କର କୌଣସିପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉ ନାହିଁ । ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ଦ୍ବାରା ବଡବଡ ସ୍ବପ୍ନ ଦେଖାଇ ଜନସାଧାରଣଙ୍କୁ ବର୍ଷ ବର୍ଷ ଧରି କେବଳ ଲୁଣ୍ଠନ କରାଯାଇ ଆସୁଛି, ଭାରତର ସମ୍ବିଧାନରେ ଦେଶର ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ବ୍ୟବସ୍ଥିତ ଥିବା ସମ୍ବିଧାନିକ ଅଧିକାର ଗୁଡିକ ଷଡ଼ଯନ୍ତ୍ର ପୂର୍ବକ ସମାପ୍ତ କରାଯାଉ ଅଛି । ଜନସାଧାରଣଙ୍କ ଉପରୋକ୍ତ ମୌଳିକ ସମସ୍ୟାର ସମାଧାନ ପାଇଁ ବହୁଜନ ମୁକ୍ତି ପାର୍ଟି ୧୦୦ ଟଙ୍କିଆ ଷ୍ଟାମ୍ପ ପେପରରେ ଲିଖିତ ଘୋଷଣାପତ୍ର ଜାରି କରି ଏଥର ୨୦୨୪ ସାଧାରଣ ନିର୍ବାଚନ ମୈଦାନରେ ପଦାର୍ପଣ କରିବାକୁ ଅଣ୍ଟା ଭିଡିଛି। ଭାରତରେ ବହୁଜନ ମୁକ୍ତି ପାର୍ଟି ବ୍ୟତୀତ ଏମିତି କୌଣସି ରାଜନୈତିକ ଦଳ ନାହିଁ ଯିଏ ନିର୍ବାଚନ ଘୋଷଣାପତ୍ର ଷ୍ଟାମ୍ପ ପେପରରେ ଲିଖିତ ଭାବରେ ଜାରି କରେ । ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ବାଲେଶ୍ବର ଜିଲ୍ଲାରେ ଥିବା ଏକମାତ୍ର ଲୋକସଭା ଆସନ ସହିତ ସମସ୍ତ ୮ ଟି ଯାକ ବିଧାନସଭା ଆସନରେ ଏଥର ବହୁଜନ ମୁକ୍ତି ପାର୍ଟି ପକ୍ଷରୁ ଜନସାଧାରଣଙ୍କ ସବୁ ସମସ୍ୟା ଦୂର କରିବା ପାଇଁ ପ୍ରାର୍ଥୀ ମୈଦାନରେ ପଦାର୍ପଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଅଛି ।
ଏହି ମହତ୍ବପୂର୍ଣ୍ଣ ବୈଠକରେ ଅଂଶଗ୍ରହଣ କରିଥିବା ଅନ୍ୟ ମାନଙ୍କ ମଧ୍ଯରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ରାଷ୍ଟ୍ରୀୟ ସଂଯୋଜକ ସୌମ୍ୟରଞ୍ଜନ ଆଢ୍ଯ, ବହୁଜନ କ୍ରାନ୍ତି ମୋର୍ଚ୍ଚାର ରାଜ୍ଯ ସଂଯୋଜିକା ଆଇନଜୀବି ସେବତୀ ସୋରେନ, ବାଲେଶ୍ବର ବହୁଜନ ମୁକ୍ତି ପାର୍ଟୀ ପ୍ରଭାରୀ ମା. ସାଧୁ ଚରଣ ମଲ୍ଲିକ, କୈବଲ୍ୟ ଦାସ, କରମଜୀତ ସିଂ, ନିରଞ୍ଜନ କୁଜୁର, ବାଇଧର ସିଂ, ନାରାୟଣ ଦାସ ଓ ବୈଦ୍ୟନାଥ ସିଂଙ୍କ ସମେତ ସମସ୍ତ ଆଶାୟୀ ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ଓ ବହୁ ସଂଖ୍ୟକ ସମର୍ଥକ ତଥା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ