ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ବାଲେଶ୍ୱର ଶାଖା ପକ୍ଷରୁ ‘ଗଣତାନ୍ତ୍ରିକ ଆନ୍ଦୋଳନ ଓ ସରକାରୀ ଦମନ’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ସଭା ବାଲେଶ୍ୱର ସହରର ‘ଓଡ଼େଶା ଭବନ’ରେ ରବିବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ସଭାରେ ‘ଭାରତରେ ଦମନ ଆଇନ : ଅତୀତ ଓ ବର୍ତ୍ତମାନ’ ନାମକ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଉକ୍ତ ପୁସ୍ତକର ସମୀକ୍ଷା କରିବାକୁ ଯାଇ ବିଶିଷ୍ଟ ପରିବେଶବିତ୍ ତଥା ମେଗାସେସେ ପୁରସ୍କାରପ୍ରାପ୍ତ ପ୍ରଫୁଲ୍ଲ ସାମନ୍ତରା ଦେଶର ମହାନ ଗଣତନ୍ତ୍ର ଓ ଦେଶର ସମ୍ବିଧାନକୁ ସ୍ୱେଚ୍ଛାଚାରୀ ଶାସକମାନେ କିପରି ଗୁରୁତ୍ୱ ଦେଉନାହାନ୍ତି ନିଜ ବକ୍ତବ୍ୟରେ ତାହା ଦର୍ଶାଇଥିଲେ । ଏକ ଉପଯୁକ୍ତ ସମୟରେ ଉଭୟ ଦେବରଞ୍ଜନ ଓ ବିଶ୍ୱପ୍ରିୟ କାନୁନ୍‌ଗୋ ଉକ୍ତ ପୁସ୍ତକ ରଚନା କରିଥିବାରୁ ସେମାନଙ୍କୁ ଆଲୋଚକମାନେ ଧନ୍ୟବାଦ ଦେଇଥିଲେ । ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କୁ ଯେଉଁଭଳି ବ୍ୟକ୍ତିଗତ ଓ ଦଳୀୟ ସ୍ୱାର୍ଥଲାଗି କେନ୍ଦ୍ର ସରକାର ବ୍ୟବହାର କରୁଛନ୍ତି ତାହା ଦେଶର ନାଗରିକମାନଙ୍କୁ ଧର୍ମନାମରେ ବିଭାଜିତ କରୁଛି ବୋଲି ‘ଭାରତର ଫାସୀବାଦ’ ଶୀର୍ଷକ ଆଲୋଚନାରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀଧର ପଙ୍ଗାରୀ ମତବ୍ୟକ୍ତ କରିଥିଲେ । ଜିଲ୍ଲା ସଭାପତି ଡ. ବଂଶୀଧର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଜ୍ୟସ୍ତରୀୟ ଆଲୋଚନା ସଭାମଞ୍ଚକୁ ଅତିଥିମାନଙ୍କୁ ଇଂ. କୁମାର କାର୍ତ୍ତିକ ଆହ୍ୱାନ କରିଥିବାବେଳେ ଜିଲ୍ଲା ସଂପାଦକ ଗୋବିନ୍ଦ ଦଳାଇ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଦୀର୍ଘ ୫୦ବର୍ଷରେ ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ଗଣତାନ୍ତ୍ରିକ ଆନ୍ଦୋଳନ ସଂପର୍କରେ ବରିଷ୍ଠ ସଦସ୍ୟ ଗୌରାଙ୍ଗ ପାଣିଗ୍ରାହୀ ସୂଚନା ଦେଇଥିଲେ । ରାଜ୍ୟ ସଂପାଦକ ତଥା ଉଦ୍‌ଘାଟିତ ପୁସ୍ତକର ଅନ୍ୟତମ ଲେଖକ ଦେବରଞ୍ଜନ ଲେଖକୀୟ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଆଇନଜୀବୀ ଶମ୍ଭୁନାଥ ମହାନ୍ତି, ଶରତ ମହାପାତ୍ର, କୃଷ୍ଣଚନ୍ଦ୍ର ନାୟକ ଓ ରଘୁନାଥ ମହାଳିକ, ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଇଂ. ହୃଷିକେଶ ସାହୁ, ବିଜୟ ଉପାଧ୍ୟାୟ, ମାୟାଧର ନାୟକ ଓ ଶ୍ୟାମ ସୁନ୍ଦର ଜେନା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଏପରି ଆଲୋଚନା ସଭାକୁ ସ୍ୱାଗତ ଜଣାଇଥିଲେ । ଦୁଇ ଅତିଥିଙ୍କୁ ବାଲେଶ୍ୱରର ବହୁ ସାମାଜିକ ସଂଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା କମିଟିର କାର୍ଯ୍ୟକାରୀ ସଭାପତି ତଥା ଡ. ଆମ୍ବେଦକର ବିକାଶ ପରିଷଦର ସଭାପତି ସୁଦର୍ଶନ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ