ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ବିଭିନ୍ନ ଜନଦାବିରେ ପରିବର୍ଦ୍ଧିତ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ପରିବର୍ଦ୍ଧିତ ବୈଠକ ସ୍ଥାନୀୟ ନୃତ୍ୟ-ସଂଗୀତ-କଳା ମନ୍ଦିର ପରିସରରେ ଥିବା ନିଜସ୍ୱ କାର୍ଯ୍ୟାଳୟରେ ବୁଧବାର ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମଞ୍ଚର ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ସଭାକାର୍ଯ୍ୟ ପ୍ରାରମ୍ଭରେ ଦିବଂଗତ ବର୍ଷୀୟାନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଡ. ଦାମୋଦର ରାଉତଙ୍କ ବିୟୋଗରେ ଶୋକପ୍ରସ୍ତାବ ଗୃହୀତ ହୋଇଥିଲା । ସାଧାରଣ ସଂପାଦକ ଦାମୋଦର ନାୟକ ମଞ୍ଚର ଦୀର୍ଘଦିନର ଦାବି ସହ କେତେକ ଜନଦାବି ଉପରେ ନିଷ୍ପତ୍ତି ନେବାକୁ ବୈଠକରେ ପ୍ରସ୍ତାବ ଆଗତ କରିଥିଲେ । ମଞ୍ଜୁରୀପ୍ରାପ୍ତ ସମନ୍ୱିତ ବହୁମୁଖୀ ପ୍ରକଳ୍ପ (ଆଇ.ଆଇ.ସି.) ନିର୍ମାଣ କାର୍ଯ୍ୟରେ ଜିଲ୍ଲା ପ୍ରଶାସନର ଚରମ ଅବହେଳାକୁ ବୈଠକରେ ବହୁ ସଭ୍ୟ ସମାଲୋଚନା କରିଥିଲେ । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଥିବାବେଳେ ବାଲେଶ୍ୱର ଜିଲ୍ଲାରେ ଭୂମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇପାରିନଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ଉପସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସୀତାରାମ ପ୍ରଧାନ, ସମ୍ପାଦିକା ଲକ୍ଷ୍ମୀପ୍ରିୟା ଜେନା, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଘୋଷ ପ୍ରମୁଖ ବରିଷ୍ଠ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନଗତ ସୁବିଧାସୁଯୋଗ ଓ ସହାୟତା ବାବଦରେ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ତରଫରୁ କରାଯାଉନଥିବାର ଅଭିଯୋଗ କରିଥିଲେ । ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ସବ୍‌ଡିଭିଜନ୍‌ସ୍ତରୀୟ ଟ୍ରିବ୍ୟୁନାଲ୍ କାର୍ଯ୍ୟକ୍ରମ ହେଉନଥିବାରୁ ଜିଲ୍ଲାର ବହୁ ବରିଷ୍ଠ ନାଗରିକମାନେ ସେମାନଙ୍କ ସମସ୍ୟା ନେଇ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଜିଲ୍ଲାର ଉପାନ୍ତ ଅଞ୍ଚଳରୁ ଜିଲ୍ଲା ସଦର ମହକୁମାକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବରିଷ୍ଠ ନାଗରିକମାନଙ୍କ ବିଶ୍ରାମ ପାଇଁ ଜିଲ୍ଲାପାଳଙ୍କୁ ବହୁବାର ଆବେଦନ କଲେ ମଧ୍ୟ ଏକ କୋଠରୀ ପ୍ରଦାନ କରାଯାଇପାରିଲା ନାହିଁ । ଜିଲ୍ଲା ମୁଖ୍ୟ କେନ୍ଦ୍ରରେ ଥିବା ସମସ୍ତ ବିଚାର ବିଭାଗୀୟ ଅଦାଲତଗୁଡ଼ିକୁ ଗୋଟିଏ ପରିସରରେ ରଖିବା ପାଇଁ ଜୁଡ଼ିସିଆଲ୍ ହବ୍ ନିର୍ମାଣ ପାଇଁ ଆଇ.ଟି.ଆଇ. ନିକଟସ୍ଥ ଜଳସେଚନ କାର୍ଯ୍ୟାଳୟ ପରିସରରେ ଚିହ୍ନଟ କରାଯାଇଥିବାବେଳେ ଏହାକୁ ପୁନଶ୍ଚ ଜିଲ୍ଲା ମୁଖ୍ୟ ଦପ୍ତରରୁ ପ୍ରାୟ ୧୩ କିଲୋମିଟର ଦୂର ବିଦ୍ୟାଧରପୁରକୁ ସ୍ଥାନାନ୍ତର ପ୍ରସ୍ତାବକୁ ବୈଠକରେ ଦୃଢ଼ ବିରୋଧ କରାଯାଇଛି । ବାଲେଶ୍ୱର ରେଳଷ୍ଟେସନର ଆଧୁନିକୀକରଣ ସହ ପଶ୍ଚିମପଟକୁ ପ୍ଲାଟ୍‌ଫର୍ମ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ଦିଆଯାଇଥିଲେ ମଧ୍ୟ ଏହି କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇପାରି ନାହିଁ । ସେହିପରି ରେଳବିଭାଗ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କୁ ରେଳଯାତ୍ରାରେ ଦିଆଯାଉଥିôବା ରିହାତିକୁ ସଂପୃକ୍ତ ବିଭାଗ ବହୁ ଦାବି ପରେ ବି ପୁନଃପ୍ରଚଳନ କରୁନାହାନ୍ତି । ଫକୀରମୋହନ ମେଡିକାଲ୍ କଲେଜ୍ ସଂଲଗ୍ନ ୬୫୦ ଶଯ୍ୟାବିଶିଷ୍ଟ ହସପିଟାଲ୍‌କୁ ମାତ୍ର ୫ଟି ବିଭାଗ ସ୍ଥାନାନ୍ତରଣ କରାଯାଇଥିôବାବେଳେ ଅନ୍ୟ ବିଭାଗ ଗୁଡ଼ିକ ତୁରନ୍ତ ସେହି ପରିସରରେ କାର୍ଯ୍ୟକ୍ଷମ କରିବାକୁ ଓ ମେଡିକାଲ୍ କଲେଜ୍ ହସପିଟାଲ୍‌କୁ ଜାତୀୟ ରାଜପଥରୁ ସଂଯୋଗୀକରଣ ନିମିତ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଥବାରୁ ଏହା ତୁରନ୍ତ ଆରମ୍ଭ କରିବାକୁ ବୈଠକରେ ଦାବି କରାଯାଇଛି । ଏମ୍‌ସ୍ ସାଟେଲାଇଟ୍ ସେଣ୍ଟରର ବହିର୍ବିଭାଗ ସପ୍ତାହରେ ମାତ୍ର ୨ ଦିନ କାର୍ଯ୍ୟକ୍ଷମ ହେଉଥିବାରୁ ଏହାକୁ ୭ଦିନ କାର୍ଯ୍ୟକ୍ଷମ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସବୁ ରାଜନୈତିକ ଦଳର ପ୍ରାର୍ଥୀମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଏହି ଜନସମସ୍ୟାଗୁଡ଼ିକ ସମାଧାନ ନିମିତ୍ତ ସେମାନଙ୍କ ପ୍ରତିଶ୍ରୁତି ସ୍ଥାନୀତ କରିବାକୁ ନିବେଦନ କରାଯାଇଛି । ଏହି ଆଲୋଚନାରେ ମୁଖ୍ୟ ଉପଦେଷ୍ଟା କମଳାକାନ୍ତ ବେହେରା, ବିଷ୍ଣୁପ୍ରସାଦ ମହାନ୍ତି ଓ ଗୋପୀନାଥ ଦାସଙ୍କ ସମେତ ସୁରେନ୍ଦ୍ରନାଥ ପଣ୍ଡା, ଦେବବ୍ରତ ପାଣିଗ୍ରାହୀ, ଶରତ ଚନ୍ଦ୍ର ଦାଶ, ଗୌରାଙ୍ଗ ପାଣିଗ୍ରାହୀ, ଶରତ କୁମାର ମହାପାତ୍ର, ରବି କୁମାର ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ