ଦଣ୍ଡଯାତ୍ରା ଉଦଯାପିତ, ମେରୁ ପର୍ବରେ ମା’ କାଳୀ ପୀଠ ଲୋକାରଣ୍ୟ

ହିଞ୍ଜିିଳିକାଟୁ, ୧୪/୪ (ସୁଧାନିଧି ଚୌଧୁରୀ ) : ରବିବାର ହିଞ୍ଜିିଳିକାଟୁ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ମହାମାୟୀ ମା’ଦଣ୍ଡକାଳୀ ପୀଠ ଗୁଡ଼ିକ ଲୋକରଣ୍ୟ ହୋଇପଡ଼ିଛି । ମହାବିଷୃବ ସଂକ୍ରାନ୍ତିରେ ଅନୁଷ୍ଠିତ ମେରପର୍ବ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ ହୋଇଛି । ସଂସ୍କୃତି ଓ ପରମ୍ପରାରେ ବିଶ୍ୱାସ ରଖୁଥିବା ରାଜ୍ୟ ଓଡ଼ିଶାରେ ବାର ମାସରେ ତେର ପର୍ବ କାହିଁ କେଉଁ ଆବାହମାନ କାଳରୁ ପାଳିତ ହୋଇଆସୁଛି ।
ଚୈତ୍ର ମାସର ଶେଷ ଓ ବୈଶାଖ ମାସର ପ୍ରାରମ୍ଭକୁ ମେରୁ ସଂକ୍ରାନ୍ତି ବୋଲି କୁହାଯାଇଥାଏ । ଏହି ସଂକ୍ରାନ୍ତିର ୨୧, ୧୮ ଓ ୧୩ ଦିନ ପୂର୍ବରୁ ଦଣ୍ଡକାଳୀ ପୀଠ ଥିବା ବିଭିନ୍ନ ଗ୍ରାମରେ ଦଣ୍ଡଯାତ୍ରା ଆରମ୍ଭ ହୋଇଥାଏ । ମାନସିକଧାରୀ ଦଣ୍ଡୁଆ ମାନେ ଦଣ୍ଡଯାତ୍ରାରେ ସାମିଲ ହୋଇ ପ୍ରତ୍ୟେକ ମୁହୁର୍ତ୍ତ କଠିନ ପରୀକ୍ଷାର ସମ୍ମୁଖୀନ ହେବା ସହ ନିଷ୍ଠା ଓ ଏକାଗ୍ରତାରେ ବାନା, ପିଞ୍ଛମୁଠା, ପରଭା, ଦଣ୍ଡ, ହର ପାର୍ବତୀଙ୍କ ମୂର୍ତ୍ତୀ, ଢୋଲ, ମହୁରୀ ଓ ଘଣ୍ଟର ଧ୍ୱନିରେ ଗଗନପବନ ପ୍ରକମ୍ପିତ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଦଣ୍ଡ ପରିବେଷଣ କରିଥାନ୍ତି । ମେରୁରେ ହିଞ୍ଜିଳିକାଟୁ ଅଞ୍ଚଳରେ କେଉଁ କାଳରୁ ଥିବା ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳିର ୨ ଦଣ୍ଡ ଦଳ ସମେତ ନିକଟବର୍ତ୍ତୀ ପୋଚିଲିମା, ବୁରୁପୋଡା, ସମରଝୋଳ, ଆଲପୁର, ସାରୁର ୨ ଦଳ, କଞ୍ଚୁରୁର ୨ଦଳ, ଗୋଦରାପଲ୍ଲୀ, ଦୁର୍ବନ୍ଧର ୩ ଦଳ, ବେଲଗାଁ, ଡି.ପାଟପୁର, ସାହାପୁର, ରାଳବ, ଖଣ୍ଡରା ଓ କୋଳିଦାସପୁରର ୨ଦଳ ଦଣ୍ଡଦଳର ଦଣ୍ଡନୃତ୍ୟ ଶେଷ ହୋଇଛି । ମାନସିକଧାରୀ ଦଣ୍ଡଭୁକ୍ତା ମାନଙ୍କୁ ନିଜ ନିଜ ଗ୍ରାମବାସୀ ବରଣ କରିବା ପରେ ଦଣ୍ଡଦଳ ଗ୍ରାମ ପରିକ୍ରମା କରି ପ୍ରଚଣ୍ଡ ଖରାରେ ଧୁଳିଦଣ୍ଡ ଶେଷ ପରେ ପାଣିଦଣ୍ଡରେ ସାମିଲ ହୋଇଥିଲେ । ପରେ ସମସ୍ତେ ମେରୁମଣ୍ଡପରେ ଏକତ୍ରିତ ହୋଇଥିଲେ । ମେରୁ ମଣ୍ଡପରେ ଢୋଲ, ଘଣ୍ଟ, ମହୁରୀର ତାଳେ ତାଳେ ଝୁଣା ମାଧ୍ୟମରେ ଜଣେ ଦଣ୍ଡୁଆଙ୍କୁ ଅଗ୍ନିରେ ମହାମାୟୀ ମା’ ଦଣ୍ଡକାଳୀଙ୍କୁ ଆବାହନ କରିବା ଦୃଶ୍ୟ ଏକ ଆଧ୍ୟାତ୍ମିତ ପରିବେଷ ସୃଷ୍ଟି କରିଥିଲା । ଶ୍ରଦ୍ଧାଳୁମାନେ ଯେପରି ମେରୁ ମଣ୍ଡପର ଦୃଶ୍ୟ ସୁବିଧାରେ ଦର୍ଶନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା । ଖରାର ପ୍ରକୋପ ସତ୍ତ୍ୱେ ପ୍ରତ୍ୟୁଷରୁ ଅପରାହ୍ନ ପର୍ଯ୍ୟନ୍ତ ମହାମାୟୀ ମା’ ଦଣ୍ଡକାଳୀ ପୀଠ ଗୁଡ଼ିକ ଲୋକାରଣ୍ୟ ହୋଇ ପଡ଼ିଥିଲା । ଶାନ୍ତିର ପ୍ରତୀକ ଭାବେ ହର ପାର୍ବତୀ ଓ ମା ଦଣ୍ଡକାଳୀଙ୍କୁ ମାନସିକଧାରୀ ଦଣ୍ଡୁଆ ମାନେ ଗତ ୨୧, ୧୮ ଓ ୧୩ ଦିନ ଧରି ନିଷ୍ଠାପର ସାଧନା ଓ କଠିନ ଉପାସନା ସହକାରେ ପରମ୍ପରା ଅନୁଯାୟୀ ଦଣ୍ଡଯାତ୍ରାରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ମନ୍ଦିର ଗୁଡ଼ିକରେ ସନ୍ଧ୍ୟା ଆଳତୀ ସମ୍ପର୍ଣ୍ଣ ପରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମେରୁସ୍ଥଳ ଚତୁପ୍ୱାଶ୍ୱର୍ରେ ବିଭିନ୍ନ ରକମର ଖେଳଣା, ବାରମଜା, ଘରକରଣା ସାମଗ୍ରୀ ସମେତ ବହୁ ରକମର ସାମଗ୍ରୀର ଅସ୍ଥାୟୀ ଦୋକାନ ବଜାର ଗଢି ଉଠିଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ହିଞ୍ଜିଳି ପୁଲିସ ପକ୍ଷରୁ ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ମେରୁ ପର୍ବ ସ୍ଥାନ ଗୁଡିକରେ ସଶସ୍ତ୍ର ପୁଲିସ ଫୋର୍ସ ମୃତୟନ ଥିଲେ । ସଂସ୍କୃତି ସମ୍ପଣ୍ଣ ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରମୁଖ ହିଞ୍ଜିିଳି ଅଞ୍ଚଳର ପାରମ୍ପରିକ ୨୧ ଦିନିଆ ଦଣ୍ଡଯାତ୍ରା ପରିଚାଳନାରେ ବିଭିନ୍ନ ଦଣ୍ଡଦଳର ପରିଚାଳନା କମିଟି ବ୍ୟାପକ ବନ୍ଦୋବସ୍ତ ଗ୍ରହଣ କରିଥିଲେ । ଦୀର୍ଘ ୨୧ ଦିନ ଧରି ଦଣ୍ଡଦଳର ମାନସିକଧାରୀ ଋଷିପୁତ୍ର ମାନେ ହଳଦିଆ ବସ୍ତ୍ର ପରିଧାନ କରି ନିଷ୍ଠାର ସହ ରହି ଗାଁ ଗଣ୍ଡାକୁ ବୁଲି ଦଣ୍ଡନୃତ୍ୟ ପରିବେଷଣ କରିଥିଲେ ।
ଫୋଟ –

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ