ମା ମଙ୍ଗଳାଙ୍କ ଅନନ୍ୟ ଝାମୁ ଯାତ୍ରା ପଣାସଂକ୍ରାନ୍ତି ପରିବର୍ତ୍ତେ ପଞ୍ଚମ ମଙ୍ଗଳବାର ହୁଏ

ନିମାପଡ଼ା,(ସନ୍ତୋଷ ଦାସ):ପ୍ରତିବର୍ଷ ଚୈତ୍ର ମାସରେ ରାଜ୍ୟର ଦେବ ଦେବୀ ପୀଠ ମାନଙ୍କରେ ଝାମୁଯାତ୍ରା ପାଳିତ ହୋଇଆସୁଛି । ତେବେ ରାଜ୍ୟ ର ପ୍ରସିଦ୍ଧ ଅଷ୍ଟଚଣ୍ଡୀ ରେ ଅନ୍ତଭୁକ୍ତ ଶକ୍ତିପୀଠ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ଅନୁଷ୍ଠିତ ଝାମୁଯାତ୍ରା ଭିନ୍ନ ଓ ଅନନ୍ୟ ଅଟେ ବୋଲି କହିଛନ୍ତି ମାଙ୍କ ସେବକ ତୁଷାର ରଞ୍ଜନ ଦୀକ୍ଷିତ । ପ୍ରାୟ ସବୁ ମନ୍ଦିର, ମଠ, ଆଶ୍ରମ, ଗାଁ ମାନଙ୍କରେ ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ଅର୍ଥାତ ପଣାସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇଆସୁଥିବା ବେଳେ କାକଟପୁର ମଙ୍ଗଳା ମନ୍ଦିରରେ ଚୈତ୍ର ମାସର ପଞ୍ଚମ (ସମୟେ ସମୟେ ବୈଶାଖ ପ୍ରଥମ) ମଙ୍ଗଳବାର ଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ ।ଜଗତସିଂହପୁର ଜିଲ୍ଲା ଅଂଚଳର ମା ଶାରଳାଙ୍କ ରାଉଳ ସେବକ ଏଠାକୁ ଆସି ଝlମୁଯାତ୍ରାରେ ଭାଗ ନେଇଥାନ୍ତି । ସେମାନେ ନିଜକୁ ଅର୍ଦ୍ଧ ନାରୀଶ୍ୱର ବେଶରେ ସଜ୍ଜିତ କରୁଥିବାବେଳେ ସେମାନଙ୍କୁ ଘଟ କାଳେସୀ ବା ଘଣ୍ଟପାଟୁଆ କୁହାଯାଇଥାଏ । ଚୈତ୍ର ମାସର ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ମଙ୍ଗଳବାର ଦିନ ଏମାନେ ପ୍ରାଚୀ ନଦୀର ଘଣ୍ଟତୋଳା ତୁଠକୁ ଯାଇ ପାଣିତୋଳିବା ନୀତି କରିବା ସହିତ ଘଟକୁ ସ୍ଥାପନ ଓ ପୂଜା କରିଥାନ୍ତି । ଏହାପରେ ସେମାନେ ମା ମଙ୍ଗଳାଙ୍କୁ ସ୍ତୁତି କରି ମାଙ୍କ ଠାରୁ ଆଜ୍ଞାମାଳ ପାଇବାପରେ ମନ୍ଦିର ବେଢାରେ ଘଣ୍ଟ ଶବ୍ଦର ତାଳରେ ମୁଣ୍ଡରେ ଘଟ ଥୋଇ ପାଟୁଆ ନୃତ୍ୟ ପରିବେଷଣ କରିଥାନ୍ତି । ପଞ୍ଚମ ମଙ୍ଗଳବାର ଦିନ ମାଙ୍କ ଆଜ୍ଞାମାଳ ପାଇବାପରେ ପାଟୁଆ ମାନେ ଘଟ ଧରି /ମୁଣ୍ଡରେ ଥୋଇ ଖାଲିପାଦ ରେ ମନ୍ଦିର ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ରଡ ନିଆଁ ପୂର୍ଣ୍ଣ ଗର୍ତ୍ତରେ ଚାଲିଥାନ୍ତି । ଏହାକୁ ହିଁ କୁହାଯାଏ ଝାମୁଯାତ୍ରା। ମାଙ୍କ କରୁଣାରୁ ଏମାନଙ୍କ ପାଦର କିଛି କ୍ଷତି ହୋଇନଥାଏ । ଝମୁଯାତ୍ରା ପରେ ମନ୍ଦିର ବେଢ଼ାରେ ଓ ସିଂହ ଦ୍ଵାର ସମ୍ମୁଖ ରେ ପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଥାଏ । ଦେହକୁ କଷ୍ଟ ଦେଇ ମାଙ୍କୁ ସନ୍ତୁଷ୍ଟ କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମା ମଙ୍ଗଳାଙ୍କ ଝାମୁଯାତ୍ରା ସବୁଠାରୁ ଭିନ୍ନ ଓ ଅନନ୍ୟ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ