ଆଜି ହିଞ୍ଜିଳି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର

ଶଙ୍ଖନାଦର ଶୁଭାରମ୍ଭ ସହ ପ୍ରଚାର ଅନୁକଳ କରିବେ ମୁଖ୍ୟମନ୍ତ୍ରୀ
ହିଞ୍ଜିଳିକାଟୁ, ୨୩ା୪(ସୁଧାନିଧି ଚୌଧୁରୀ): ହିଞ୍ଜିଳିରୁ ଆରମ୍ଭ ହେବ ଶଙ୍ଖନାଦ । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଶୁଭାରମ୍ଭ ହେବ । ହିଞ୍ଜିଳି ବିଧାୟକ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସୁଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ଉଭୟ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଳକ ଠାରେ ଆୟୋଜିତ ୨ଟି ପୃଥକ ସାଧାରଣ ସଭାରେ ଉଦବୋଧନ ଦେବା ସହ ଦଳୀୟ ଚିହ୍ନ ଶଙ୍ଖ ଫୁଙ୍କି ନିର୍ବାଚନ ପ୍ରଚାର ଆରମ୍ଭ କରିବେ ବୋଲି ଦଳୀୟ କର୍ମୀଙ୍କ ସୂତ୍ରରୁ ଜଣାପଡିଛି ।ରାଜ୍ୟରେ ବିଜେଡିର ଏକ ନମ୍ଭର ଷ୍ଟାର କ୍ୟମ୍ପେନରଙ୍କ ଦ୍ୱାରା ପ୍ରଚାରର ଏହା ବିଧିବଦ୍ଧ ଆରମ୍ଭ ବୋଲି କୁହାଯାଉଛି । ଏଥି ସକାଶେ ମଙ୍ଗଳବାର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୯.୩୫ରେ ଭୂବନେଶ୍ୱର ନବୀନ ନିବାସରୁ ବାହାରି ହେଲିକ୍ୟାପ୍ଟେର ଯୋଗେ ଆସି ହିଞ୍ଜିଳିକାଟୁ ସମରଝୋଳ ନିକଟସ୍ଥ ଶଙ୍କର ଚକ୍ଷୁ ଚିକିତ୍ସାଳୟ ନିକଟସ୍ଥ ମହାମେଘମାଳ ତୋଟାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସିଧାସଳଖ ଯାଇ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ଶଙ୍ଖ ଫୁଙ୍କି ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ନିଜ ପାଇଁ ଭୋଟ ମାଗିବା ସହ ଆସିକା ଲୋକସଭା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁଙ୍କ ପାଇଁ ଭୋଟଭିକ୍ଷା କରିବା ସହ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ଲୋକଙ୍କ ଆଶ୍ରୀବାଦ ଲୋଡିବେ ବୋଲି ଜଣାପଡିଛି । ୧୧.୧୫ରେ ହିଞ୍ଜିଳିକାଟୁ କାର୍ଯ୍ୟକ୍ରମ ଶେଷ କରି ଶେରଗଡ ଅଭିମୁଖେ ଯାତ୍ରା କରିବେ । ୧୧.୩୦ରେ ଶେରଗଡ ବସଷ୍ଟାଣ୍ଡ ନିକଟରେ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ଆୟୋଜିତ ସାଧାରଣ ସଭାରେ ଯୋଗଦାନ କରି ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବା ସହ ଶଙ୍ଖ ଫୁଙ୍କି ନିର୍ବାଚନ ପ୍ରଚାର ଆରମ୍ଭ କରିବେ । ୧୨.୧୫ରେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଭୂବନେଶ୍ୱର ଅଭିମୁଖେ ଯାତ୍ରା କରିବେ ବୋଲି ସୂଚନା ମିଳିଛି । ରାଜ୍ୟର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସଫଳ କରିବାକୁ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀ ମାନେ ଅଣ୍ଟା ଭିଡିଛନ୍ତି । ସବୁ କାର୍ଯ୍ୟ ସୁରୁଖୁରୁରେ ସାରିବାକୁ ଜୋରସୋରରେ ଦଳୀୟ କର୍ମୀ ମାନେ ଲାଗି ପଡିଛନ୍ତିି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆସିକା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁଙ୍କୁ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ କରାଇବା ପାଇଁ ଦଳୀୟ କର୍ମୀ ମାନେ ଏବେଠାରୁ ଜୋରସୋରରେ ଲାଗି ପଡିଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି, ଗତ ୧୯ ତାରିଖରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଉଭୟ ହିଞ୍ଜିଳିକାଟୁ ପୌରାଞ୍ଚଳ, ବ୍ଳକ ସମେତ ଶେରଗଡ ବ୍ଳକର ଯୁବ ସମାଜକୁ ନେଇ ଯୁବ ସମାବେଶ ଏବଂ ୨୧ ତାରିଖରେ ସକ୍ରିୟ ମହିଳା ମାନଙ୍କୁ ନେଇ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାବେଶରେ ଭିଡିଓ କନଫେରନ୍ସ ଯୋଗେ ଆମ ଓଡିଶା- ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟାନ ପାଣ୍ଡିଆନ ଯୋଗଦେଇ ଉପସ୍ଥିତ ଯୁବ ଓ ମହିଳା ମାନଙ୍କ ସହ ସିଧାସଳଖ କଥାହେବା ସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ସୋମବାର ହିଞ୍ଜିଳିକାଟୁ ଓ ଶେରଗଡର ବିଭିନ୍ନ ମନ୍ଦିର ଗୁଡ଼ିକରେ ହୋମ ଯଜ୍ଞ ଓ ପୂଜାର୍ଚ୍ଚନା କରାଯିବା ସହ ନବୀନ ପଟ୍ଟନାୟକଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିବା ସହ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ମୁଖ୍ୟମନ୍ତ୍ରୀ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସୁଥିବାରୁ ଦଳୀୟ କର୍ମୀଙ୍କ ମହଲରେ ଉତ୍ସାହ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ