ପୂର୍ବ ଶତୃତାକୁ କେନ୍ଦ୍ର କରି ବୁଲିଲା ଖଣ୍ଡା, ଗୋଷ୍ଠୀ ସଂଘର୍ଷରେ ୨ ଗୁରୁତର, ୩ କୋର୍ଟ ଚାଲାଣ

ହିଞ୍ଜିଳିକାଟୁ, (ସୁଧାନିଧି ଚୌଧୁରୀ): ଆଗକୁ ସାଧାରଣ ନିର୍ବାଚନ । ନିର୍ବାଚନ ଯେତିକି ପାଖେଇ ଆସୁଛି, ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସେତିକି ମାତ୍ରାରେ ବିଗିଡିବାରେ ଲାଗିଛି । ଏହିକ୍ରମରେ ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟୁଥିବା ନଜିର ରହିଛି । ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳର ୧୯ନଂ ୱାର୍ଡର କିଛି ଯୁବକଙ୍କ ସହ ୪ନଂ ୱାର୍ଡ କେନାଳ ସାହିର କିଛି ଯୁବକଙ୍କ ମଧ୍ୟରେ ପୂର୍ବରୁ ଶତୃତା ଲାଗି ରହିଥିଲା । ଶନିବାର ରାତିରେ ସାମାନ୍ୟ କଥାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗୋଳ ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଉଭୟ ଗୋଷ୍ଠୀର ଯୁବକ ମାନେ ପ୍ରତିପକ୍ଷଙ୍କ ବିରୋଧରେ ଲଢେଇ କରିବା ସହ ପରେ ଗୋଟିଏ ଗୋଷ୍ଠୀର ଯୁବକ ମାନେ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିବା ସହ ଅପର ଗୋଷ୍ଠୀର କିଛି ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୋଟିଏ ଗୋଷ୍ଠୀର ଲିପୁ ଦାସ ଓ ଜଗନ ପଟ୍ଟନାୟକ ଗୁରୁତର ଆହତ ହୋଇଥିବା ବେଳେ ଅପର ଗୋଷ୍ଠୀର କିଛି ଯୁବକ ସମାନ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳର କିଛି ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ତଳରେ ପହଞ୍ଚି ଆକ୍ରମଣକାରୀ କିଛି ଯୁବକଙ୍କୁ ଥାନାରେ ଆଣି ଅଟକ ରଖି ପଚରା ଉଚୁରା ଚଳାଇଥିଲା । ଚିକିତ୍ସା ପରେ ଘଟଣା ନେଇ ଲିପୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୯୬/୨୪ରେ ଏକ ମାମଲା ରୁଜୁ କରି ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ମାନେ ହେଲେ ୧୯ନଂ ୱାର୍ଡର ଜିତୁ ବେହେରା, ବନମାଳି ନାୟକ ଓ ସୁମନ ନାୟକ । ଅନ୍ୟପକ୍ଷରେ ଶନିବାର ରାତିରେ ଅଚି ବେହେରା , ସ୍ତ୍ରୀଙ୍କୁ ସ୍ଥାନୀୟ ପୌରାଞ୍ଚଳ ସୁନାରିଢିମିରା ସାହିରେ ଛାଡି ଫେରୁଥିବା ବେଳେ ନିକଟସ୍ଥ ଶୌଚାଳୟ ସମ୍ମୁଖରେ ସଞ୍ଜୟ ଦାସ, ଲିପୁ ଦାସ, ଚିଣ୍ଟୁ ଦାସଙ୍କ ସମେତ କିଛି ଯୁବକ ଅଚିଙ୍କୁ ଅଟକାଇ ଗାଳି କରିବା ସହ ଆକ୍ରମଣ କରିଥିଲେ ବୋଲି ଅଚି ହିଞ୍ଜିଳି ଥାନାରେ ପାଲଟା ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୯୭/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ସୂତ୍ରରୁ ପ୍ରକାଶ । ପ୍ରକାଶ ଥାଉକି, ଗତ ବର୍ଷ ହିଞ୍ଜିଳିକାଟୁ ଳକ୍ଷ୍ମୀ ନୃସିଂହ ଯାତ୍ରାସମୟରେ ସାମାନ୍ୟ କଥାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବା ସହ କଳହ ସୃଷ୍ଟି ହୋଇଥିଲା ଏବଂ ଗତ ୫ ତାରିଖରେ ହିଞ୍ଜିଳିକାଟୁ ପୌରାଞ୍ଚଳ ୧୧ନଂ ୱାର୍ଡରେ ଆୟୋଜିତ ହୋଇଥିବା ପଞ୍ଚୁଦଣ୍ଡ ଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ସମୟରେ ଗୋଟିଏ ଗୋଷ୍ଠୀର କିଛି ଯୁବକ ଷ୍ଟେଜ ଉପରକୁ ଗୁଡି ପୋପାଡିବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗୋଳ ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ