ବିଶ୍ୱହକି ଖେଳ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାକୁ ବିଶ୍ୱ ଦରବାରରେ ପ୍ରସିଦ୍ଧ କରିବା ପାଇଁ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହୋଇଥିଲା ହକି ବିଶ୍ୱକପ୍ । ସେହି ସମୟରେ ରାଜ୍ୟ ସରକାର ଉଠାଦୋକାନୀ ଆଇନ ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ନ ମାନି ମନଇଚ୍ଛା ଉଠାଦୋକାନ ସବୁ ଉଚ୍ଛେଦ କରିଚାଲିଲେ । ଭୁବବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳରୀରୁ ପାଖାପାଖି ୬ ହଜାରରୁ ଅଧିକ ଉଠାଦୋକାନୀ ମାନଙ୍କୁ ଉଚ୍ଛେଦ କରି ସେମାନଙ୍କର ଜୀବନ ଜୀବିକା ଦୁର୍ବିସହ କରାଇଥିଲେ । ଉଚ୍ଛେଦ ହୋଇଥିବା ଦୋକାନୀମାନେ ଆଉ ବ୍ୟବସାୟ କରିନପାରି କିଛି ବ୍ୟକ୍ତି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଆଉ କେତେଜଣ ଅଟୋ ଓ ମଜୁରୀ ଲାଗି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଉଚ୍ଛେଦ ସମୟରେ ଉଠାଦୋକାନୀମାନେ ମେୟର, ବିଧାୟକ, କମିଶନର ଓ କର୍ପୋରେଟରଙ୍କୁ ମଧ୍ୟ ବହୁ ଅନୁରୋଧ କରିଥିଲେ ମଧ୍ୟ କେହି ସେମାନଙ୍କ ଦୁଃଖ ଶୁଣିନଥିଲେ । ବରଂ ସେମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ଏହି ଉଚ୍ଛେଦ ସମୟରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ଉଚ୍ଛେଦ ବେପାରୀମାନେ ଋଣଗ୍ରସ୍ତ ହୋଇ ଏବେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭୁବନେଶ୍ୱର ମାନନୀୟା ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସେମାନଙ୍କୁ ଭେଟି, ସେମାନଙ୍କ ଦୁଃଖ ଶୁଣିଥିଲେ ଏବଂ ନିଜେ ଅନୁତପ୍ତ ମଧ୍ୟ କରିଥିଲେ । ବିପିନ ବାବୁ ନାମକ ଜଣେ ଉଠାଦୋକାନୀ କହିଲେ ଯେ, ହକି ଖେଳ କଳିଷ୍ଟ ଷ୍ଟାଡ଼ିୟମରେ ହେଲା, କିନ୍ତୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆମ ଦୋକାନ ଉଚ୍ଛେଦ କରାଗଲା । ଏହିଭଳି ଭାବରେ ବହୁ ଦୋକାନୀ ସେମାନଙ୍କ ଦୁଃଖଭରା କାହାଣୀ ଶୁଣାଇଥିଲେ । ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ ସାହୁଙ୍କୁ ପଚାରିବାରୁ, ସେ କହିଲେ ବିଶ୍ୱ ହକିଖେଳ ସମୟରେ କଟକ, ଭୁବନେଶ୍ୱର, ପୁରୀ, ସମ୍ବଲପୁର, ରାଉରକେଲା ଆଦି ସହର ଗୁଡ଼ିକରୁ ଉଚ୍ଛେଦ ହୋଇଥିବା ଦୋକାନୀ ମାନଙ୍କ ଥଇଥାନ ପାଇଁ ଅନେକ ସମୟରେ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯାଇଛି ଏବଂ ଆଗକୁ ମଧ୍ୟ ଆଲୋଚନା କରାଯାଇ ଏହାର ସମାଧାନର ବାଟ ବାହାରିବ ବୋଲି ଶ୍ରୀଯୁକ୍ତ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ