ସଡ଼କ ସୁରକ୍ଷା ବ୍ୟବସ୍ଥା ଓ ଦୁର୍ଘଟଣା ହ୍ରାସ ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ବର ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଆନୁକୂଲ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥା ଓ ଦୁର୍ଘଟଣା ହ୍ରାସ ନିମନ୍ତେ ଏକ ବୈଠକ ଆଜି ନୂତନ କଲେକ୍ଟୋରେଟର ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଆଶୀଷ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ସାଗରିକା ନାଥ, ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦୁଲାଳସେନ ଜଗଦ୍ଦେବ, ସିଟି ଡିଏସପି ଶ୍ରୀମତୀ ଗାୟତ୍ରୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତ ତଥା ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ବୈଠକରେ ପୋଲିସ ବିଭାଗ, ଜାତୀୟ ରାଜପଥ ବିଭାଗ, ପୂର୍ତ୍ତ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ବିଭିନ୍ନ ପୌର ପାଳିକାର ଅଧିକାରୀଗଣ, ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଅନ୍ୟ ସମ୍ପୃକ୍ତ ବିଭାଗ ଯୋଗଦେଇ ବୈଠକର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜାତୀୟ ରାଜପଥ ବିଭାଗ, ବିଶେଷ କରି ଜାତୀୟ ରାଜପଥ -୧୬ କର୍ତ୍ତୃପକ୍ଷ ରାସ୍ତାରେ ଥିବା ଖାଲଖମା ପୂରଣ ସହ ଅନ୍ୟ ସମସ୍ୟା ତୁରନ୍ତ ସୁଧାରି ନେବାକୁ ଜିଲ୍ଲାପାଳ ତାଗିଦ୍ କରିଥିଲେ। ବିଶେଷ କରି ଚିହ୍ନିତ ଦୁର୍ଘଟଣା ପ୍ରବଣ ସ୍ଥାନ ମାନଙ୍କରେ ଦାୟିତ୍ୱ ଵହନକାରୀ ସମ୍ପୃକ୍ତ ବିଭାଗ ମାନେ ଅଧିକ ଯତ୍ନବାନ୍ ହେବାକୁ ଜିଲ୍ଲାପାଳ ଶ୍ରୀ ଠାକରେ ନିର୍ଦ୍ଦେଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ନାଥ ଟ୍ରାଫିକ ନିୟମ କଡ଼ା କଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜପଥ ଉପରୁ ଅଯଥା ହମ୍ପସ ଅପସାରଣ, ନିୟମ ଅନୁଯାୟୀ ହମ୍ପସର ରଙ୍ଗ କରିବା, ଟୋଲ୍ ଗେଟ୍ ନିକଟରେ ଆମ୍ବୁଲାନ୍ସ ଏବଂ କ୍ରେନ୍ ମହଜୁଦ ରଖିବା ଆଦି ବିଷୟ ଉପରେ ଆରକ୍ଷୀ ଅଧିକ୍ଷକ ଗୁରୁତ୍ଵ ଆରୋପ କରିଥିଲେ। ସମସ୍ତ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରି ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକୀୟ ସାଧନ ମହଜୁଦ ରଖିବା ନିମନ୍ତେ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଆଶା ବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ