ଜବର ଦଖଲ ଉଚ୍ଛେଦ ନହେଲେ ଭୋଟ ବର୍ଜନ ଚେତାବନୀ ଦେଲେ କନ୍ଦରପୁର ଗ୍ରାମବାସୀ

କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର ତହସିଲ ଅନ୍ତର୍ଗତ କନ୍ଦରପୁର ଗ୍ରାମବାସୀ ସଦର ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କନ୍ଦରପୁର ଗ୍ରାମବାସୀଙ୍କ ପକ୍ଷରୁ ଏହି ଦାବିପତ୍ରରେ ଦର୍ଶାଯାଇଛି, ଏହି ପଞ୍ଚାୟତର ୧୫ ଓ ୧୬ ନମ୍ବର ୱାର୍ଡର ବାସିନ୍ଦାଙ୍କ ବହୁ ଚାଷଜମି ନିଜ ଘରଠାରୁ କଟକ – ପାରାଦ୍ଵୀପ ରେଳ ଲାଇନ ପର୍ଯ୍ୟନ୍ତ ଲାଗିଛି। ତତ୍ ସହିତ ଗ୍ରାମର ମୁଖ୍ୟରାସ୍ତା ଠାରୁ ସାହି ମଧ୍ୟକୁ ସଂଯୋଗ କରୁଥିବା ରାସ୍ତା ଯାହାକି ପ୍ଲଟ ନମ୍ବର ୪୭୧ ରେ ଦର୍ଶାଯାଇଛି କି ଏହାର ଓସାର ୧୨ଫୁଟରୁ ଅଧିକ ଅଛି। ରାସ୍ତାର ଉଭୟ ପାର୍ଶ୍ଵରେ ଜନବସତି ରହିଥିବା ବେଳେ ଏହି ରାସ୍ତାକୁ ବ୍ୟବହାର କରି ଜନସାଧାରଣ ମାନେ ଚାଷ କାର୍ଯ୍ୟ ପାଇଁ ହଳ ଲଙ୍ଗଳ, ଟ୍ରାକ୍ଟର ଇତ୍ୟାଦି ସାହାଯ୍ୟରେ ନିଜ ନିଜ ଚାଷ ଜମିକୁ ଯାଆନ୍ତି। କିନ୍ତୁ କିଛି ନ୍ୟାସ୍ତସ୍ୱର୍ଥ ବ୍ୟକ୍ତି ଏହି ରାସ୍ତାକୁ ଜବର ଦଖଲ କରି ସ୍ଥାୟୀ ନିର୍ମାଣ କରିବା ସହ ନାନାଦି ଗଛ ଲଗାଇଛନ୍ତି। ଯାହାଫଳରେ ରାସ୍ତା ସଙ୍କୁଚିତ ହେବାରୁ ବର୍ତ୍ତମାନ ସେହି ରାସ୍ତାରେ ଟ୍ରାକ୍ଟର ଯିବା ଅସମ୍ଭବ ହୋଇଯାଇଛି, ଏପରିକି ହଳ ଲଙ୍ଗଳ ମଧ୍ୟ ଯାଇପାରୁନି। ଏହା ବାଦ ଏହି ରାସ୍ତାର ଉଭୟ ପାର୍ଶ୍ଵରେ ଜନବସତି ରହିଥିବା ବେଳେ କୌଣସି ଅଘଟଣ ଘଟିଲେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ମଧ୍ୟ ଯିବା ଅସମ୍ଭବ। ଏଣୁ ଏହି ରାସ୍ତାରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ କନ୍ଦରପୁର ପଞ୍ଚାୟତର ସରପଞ୍ଚଙ୍କ ସମେତ କନ୍ଦରପୁର ଗ୍ରାମବାସୀଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ସଦର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି। ଅପରପକ୍ଷରେ ଖୁବଶିଘ୍ର ତଥା ସାଧାରଣ ନିର୍ବାଚନ ପୂର୍ବରୁ ଯଦି ସଦର ତହସିଲ ପକ୍ଷରୁ ଜବର ଦଖଲ ଉଚ୍ଛେଦ କରାନଯିବ ତାହାଲେ ୧୫ ଓ ୧୬ ନମ୍ବର ୱାର୍ଡର ବାସିନ୍ଦା ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ବୈଦ୍ୟନାଥ ରାଉତ, ଅଜୟ ପ୍ରଧାନ, ପ୍ରତାପ ରାଉତ, ପ୍ରଫୁଲ୍ଲ ସ୍ୱାଇଁ, ନିରଞ୍ଜନ ସାହୁ, ବସନ୍ତ ତରାଇ, ଦୀପକ ସାହୁ, ରମେଶ ଲେଙ୍କା, ଶରତ ପ୍ରଧାନ, ରବି ଭୋଇଙ୍କ ସମେତ ବହୁ ଗ୍ରାମବାସୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ