ସାମାଜିକ ସୁରକ୍ଷା ଓ ଦକ୍ଷତା ବିକାଶରେ ଓଡିଶା ସର୍ବାଗ୍ରେ ରହିଛି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷ ମଧ୍ୟରେ ଏକ କାଳୀନ ଦୈନିକ ମଜୁରୀ ଏକଶହ ଟଙ୍କା ବୃଦ୍ଧିକରି ଇତିହାସ ରଚିଛନ୍ତି ବୋଲି ଆଜି କେନ୍ଦ୍ରାପଡା ସହରଉପକଣ୍ଠ ରେ ଥିବା ଏକ ହୋଟେଲରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା କଟକ ମେୟର ସୁବାସ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାରେ ଦୈନିକ ମଜୁରୀ ୩୩୬ ଟଙ୍କାରୁ ୪୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧିକରିବା ଦ୍ୱାରା ସରକାରୀ, ଅର୍ଦ୍ଧସରକାରୀ, ଶିଳ୍ପ ସଂସ୍ଥା, ଘରୋଇ କାର୍ଯ୍ୟ ଏବଂ ସବୁ ସ୍ତରରେ ପ୍ରାୟ ୧କୋଟି ଶ୍ରମିକ ଏହି ମଜୁରୀ ବୃଦ୍ଧିରେ ଉପକୃତ ହୋଇପାରିବେ । ବିଶେଷ କରି ମୁନ୍ସିପାଲଟିରେ କାର୍ଯ୍ୟରତ ଶ୍ରମିକ, ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଶ୍ରମିକ, ପରିବହନ ବିଭାଗରେ କାର୍ଯ୍ୟରତ ଶ୍ରମିକ, ବିଭିନ୍ନ କମ୍ପାନୀ ଓ ଘରୋଇ ସଂସ୍ଥାରେ କାର୍ଯ୍ୟରତ ଶ୍ରମିକ ଏହାଦ୍ୱାରା ଉପକୃତ ହେବେ ବୋଲି ଶ୍ରୀ ସିଂ କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ “ନୂଆ ଓଡିଶା” ରାଜ୍ୟ ତମାମ ରୂପାନ୍ତିକରଣ, ଶିଳ୍ପ ବିକାଶ ଧାରାରେ ଶ୍ରମିକ ମାନଙ୍କର ଭୂମିକା ସବୁଠାରୁ ପ୍ରଶଂସନୀୟ ସେମାନଙ୍କ ମଜୁରୀ ଓ ସାମାଜିକ ସୁରକ୍ଷା ଯୋଗାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଶ୍ରୀ ସିଂ ପ୍ରକାଶ କରିଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା “ମା” ମାନଙ୍କ ପାଇଁ ୧୦ ଲକ୍ଷ ଏବଂ ସଂପୂର୍ଣ୍ଣ ପରିବାର ପାଇଁ ୫ ଲକ୍ଷ ଟଙ୍କା, ଶ୍ରମିକ ଶ୍ରେଣୀର ଲୋକଙ୍କପାଇଁ ଏକ ବଡ ସୁରକ୍ଷା ପ୍ରଦାନ କରିପାରିଛି । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସମଗ୍ର ରାଜ୍ୟରେ ଆଜି ସୁଧା ୪୨ ଲକ୍ଷ ୪୮ହଜାର ଶ୍ରମିକ ପଞ୍ଜିକୃତ ହୋଇଛନ୍ତି, ସେମାନଙ୍କୁ ବିଭିନ୍ନ ଯୋଜନାରେ ୩ ହଜାର ୫୨୪ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇପାରିଛି । ଅଣସଙ୍ଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇ ସବୁ ସ୍ତରରେ ଶ୍ରମିକ ଏପରିକି ଡୋମେଷ୍ଟିକ ଶ୍ରମିକ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଛି । ଓଡିଶାରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ସବୁପ୍ରକାର ଚାଳକ ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ ଗଠନ କରାଯାଇ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରାଯାଇ ପାରୁଅଛି । କେନ୍ଦୁପତ୍ର ତୋଳାଳି ଓ ବୁଣାକାରମାନଙ୍କୁ ସବୁ ପ୍ରକାର ସହାୟତା ପ୍ରଦାନ କରାଯାଇଅଛି । ଚଳିତ ବର୍ଷ ୫୦ ଭାଗ ରାଶି ବୃଦ୍ଧି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ କାର୍ଯ୍ୟରତ ପାଣିପାଇପ ମିସ୍ତ୍ରୀମାନଙ୍କୁ ଦକ୍ଷତା ବିକାଶ ଟ୍ରେନିଂ ଦିଆଯାଇ ସ୍ୱତନ୍ତ୍ର ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଯାହାଫଳରେ ସେମାନେ ବାହାର ରାଜ୍ୟରେ କାମକଲେ ଉପଯୁକ୍ତ ମଜୁରୀ ପାଇପାରିବେ । ବାହାର ଦେଶରେ କାର୍ଯ୍ୟରତ ଶ୍ରମିକମାନେ ନିଜ ନିଜ ଘରକୁ ଫେରିବା ପାଇଁ ସ୍ୱତନ୍ତ୍ର ଉଡାଜାହାଜର ବ୍ୟବସ୍ଥା ସୁଲଭ ମୁଲ୍ୟରେ କରାଇ ମୁଖ୍ୟମନ୍ତ୍ରୀ ଇତିହାସ ରଚିଛନ୍ତି । ବିଶେଷ କରି ଦୁବାଇ, ସିଙ୍ଗାପୁର ଯିବା ଆସିବା କରିବା ଶ୍ରମିକ ଭାଇମାନଙ୍କ ପାଇଁ ସହଜ ହୋଇପାରିବ । ସେହିପରି କେନ୍ଦ୍ରାପଡା ସହରରେ କାର୍ଯ୍ୟରତ ମୁନ୍ସିପାଲଟି କର୍ମଚାରୀ, ହୋଟେଲ ବ୍ୟବସାୟରେ କାର୍ଯ୍ୟରତ ଶ୍ରମିକ, ବିଭିନ୍ନ ଦୋକାନ ବଜାର ଓ କମ୍ପାନିରେ କାର୍ଯ୍ୟରତ ଶ୍ରମିକ ଦୈନିକ ମଜୁରୀ ବୃଦ୍ଧିର ବଡ ସହାୟତା ପାଇପାରିବେ । ଏହାଛଡା ଅଟୋ ଚାଳକ, ଫଟୋଗ୍ରାଫର, ଘରୋଇ କାର୍ଯ୍ୟରତ ଶ୍ରମିକ, ଅଣସଂଗଠିତ ଶ୍ରମିକ ବୋର୍ଡରେ ସାମିଲ ହୋଇ ସବୁ ପ୍ରକାର ସହାୟତା ପାଇବାକୁ ହକଦାର ହୋଇପାରିବେ ବୋଲି ବିଜୁ ଶ୍ରମିକ ସାମୁଖ୍ୟ ଜିଲ୍ଲା ସଂଯୋଜକ ଆଇନଜୀବୀ ନଳିନୀ ତ୍ରିପାଠୀ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଶ୍ରମିକ ସାମୁଖ୍ୟର ଉପଦେଷ୍ଟା ରାଜୀବ ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ