ସାହାରା ଇଣ୍ଡିଆ ଜମାକାରୀଙ୍କ ମଧ୍ୟରୁ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ଦେବେ!

ବାଲେଶ୍ୱର, (ସରୋଜ ପଣ୍ଡା):ସାହାରା ଇଣ୍ଡିଆ ଜମକାରୀ ଓ କାର୍ଯ୍ୟକର୍ତ୍ତା ମିଳିତ ମଞ୍ଚର ଜିଲ୍ଲା କର୍ମକର୍ତ୍ତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅପରାହ୍ନରେ ଉଠାଜଳ ସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ମନୋରଂଜନ ମଲ୍ଲିକ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଚଳିତମାସ ୩ ତାରିଖ ଦିନ ଜିଲ୍ଲାସ୍ତରୀୟ ସମାବେଶର ସମୀକ୍ଷା ଓ ଆସନ୍ତା ଦିନର କାର୍ଯ୍ୟକ୍ରମ ସଂପର୍କରେ ସାଧାରଣ ସଂପାଦକ କାର୍ତ୍ତିକ ଚାନ୍ଦ ବୈଠକରେ ଆଗତ କରିଥିଲେ । ଚଳିତ ମାସରେ ସାହାରା ଇଣ୍ଡିଆ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ ମାନ୍ୟବର ସୁପ୍ରିମକୋର୍ଟରେ ମୋକଦ୍ଦମାର ବିଚାରକୁ କେନ୍ଦ୍ର ସରକାରଙ୍କ ପରିଚାଳିତ ‘ସେବି’ ପକ୍ଷରୁ ବିଳମ୍ବିତ କରିବା ଉଦ୍ୟମକୁ ବୈଠକରେ ନିନ୍ଦା କରାଯାଇଛି । ସେବି ଓ ସାହାରା ଇଣ୍ଡିଆ ବିବାଦ ଫଳରେ ନିରୀହ ଜମାକାରୀ ଦୀର୍ଘବର୍ଷ ଧରି କଷ୍ଟାର୍ଜିତ ଅର୍ଥ ଫେରିପାଇ ପାରୁନାହାନ୍ତି । ତେଣୁ ରାଜ୍ୟ ଓ ଜାତୀୟସ୍ତରରେ ସଂଗଠନକୁ ସୁଦୃଢ଼ କରିବାକୁ ବହୁ ସଦସ୍ୟ ମତ ଦେଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କୁ ମଞ୍ଚ ପକ୍ଷରୁ ଜମାକାରୀ ଏବଂ ଏଜେଣ୍ଟମାନଙ୍କ ସମସ୍ୟା ସଂପର୍କରେ ଲିଖିତଭାବେ ଜଣାଇବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ସପ୍ତାହରେ ଭଦ୍ରକ ଓ ମୟୂରଭଂଜ ଜିଲ୍ଲାରେ ସାଂଗଠନିକ ବୈଠକ ପାଇଁ ଯୋଗାଯୋଗ କରାଯାଇଥିବାର ସଂପାଦକ ବୈଠକରେ ଜଣାଇଥିଲେ । କୋଷାଧ୍ୟକ୍ଷ ମନୋଜ କୁମାର ବେହେରା ଆୟବ୍ୟୟର ବିବରଣୀ ପାଠ କରିଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ସାହାରା ଜମାକାରୀଙ୍କ ମଧ୍ୟରୁ ଜିଲ୍ଲାରେ ଜଣେ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ ପାଇଁ ଆସିଥିବା ପ୍ରସ୍ତାବ ଉପରେ ଆସନ୍ତା ସପ୍ତାହରେ ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ନିଆଯିବାକୁ ସ୍ଥିର କରାଯାଇଛି ।ବାଲେଶ୍ୱର ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ସାଧାରଣ ସଂପାଦକ ମନୋଜ ନାୟକ ଓ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଶରତ ଚନ୍ଦ୍ର ଦଳାଇ, ଶ୍ୟାମସୁନ୍ଦର ଜେନା, ଗଣେଶ ଚନ୍ଦ୍ର ବେହେରା, ଗଜେନ୍ଦ୍ର ଦାସ, ରଞ୍ଜନ ପାତ୍ର, ଲଳିତା ଜେନା ଓ ସଂଜୁଲତା ମାଝି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଦୃଢ଼ ସଂଗଠନ ଓ ବ୍ୟାପକ ଆନ୍ଦୋଳନ ପାଇଁ ବକ୍ତାମାନେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ଭାସ୍କରଚନ୍ଦ୍ର ମଲ୍ଲିକ ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ