କମେଣ୍ଟ ମରାରୁ ୨ଗୋଷ୍ଠୀ ହାତାହାତି, ୩ଆହତ

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ପୂର୍ବ ଶତୃତା ଓ କମେଣ୍ଟ ମରାକୁ କେନ୍ଦ୍ର କରି ୨ ଗୋଷ୍ଠୀ ହାତାହାତି ହେବା ସହ ଉଭୟ ପକ୍ଷର ଆକ୍ରମଣ ଓ ପ୍ରତି ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତ ମାନେ ହେଲେ ହିଞ୍ଜିଳି ଥାନା ତହଁର ଗ୍ରାମର ବିଶ୍ୱ ମହାରଣା, ମନୋଜ ମହାରଣା ଓ ଦାଶରଥୀ ସାମଲ । ଏଭଳି ଏକ ଘଟଣା ମଙ୍ଗଳବାର ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ତହଁର ଗ୍ରାମରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟାରେ ହିଞ୍ଜିଳି ଥାନା ତହଁର ଗ୍ରାମ କାଳୀ ମନ୍ଦିର ଛକ ନିକଟରେ ସଂପୃକ୍ତ ଗ୍ରାମର ବିଶ୍ୱ ମହାରଣା(୨୬) ବସିଥିବା ବେଳେ ସେହି ଗ୍ରାମର ଦାଶରଥୀ ସାମଲ ସେଠାକୁ ଆସି କମେଣ୍ଟ ମାରିବା ସହ ପୂର୍ବ ଶତୃତାକୁ କେନ୍ଦ୍ର କରି ଗାଳି ଗୁଲଜ କରିଥିଲେ । ବିଶ୍ୱ ଏହାର ପ୍ରତିବାଦ କରିବାରୁ ଦାଶରଥୀ ଏକ ପଥରରେ ଆକ୍ରମଣ କରିଥିଲେ । ପରେ ଶିବ ସାମଲ ଓ ତାଙ୍କ ପୁଅ ବାଦଲ ସାମଲ ଘଟଣା ସ୍ଥଳକୁ ଆସି ଏକ ଲୁହା ରଡରେ ବିଶ୍ୱଙ୍କୁ ଆକ୍ରମଣ କରିଥିଲେ । ସେହି ରାସ୍ତା ଦେଇ ବିଶ୍ୱଙ୍କ ଭାଇ ମନୋଜ ମହାରଣା ଆସୁଥିବା ବେଳେ ଭାଇଙ୍କୁ ମାଡ ମାରୁଥିବା ଦେଖି ପ୍ରତିବାଦ କରିବାରୁ ଦାଶରଥୀ, ଶିବ ଓ ବାଦଲ ୩ ଜଣ ମିଶି ୨ ଭାଇଙ୍କୁ ଆକ୍ରମଣ କରିଥିଲେ । ବିଶ୍ୱ ସଂଜ୍ଞାହୀନ ହୋଇ ଘଟଣା ସ୍ଥଳରେ ପଡିଯିବାରୁ ଆକ୍ରମଣକାରୀ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବିଶ୍ୱଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ବିଶ୍ୱଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ କେସ ନଂ- ୪୨୮/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଆକ୍ରମଣକାରୀ ଦାଶରଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଦାଶରଥୀ ଘରକୁ ଫେରୁଥିବା ବେଳେ ଗ୍ରାମ କାଳୀ ମନ୍ଦିର ଛକ ନିକଟରେ ବିଶ୍ୱ, ତାଙ୍କୁ ଏକ ଲୁହା ରଡରେ ଆକ୍ରମଣ କରିଥିଲେ ବୋଲି ଦାଶରଥୀ ପାଲଟା ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତରେ ହିଞ୍ଜିଳି ଥାନାରେ କେସ ନଂ- ୪୨୯/୨୪ରେ ଆଉ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ