ଦ୍ୱିତୀୟ ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଶିକ୍ଷାବିତ୍‌, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ପ୍ରତିମା ପାଉଣ୍ଡେସନ ତରଫରୁ ଶନିବାର ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଦ୍ୱିତୀୟ ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା-୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ବିଶିଷ୍ଟ ସମାଜସେବୀ, ଶିକ୍ଷାକର୍ମୀ ଓ ଶିକ୍ଷାସନ୍ଧାନର ସଦସ୍ୟ ସମ୍ପାଦକ ଶ୍ରୀଯୁକ୍ତ ଅନିଲ ପ୍ରଧାନଙ୍କୁ ଆଦିବାସୀ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ତାଙ୍କର ମହୁତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ‘ଦ୍ୱିତୀୟ ପ୍ରତିମା ଶିକ୍ଷା ସମ୍ମାନ-୨୦୨୪’ ଓ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ଗୁରୁ ବିଜୟ କୁମାର ପରିଡ଼ାଙ୍କୁ ପାରମ୍ପରିକ କଳା କ୍ଷେତ୍ରକୁ ଅବଦାନ ପାଇଁ ‘ପ୍ରତିମା ଶିଳ୍ପୀ ସମ୍ମାନ-୨୦୨୪’ରେ ସମ୍ମାନିତ କରାଯାଇଥିଲା । ଅତିଥିମାନେ ସମ୍ମାନିତ ପ୍ରତିଭାମାନଙ୍କୁ ଫଳକ, ମାନପତ୍ର ଏବଂ ୫୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦେଇ ସମ୍ବର୍ଦ୍ଧିତ କରିଥିଲେ ।ବରିଷ୍ଠ କବି ଓ ସାମ୍ବାଦିକ କେଦାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ‘କଥା’ ପତ୍ରିକାର ସମ୍ପାଦକ ତଥା ପ୍ରଖ୍ୟାତ ଲେଖକ ଡ. ଗୌରହରି ଦାସ ଯୋଗଦେଇ ସମାଜରେ ଶିକ୍ଷା ଓ ପ୍ରତିମାଦେବୀଙ୍କ ପରି ଶିକ୍ଷକଙ୍କ ଭୂମିକା ଏବଂ ପାରମ୍ପରିକ କଳାକୁ ବଞ୍ଚାଇ ରଖିବାର ଆବଶ୍ୟକତା ସମ୍ପର୍କରେ ବିଶଦ ଭାବରେ ଆଲୋଚନା କରିଥିଲେ ।ଓଡ଼ିଶାରେ ବିକଳ୍ପ ଶିକ୍ଷାର ପରିସରକୁ ନେଇ ମୁଖ୍ୟବକ୍ତା ଯୁବ ଲେଖକ ଓ ଗବେଷକ ଡ. ଶୈଲେନ ରାଉତରାୟ ଦ୍ୱିତୀୟ ପ୍ରତିମା ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ସ୍ମାରକୀ ବକ୍ତୃତାର ଶୀର୍ଷକ ଥିଲା “କାହାକୁ ପୁଚ୍ଛିବା କୁହ? ଜୀବନ ବିଦ୍ୟାଳୟ ଓ ଓଡ଼ିଶାର ଶିକ୍ଷା ସମ୍ଭାବନା” । ସେ ଚିତ୍ତରଞ୍ଜନ ଦାସଙ୍କ ଜୀବନ ବିଦ୍ୟାଳୟ, ବିକଳ୍ପ ଶିକ୍ଷା ଆଦି ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତିମା ଦେବୀଙ୍କ ପରି ଜଣେ ଶିକ୍ଷକଙ୍କ ଭୂମିକା କିପରି ଏବେକାର ସମୟରେ ଖୁବ୍ ଜରୁରୀ, ସେ ସମ୍ପର୍କରେ କହିଥିଲେ ।ଉତ୍ସବରେ ସଂଯୋଜନା କରିଥିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ମଧୁମିତା ମହାନ୍ତି । ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ସୁମିତ୍ରା ପାଢୀ ସଂଗଠନର ଉଦ୍ଦେଶ୍ୟ ଓ ପ୍ରତିମା ଦେବୀଙ୍କ ଜୀବନ ସମ୍ପର୍କରେ ସୂଚନା ଦେବା ସହ ପ୍ରତିବର୍ଷ ମଇମାସ ଚାରିତାରିଖ ଦିନ ପ୍ରତିମା ଦେବୀଙ୍କ ଜନ୍ମ ଦିବସରେ ଏହି ପୁରସ୍କାର ଉତ୍ସବ ଜାରି ରହିବ ବୋଲି ଗଣମାଧ୍ୟମକୁ ଜଣାଇଥିଲେ । ସର୍ବଶେଷରେ ବିଶିଷ୍ଟ କବି ଓ ସ୍ତମ୍ଭକାର ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଉତ୍ସବରେ ବହୁ ସଂଖ୍ୟାରେ ଭୁବନେଶ୍ୱର ଓ ଭୁବନେଶ୍ୱର ବାହାରୁ ସାହିତ୍ୟିକ, ଶିକ୍ଷାକର୍ମୀ ଓ କଳାକାରମାନେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ