ମଉକା ଦେଖି ଚଉକା ପିଟିବାକୁ ସଭିଏଁ ତତ୍ପର

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ):ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିିଳିକାଟୁ ପୌରାଞ୍ଚଳ ସମେତ ହିଞ୍ଜିିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଗାଁ ଠୁ ସହର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ବିଭିନ୍ନ ଦଳର ପ୍ରାର୍ଥୀ ମାନଙ୍କ ପକ୍ଷରୁ ପ୍ରଚାର ଧିରେ ଧିରେ ଜୋର ଧରୁଛି । ମତଦାତାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀ ମାଦେ ଦିନ ରାତିକୁ ଏକ କରି ଦେଇଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ମଧ୍ୟ ଖାତିର ନାହିଁ । ଖରା ତରା ସବୁ ଏକ । ପ୍ରାୟ ଅଧିକାଂଶ ଦଳ ଆଗାମୀ ଦିନରେ ସିନେ ତାରକା ଓ ଯାତ୍ରା ଅଭିନେତା ମାନଙ୍କୁ ସାଙ୍ଗରେ ଧରି ମତଦାତାଙ୍କ ସମର୍ଥନ ସାଉଁଟିବାକୁ ପ୍ରୟାସ ଚଳାଇଛନ୍ତି । ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ଗାଁ ଠୁ ସହର ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳରେ ଏବେ ଏହି ସ୍ଥିତି ଦେଖିବାକୁ ମିଳୁଛି । ପ୍ରତ୍ୟେକ ମୁହୁର୍ତ୍ତ ଏବେ ସେମାନଙ୍କ ପାଇଁ ଗୁରୁତ୍ୱପୁର୍ଣ୍ଣ । ସାମାନ୍ୟତମ ସୁଯୋଗକୁ କେହି ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ସମସ୍ତେ ମଉକା ଦେଖି ଚଉକା ପିଟିବା ଚକ୍କରରେ ଅଛନ୍ତି । ସ୍ଥାନୀୟ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସମେତ ସହରାଞ୍ଚଳର ପ୍ରତ୍ୟେକ ସାହି ବସ୍ତିକୁ ଦଳର ପ୍ରାର୍ଥୀ ହାଇଭୋଲଟେଜ ପ୍ରଚାର ସୁତ୍ରକୁ ଆପଣେଇଛନ୍ତି । ନେତା ମାନଙ୍କର ଯେଉଁ ଅଞ୍ଚଳରେ ଦିନେ ପାଦ ପଡ଼ିବା ସ୍ୱପ୍ନ ମନେ ହେଉଥିଲା, ଆଜି ସେହି ଅଞ୍ଚଳରେ ଏବଂ ସେହି ମାଟି କୁଡ଼ିଆ ଓ ଝୁମ୍ପୁଡ଼ି ଘର ମଧ୍ୟରେ ମାଟି ଚଟାଣରେ ଚକା ପକାଇ ଭୋଜନ କରିବାକୁ ଦ୍ୱିଧା ପ୍ରକାଶ କରୁ ନାହାନ୍ତି । ମତଦାତା ମାନେ ଯଦିଓ ଏହି ଧରଣର ନେତା ମାନଙ୍କ ଅସଲ ଉଦ୍ଦେଶ୍ୟ ବୁଝିବାରେ ଭୁଲ କରୁନାହାନ୍ତି, ତଥାପି ଅତିଥି ଦେବୋ ଭବଃ ନ୍ୟାୟରେ ଚୁପ ରହୁଛନ୍ତି । ଚୁପ ରହୁଛନ୍ତି ଏଥିପାଇଁ ମୁହଁରେ କିଛି ନକହି ସେମାନେ ତାଙ୍କର ଠିକଣା ପ୍ରତିକ୍ରିୟା ଇଭିଏମରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।
ସହର ଠାରୁ ଗାଁ ପର୍ଯ୍ୟନ୍ତ ଡ଼ାକବାଜି ଯନ୍ତ୍ରରେ କାନ ଅତଡ଼ା ପଡ଼ୁଛି । ପ୍ରଚାର ପତ୍ର, ପ୍ରାଚୀରପତ୍ର, ବ୍ୟାନର, ଫ୍ଲେକ୍ସରେ ସାରା ନିର୍ବାଚନ ମଣ୍ଡଳୀ ବିଛେଇ ହୋଇପଡ଼ିଛି । ଗାଡ଼ି ଓ ବାଇକ ରାଲିରେ ଏବେ ଗାଁ ଦାଣ୍ଡ ପୂରି ଉଠୁଛି । ହେଲେ ମତଦାତା ମାନଙ୍କମନ କେତେ ମାତ୍ରାରେ ପୂରି ଉଠୁଛି, ତାହା ଜାଣିବା ପାଇଁ ପ୍ରାର୍ଥୀ ମାନଙ୍କ ସମୟ ନାହିଁ । ରାତି ହେଉ ବା ଦିନ , ମନ୍ଦିର ବେଢା ହେଉ ବା କ୍ଳବ ଘର ସବୁଠି ଚାଲିଛି ରୋଷେଇ । ମଦ ଓ ମାଂସରେ ଗାଁ ଓ ସହରର ବେକାର ଯୁବକ ମାନେ ଏବେ ସମ୍ପୂଣ୍ଣ ମସଗୁଲ । ଆସିକା ଲୋକସଭା ଅନ୍ତର୍ଗତ ୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ୟ ପର୍ଯ୍ୟାୟ ଅର୍ଥାତ ଚଳିତ ମାସ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ ୪ ରେ ଫଳାଫଳ ପ୍ରକାଶିତ ହେବାକୁ ଥିଲେ ମଧ୍ୟ ଏବେ ଠାରୁ ସମସ୍ତ ରାଜନୈତିକ ଦଳର ପ୍ରାର୍ଥୀ ମାନେ ବିଭିନ୍ନ ପ୍ରକାର ଋଣ କୌଶଳ ଅବଲମ୍ବନ କରିବା ସହ ଭୋଟ ହାତେଇବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ